ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବସ’ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ବସ୍ ରେ ୧୦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିଥିଲେ ଏବଂ ମାଲକାନଗିରିରୁ ଏମ.ଭି-୦୩ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୩୬ ଟି ଲକ୍ଷ୍ମୀ ବସ୍ ଗଡ଼ିଛି । ସେଥିରେ ୭ଟି ଏସସି ବସ୍ ଥିବା ବେଳେ ୨୯ ଟି ନନ୍ ଏସି ଲକ୍ଷ୍ମୀ ବସ୍ ରହିଛି । ବିଭିନ୍ନ ପଞ୍ଚାୟତରୁ ବ୍ଲକ୍ ଭିତରେ ଲୋକମାନେ ଏହି ବସ୍ ରେ ଯିବା ଆସିବା କରିପାରିବେ । ମାଲକାନଗିରିର ୧୧୧ ଟି ପଞ୍ଚାୟତକୁ ଏହି ବସ୍ ସୁବିଧା ମିଳିଲା ।
ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିବ । ନବରଙ୍ଗପୁର ଜିଲ୍ଲାକୁ ୪୦, କୋରାପୁଟକୁ ୪୩, ରାୟଗଡ଼ାକୁ ୧୯, ଗଜପତିକୁ ୩୬ ଏବଂ କନ୍ଧମାଳକୁ ୩୨ଟି ବସ୍ ଯୋଗାଇ ଦିଆଯାଇଛି । ସାରା ରାଜ୍ୟରେ ୧୦୦୦ ରୁ ଅଧିକ ବସ୍ ଚାଲିବ ।







