ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ଲକ୍ଷ୍ମୀ ବସ’ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ବସ୍ ରେ ୧୦ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଟିକେଟ କିଣିଥିଲେ ଏବଂ ମାଲକାନଗିରିରୁ ଏମ.ଭି-୦୩ ପର୍ଯ୍ୟନ୍ତ ଯାତ୍ରା କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାରେ ୩୬ ଟି ଲକ୍ଷ୍ମୀ ବସ୍ ଗଡ଼ିଛି । ସେଥିରେ ୭ଟି ଏସସି ବସ୍ ଥିବା ବେଳେ ୨୯ ଟି ନନ୍ ଏସି ଲକ୍ଷ୍ମୀ ବସ୍ ରହିଛି । ବିଭିନ୍ନ ପଞ୍ଚାୟତରୁ ବ୍ଲକ୍ ଭିତରେ ଲୋକମାନେ ଏହି ବସ୍ ରେ ଯିବା ଆସିବା କରିପାରିବେ । ମାଲକାନଗିରିର ୧୧୧ ଟି ପଞ୍ଚାୟତକୁ ଏହି ବସ୍ ସୁବିଧା ମିଳିଲା ।
ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳରେ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିବ । ନବରଙ୍ଗପୁର ଜିଲ୍ଲାକୁ ୪୦, କୋରାପୁଟକୁ ୪୩, ରାୟଗଡ଼ାକୁ ୧୯, ଗଜପତିକୁ ୩୬ ଏବଂ କନ୍ଧମାଳକୁ ୩୨ଟି ବସ୍ ଯୋଗାଇ ଦିଆଯାଇଛି । ସାରା ରାଜ୍ୟରେ ୧୦୦୦ ରୁ ଅଧିକ ବସ୍ ଚାଲିବ ।

ମାଲକାନଗିର ଇନଡୋର ଷ୍ଟାଡିୟମ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ଓଡ଼ିଶା ବିକାଶର ଲଞ୍ଚ ପ୍ୟାଡ୍ । ମାଲକାନଗିରିରୁ ହିଁ ଏକଟଙ୍କିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରି ପ୍ରମୁଖ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣି ଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ‘ଲକ୍ଷ୍ମୀ ଯୋଜନା’ ଆରମ୍ଭ କରି ମୁଁ ବହୁତ ଖୁସି । ଆମର ଏହି ଯୋଜନାର ସମ୍ପର୍କ ମଧ୍ୟ ମାଲକାନଗିରି ସହ ରହିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାଲକାନଗିରି ଗସ୍ତରୁ ଲୋକଙ୍କ ଅସୁବିଧା ଜାଣିପାରିଥିଲି । ତା’ ପରେ ଏହି ଲକ୍ଷ୍ମୀ ଯୋଜନାର ପରିକଳ୍ପନା କରାଗଲା ।
ଏହି ଯୋଜନା ଆମ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଆମର ଅର୍ଥନୀତିକୁ ଆହୁରି ମଜବୁତ କରିବ ଏବଂ ଗାଁ ଗା ଁରେ ସମୃଦ୍ଧି ଆଣିବ । ଏହି ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଘର ପାଖକୁ ବସ୍ ଆସିବ । ପିଲାଙ୍କୁ ସ୍କୁଲ, କଲେଜ ସହିତ ଯୋଡିବ । ଚାଷୀଙ୍କୁ ବଜାର ସହିତ ଯୋଡିବ । ରୋଗୀଙ୍କୁ ଡାକ୍ତରଖାନା ନେବ । ମା’ ମାନେ ସେମାନଙ୍କ କାମ ପାଇଁ ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇପାରିବେ । ଲକ୍ଷ୍ମୀ ଯୋଜନା ଘରେ ଘରେ ଖୁସି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହିତ ୬୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ ।
କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ଭାଷଣ ଦେଇଥିଲେ ।
Continue Reading







