ସୁନ୍ଦରଗଡ଼: ପରିବା ଚାଷ ଆପଣଙ୍କ ଭାଗ୍ୟ ବଦଳାଇଦେଇପାରେ । ଏଭଳି ଉଦାହରଣ ଆମେ ରାଜ୍ୟ ବାହାରୁ ଅନେକ ଦେଖିଛନ୍ତି । ତେବେ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ କିଛି କମ୍ ନୁହେଁ । ଟାଙ୍ଗରଭୂମିରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ ପରିବାରୁ ରୋଜଗାର ଅନେକଙ୍କର ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ଅନେକମାତ୍ରାରେ ପୁରଣ କରୁଛି । ଆସନ୍ତୁ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକ୍ ରୁ କିଛି ଉଦାହରଣ ଦେଖିବା ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ତରଫରୁ ଜିଲ୍ଲାର ୬ଟି ବ୍ଲକ୍ ରେ ପ୍ରାୟ ୩୦୦୦ ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଅଧିନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ଟାଙ୍ଗରାଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାର ଏହି ଅଭିନବ ପ୍ରୟାସ ଅନେକାଂଶରେ ସଫଳ ହୋଇଛି ।
ଖଣି ପ୍ରଭାବିତ ବ୍ଲକ୍ ଯଥା, କୁତ୍ରା, କୋଇରା, ଲହୁଣୀପଡା, ରାଜଗାଂଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକ୍ ରେ ପ୍ରାୟ ୫୦୦ ଏକ ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚି, କାଜୁବାଦାମ ଆଦି ଗଛ ଲଗାଯାଇଛି । ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌରଚାଳିତ ଜଳ ସେଚନ ସହ ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହି କ୍ଷେତରୁ ବାହାରୁ ଥିବା ପୋଟଳ, ବରଗୁଡି, ଲଙ୍କା ସହ ବିଭିନ୍ନ ଶାଗ ଆଦିକୁ ବଜାରରେ ବିକ୍ରିୀ କରି ଚାଷୀ ବେଶ୍ ଦୁଇ ପଇସା କମାଉଛନ୍ତି । ଏହି ପରିବା ସବୁ ମୋ ବାଡି ପରିବା ନାମରେ ବିକ୍ରୀ ହେଉଛି ।








