ଭୁବନେଶ୍ୱର: ମିଶନ ଶକ୍ତି ବିଭାଗର କମିସନର ତଥା ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ରାଜ୍ୟ ସରକାର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିସନର ତଥା ସଚିବ ଭାବେ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ୨୦୦୦ ବ୍ୟାଚ୍ ର ଆଇଏଏସ୍ ହେଉଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ୍ । ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଅଭିଯାନର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଛାଡ଼ିବା ପରେ ସେ ତାହାକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି । ପୂର୍ବରୁ ମହିଳା ଓ ଶିଶୁ ବିକାଶ ଅଧୀନରେ ମିଶନ ଶକ୍ତି ଥିଲା । ଏହି ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ ସୁଜାତା । ତେବେ ୨୦୨୧ ମସିହାରେ ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ହେବା ସହ ସୁଜାତାଙ୍କୁ ଏହାର ଦାୟିତ୍ୱ ମିଳିବା ପରେ ସେ ଏହାକୁ ଅଧିକ ଗତିଶୀଳ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ନେଇ ମିଶନ ଶକ୍ତି ଆଗକୁ ବଢ଼ୁଛି ।