ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅବସାନ । ସିଧାସଳଖ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ନିକଟରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀ ପାଣ୍ଡିଆନ୍ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ନବୀନ ନିବାସରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳ ତଥା ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଉତ୍ସବମୁଖର କରିଛି । ଦଳର ସବୁ ମହଲରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ତାଙ୍କର ଦୀର୍ଘ ବର୍ଷର ପ୍ରଶାସନିକ ଅଭିଜ୍ଞତା ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବାର ଅନୁଭୂତି ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି ।







