ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ପଦରୁ ଡକ୍ଟର ଚେଲ୍ଲା କୁମାରଙ୍କୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି । ନୂଆ ପ୍ରଭାରୀ ଅଜୟ କୁମାର ହେଉଛନ୍ତି ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ । ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ସହ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଦାୟୀ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଆଇସିସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଆଜି ଜାରି ହୋଇଛି ।
ସୂଚନାଥାଉକି, ଦୁଇ ଦିନ ତଳେପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଓ ବିଧାୟକମାନେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା କଂଗ୍ରେସର ସ୍ଥିତି ଓ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ମଧ୍ୟ ସେଠି ଉପସ୍ଥିତ ଥିଲେ ଏବଂ ଗଣମାଧ୍ୟମକୁ ଓଡ଼ିଶା କଂଗ୍ରେସର ରଣନୀତି ସମ୍ପର୍କରେ ସୂଚନା ଦେଇଥିଲେ ।






