ଭୁବନେଶ୍ୱର: ଓଡିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କର ପରଲୋକ ହୋଇଯାଇଛି । ଚେନ୍ନାଇର ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ୮୮ ବର୍ଷ ହୋଇଥିଲା । ୧୯୯୯ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ରାଜ୍ୟପାଳ ଥିଲେ । ମହାବାତ୍ୟାରେ ବିଧ୍ୱସ୍ତ ଓଡ଼ିଶାରେ ଥଇଥାନ କାର୍ଯ୍ୟକ୍ରମ ଓ ବିପର୍ଯ୍ୟୟ ମୁକାବିଲା ଯୋଜନାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।
ତାମିଲନାଡୁରେ ଜନ୍ମିତ ରାଜେନ୍ଦ୍ରନ୍ ୧୯୫୭ ବ୍ୟାଚର୍ ଆଇଏଏସ୍ ଟପ୍ପର୍ । ତାମିଲନାଡୁର ମୁଖ୍ୟ ଶାସନ ସଚିବ ଭାବେ ସେ ଚାକିରିରୁ ଅବସର ନେଇଥିଲେ । ୧୯୯୯ ମହାବାତ୍ୟା ପରବର୍ତ୍ତୀ ସମୟରେ ଓଡ଼ିଶାର ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଣେ ସାଧାରଣ ରାଜ୍ୟପାଳ ଭାବେ ନୁହେଁ, ବରଂ ମହାବାତ୍ୟା ଉଦ୍ଧାର ଓ ଥଇଥାନରେ ପ୍ରଶାସନିକ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ପରାମର୍ଶ ଦେଇଥିଲେ ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ । ଯାହାକୁ ସେ କାର୍ଯ୍ୟରେ କରି ଦେଖାଇଥିଲେ ।
ଗତ ଜୁଲାଇ ମାସରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ନିଜର ଆତ୍ମଜୀବନୀର ଏକ ଓଡ଼ିଆ ଅନୁବାଦ ବହି ଉପହାର ଦେଇଥିଲେ । ଓଡ଼ିଶା ପ୍ରତି ତାଙ୍କର ଅବଦାନକୁ ରାଷ୍ଟ୍ରପତି ମନେ ପକାଇଥିଲେ ।
ରାଜେନ୍ଦ୍ରନଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।






