ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଶ୍ରୀ ବୈଷ୍ଣବଙ୍କ ନାଁ ଘୋଷଣା ହେବାର ମାତ୍ର କେଇ ମିନିଟ୍ ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରିଛି । ରାଜ୍ୟର ରେଳବାଇ ଏବଂ ଟେଲିକମ୍ କ୍ଷେତ୍ରରେ ବିକାଶ ତଥା ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବ ବୋଲି ବିଜେଡି ସଭାପତିଙ୍କ ଦସ୍ତଖତରେ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ଅଶ୍ୱିନୀ ବୈଷ୍ଣବଙ୍କୁ ଦ୍ୱିତୀୟ ଥର ରାଜ୍ୟସଭାକୁ ପଠାଇବା ପାଇଁ ବିଜେଡି ଏବଂ ବିଜେପି ଶୀର୍ଷସ୍ତରରେ ପୂର୍ବରୁ ବୁଝାମଣା ହୋଇଥିଲା । ସେଥିପାଇଁ ବିଜେଡି ହାତରେ ତିନୋଟି ଯାକ ରାଜ୍ୟସଭା ଆସନ ଥିଲେ ମଧ୍ୟ ଦଳ ଦୁଇଟି ଆସନରେ ପ୍ରାର୍ଥୀ ଦେଇ ଆଉ ଗୋଟିଏ ଆସନ ବାକିଆ ରଖିଥିଲା । ଗତକାଲି ବିଜେଡିର ଦୁଇପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଆସନ୍ତାକାଲି ଶ୍ରୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିବେ । ସେଥିପାଇଁ ସବୁ କିଛି ପ୍ରସ୍ତୁତି ମଧ୍ୟ ଆଗରୁ ସରିଛି ।
ସୂଚନାଯୋଗ୍ୟ, ଅଶ୍ୱିନୀ ବୈଷ୍ଣବ ଓଡିଶା କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ । ଜଣେ ଦକ୍ଷ ଅଫିସର ଭାବେ ସେ ଜଣାଶୁଣା ଥିଲେ । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଗତଥର ସେ ବିଜେପିରେ ଯୋଗଦେଇ ବିଜେଡି ସମର୍ଥନରେ ଓଡିଶାରୁ ରାଜ୍ୟସଭାକୁ ଯାଇଥିଲେ । କେନ୍ଦ୍ରରେ ରେଳ, ଟେଲିକମ୍ ଏବଂ ଆଇଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଅତି ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ରେଳମନ୍ତ୍ରୀ ଭାବେ ଓଡିଶାକୁ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।
ତେବେ ସେ ଯାହା ହେଉ, ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱିତୀୟ ଥର ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ଏବେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ସାଧାରଣ ନିର୍ବାଚନକୁ ମଝିରେ ଆଉ ମାତ୍ର ଦୁଇମାସ ଥିବା ବେଳେ ବିଜେଡି-ବିଜେପି ମଧୁର ସମ୍ପର୍କକୁ ନେଇ ସବୁଆଡ଼େ ଜୋରଦାର ଚର୍ଚ୍ଚା ହେଉଛି । ଏହାଦ୍ୱାରା କାହାର କେତେ ଲାଭ କି କ୍ଷତି ତାହାର ଆକଳନ ଚାଲିଛି ।







