ଭୁବନେଶ୍ୱର : ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ଏହି କାର୍ଡ଼କୁ ଅଧିକ ଉପାଦେୟ କରିବା ନିମନ୍ତେ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ, ନୂଆ-ଓ ବୃତ୍ତି ପ୍ରଦାନ ପରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ପ୍ରଣୟନ କରିବାକୁ ଯାଉଛନ୍ତି ।
ଏହି କାର୍ଡ଼ ମାଧ୍ୟମରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ସହାୟକ ହେବା ସଙ୍ଗେ ସଙ୍ଗେ ଏହି କାର୍ଡ଼ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ ଓ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ । ଏହି କାର୍ଡ଼ର ଉପାଦେୟ ତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ସେମାନଙ୍କ ମତାମତ ଦେବା ପାଇଁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନୁରୋଧ କରିଛନ୍ତି ।
ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼କୁ ନେଇ ଯୁବବର୍ଗଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ମତାମତ ଦେବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନେ nomc.odisha@gmail.com ରେ ନିଜର ମତାମତ ପ୍ରଦାନ କରିପାରିବେ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ କୁହାଯାଇଛି ।