ପ୍ରତାପ ଜେନାଙ୍କ ଟିକେଟ ପୁଅକୁ ମିଳିଲା
ଭୁବନେଶ୍ୱର: ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ୨୭ ବିଧାୟକ ପ୍ରାର୍ଥୀ ଏବଂ ୫ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ ବିଧାନସଭା ଏବଂ ୯ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା । ଆଉ କେବଳ ବାଲେଶ୍ୱର ଲୋକସଭା ଆସନର ପ୍ରାର୍ଥୀ ଘୋଷଣା ବାକି ରହିଲା ।
ବିବାଦରେ ଥିବା ଭୁବନେଶ୍ୱର(ମଧ୍ୟ) ଆସନ ପାଇଁ ଏଥର ବି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ତେବେ ଏକାମ୍ର ଆସନରୁ ଅଶୋକ ପଣ୍ଡା ଚତୁର୍ଥ ଥର ପାଇଁ ଟିକେଟ୍ ପାଇଛନ୍ତି । ମାହାଙ୍ଗାରୁ ପ୍ରତାପ ଜେନାଙ୍କ ଟିକେଟ୍ କଟିଥିଲେ ମଧ୍ୟ ତାଙ୍କ ପୁଅ ଅଙ୍କିତଙ୍କୁ ଟିକେଟ୍ ମିଳିଛି । ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସଙ୍କ ଟିକେଟ୍ କଟିଛି । ତାଙ୍କ ଜାଗାରେ ପୂର୍ବତନ ବିଜେପି ନେତା ରମାକାନ୍ତ ଭୋଇଙ୍କୁ ମିଳିଛି ଟିକେଟ । ଆଜି ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ର ଏବଂ ପରିଣୀତା ମିଶ୍ରଙ୍କୁ ଯଥାକ୍ରମେ ବ୍ରହ୍ମପୁର ଏବଂ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବେ ଭୃଗୁ ବକ୍ସିପାତ୍ର ।
ସୂଚନାଯୋଗ୍ୟ, ଭୁବନେଶ୍ୱର(ମଧ୍ୟ) ଆସନରୁ ଏଥର ମଧ୍ୟ ଅନନ୍ତ ନାରାୟଣ ଜେନା(ବୁନୁ) ଟିକେଟ୍ ପାଇବାକୁ ପାଗ ଭିଡ଼ିଥିବା ବେଳେ ତାଙ୍କ ପାଇଁ କଣ୍ଟା ହୋଇଛନ୍ତି ବିଜେଡିର ରାଜ୍ୟ ସମ୍ପାଦକ ତଥା କର୍ପୋରେଟର ଅମରେଶ ଜେନା(ବାଇଁଆ) । ତାଙ୍କ ସହ ହାତ ମିଳାଇଛନ୍ତି ଯୁବନେତା ରୁଦ୍ର ନାରାୟଣ ସାମନ୍ତରାୟ । ବୁନୁ ପ୍ରାର୍ଥୀ ହେଲେ ସେମାନେ ବିରୋଧ କରିବେ ବୋଲି ଖୋଲାଖୋଲି ଧମକ ଦେଇ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି ।
ସେହିଭଳି ଲଗାତର ଚତୁର୍ଥ ଥର ପାଇଁ ଟିକେଟ ଦେଇ ଅଶୋକ ପଣ୍ଡାଙ୍କ ଉପରେ ପୁଣି ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ପ୍ରାର୍ଥୀତ୍ୱକୁ କର୍ପୋରେଟର ତଥା ବିଜେଡିର ପ୍ରଭାବଶାଳୀ ଯୁବ ସଂଗଠକ ବିରଞ୍ଚି ନାରାୟଣ ମହାସୁପକାର(ଲିଟୁ) ତୀବ୍ର ବିରୋଧ କରି ଆସୁଥିଲେ ମଧ୍ୟ ତାହାର ପ୍ରଭାବ ପଡ଼ିନି । ଟିକେଟ୍ ନ ମିଳିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ସେ ପୂର୍ବରୁ ଘୋଷଣା କରିଛନ୍ତି । ମୋଟାମୋଟି ଭାବେ ଅଶୋକ ପଣ୍ଡାଙ୍କ ବିରୋଧରେ ଜନ ଅସନ୍ତୋଷ ପ୍ରବଳ ରହିଥିଲେ ମଧ୍ୟ ନବୀନଙ୍କ ଆଶୀର୍ବାଦରେ ଆଗକୁ କିଭଳି ଯିବେ ଦେଖିବାର ଅଛି ।
ବିଧାନସଭା ପ୍ରାର୍ଥୀ ତାଲିକା
ବ୍ରଜରାଜନଗର- ଅଳକା ମହାନ୍ତି
ଝାରସୁଗୁଡ଼ା- ଦୀପାଳି ଦାସ
ତଳସରା- ବିଜୟ ଟୋପୋ
ରାଜଗାଙ୍ଗପୁର- ଅନୀଲ ବରୱା
ବଣାଇ- ଭୀମସେନ ଚୌଧୁରୀ
ଯଶୀପୁର- ଚକ୍ରଧର ହେମ୍ବ୍ରମ୍
ଉଦଳା- ଶ୍ରୀନାଥ ସୋରେନ୍
ବାରିପଦା- ସାନନ୍ଦ ମାରାଣ୍ଡି
ବଡ଼ସାହି- ଅନୁସୂୟା ପାତ୍ର
ସୋରୋ- ମାଧବ ଧଡ୍ଡା
ବୀରମହାରାଜପୁର- ପଦ୍ମନାଭ ବେହେରା
ଆସ୍କା- ମଞ୍ଜୁଳା ସ୍ୱାଇଁ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା- ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟ୍ଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ
ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ
ଭୁବନେଶ୍ୱର ଏକାମ୍ର- ଅଶୋକ ପଣ୍ଡା
ସୁନ୍ଦରଗଡ଼- ଯୋଗେଶ ସିଂହ
ମୋରଡ଼ା- ପ୍ରୀତିନନ୍ଦା କାନୁନଗୋ
ଖରିଆର- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ
ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ
ବ୍ରହ୍ମପୁର- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
ଲୋକସଭା ପ୍ରାର୍ଥୀ ତାଲିକା
ବଲାଙ୍ଗୀର- ସୁରେନ୍ଦ୍ର ସିଂହ ଭୋଇ
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ବରଗଡ଼- ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନୁର୍ଜୟ ସିଦ୍ଧୁ