ଭୁବନେଶ୍ୱର: ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ପଶିଛି ସିବିଆଇ । ଦିଲ୍ଲୀ ସିବିଆଇର ଏକ ୮ ଜଣିଆ ଟିମ୍ ଆଜି ସକାଳୁ ବିଷ୍ଣୁ ସେଠୀଙ୍କ ଘରେ ପଶି ରେଡ୍ ଚଳାଇଛନ୍ତି । ତେବେ ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ସିବିଆଇ ତାଙ୍କ ଘରେ ପଶିବାକୁ ବିରୋଧ କରିବାରୁ ବିଷ୍ଣୁ ସେଠୀଙ୍କ ସହ ସିବିଆଇ ଟିମ୍ ର ମୁହାଁମୁହିଁ ହୋଇଥିଲା । ଟିମ୍ ରେ ଥିବା ଦୁଇଜଣ ଇନସପେକ୍ଟର ପାହ୍ୟାର ଅଧିକାରୀ ଏହି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ହଲାପଟା କରିବାକୁ ପଛାଇ ନ ଥିଲେ । ସେଠାରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଦିଲ୍ଲୀରୁ ଆସିଥିବା ସିବିଆଇର ଏକ ୮ ଜଣିଆ ଟିମ୍ ଆଜି ସକାଳ ପ୍ରାୟ ୭ଟାରେ ଆସି ପହଞ୍ଚିଥିଲେ ବିଷ୍ଣୁ ସେଠୀଙ୍କ ଫରେଷ୍ଟ ପାର୍କସ୍ଥିତ ସରକାରୀ ବାସଭବନରେ । ସେମାନେ କବାଟ ବାଡ଼େଇ ସିଧା ଘରେ ପଶିଥିଲେ ଏବଂ ତଲାସୀ ଆରମ୍ଭ କରିଥିଲେ । ତେବେ ତାଙ୍କ ବିରୋଧରେ ବିନା ଏତଲାରେ ଏବଂ ଘରେ ପତ୍ନୀ ଏବଂ ଝିଅ ଥିବା ବେଳେ ବିନା ମହିଳା ଅଧିକାରୀଙ୍କ ଉପସ୍ଥିତିରେ ସିବିଆଇ ଟିମ୍ ଘରେ ପଶିବାକୁ ସେ ବିରୋଧ କରିଥିଲେ । ପତ୍ନୀ ଏବଂ ଝିଅଙ୍କୁ ଧରି ବାହାରକୁ ପଳାଇ ଆସିଥିଲେ । ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁହଁ ଖୋଲି ନିଜକୁ ନିଦେ୍ର୍ଦାଷ ଦାବି କରିବା ସହ ତାଙ୍କ ଘରେ ସିବିଆଇର ଅବୈଧ ପ୍ରବେଶକୁ ବିରୋଧ କରିଥିଲେ ।
ଶ୍ରୀ ସେଠୀ ଗଣମାଧ୍ୟମ ଆଗରେ ବୟାନ ଦେଉଥିବା ବେଳେ ସିବିଆଇ ଟିମ୍ ରେ ସାମିଲ ଦୁଇ ଜଣ ଇନସପ୍ଟେର ପାହ୍ୟାର ଅଧିକାରୀ ତାଙ୍କୁ ନାଲି ଆଖି ଦେଖାଇ ପାଟି ଚୁପ୍ କରାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଶ୍ରୀ ସେଠୀ ପ୍ରତିବାଦ କରିବାରୁ ଜଣେ ଅଧିକାରୀଙ୍କ ତାଙ୍କୁ ଘର ଭିତରକୁ ଭିଡ଼ି ନେଉଥିବା ବେଳେ ଅନ୍ୟ ଜଣେ ଅଧିକାରୀ ତାଙ୍କ କାନ୍ଧରେ ହାତ ପକାଇ ଦୁର୍ବ୍ୟବହାର କରିଥିଲେ । ଏହି ଦୃଶ୍ୟକୁ ଦେଖି ହତବାକ୍ ହୋଇଯାଇଥିବା ବିଷ୍ଣୁ ସେଠୀଙ୍କ ପତ୍ନୀ ତାଙ୍କ ପଛେ ପଛେ ଘରକୁ ଯାଇଥିଲେ ।
ସୂଚନାଯୋଗ୍ୟ, ରାଷ୍ଟ୍ରୀୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍’ ର ଗ୍ରୁପ୍ ଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀ ସିବିଆଇ ଜାଲରେ ପଡ଼ିଛନ୍ତି । ଜାନୁଆରୀ ଦ୍ୱିତୀୟ ସପ୍ତାହରେ ସିବିଆଇରେ ହାଜର ପାଇଁ ତାଙ୍କୁ ଦୁଇଥର ସମନ ପଠାଯାଇଥିଲା । ବିଷ୍ଣୁପଦଙ୍କ ଅଫିସ କାରବାରର ତଥ୍ୟ ହାସଲ ପାଇଁ ତାଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା ମଧ୍ୟ କରିଥିଲା ।
ଡିସେମ୍ବର ୭ ରାତିରେ ସିବିଆଇର ୬ ଜଣିଆ ଟିମ୍ ମେ ଫେୟାର ହୋଟେଲ ଓ ଆଖପାଖରୁ ଚଞ୍ଚଲ ମୁଖାର୍ଜୀ, ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ର ଏବଂ ଅନ୍ୟତମ ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ତଥା ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଉଠାଇ ନେବା ପରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ଲାଞ୍ଚ କାରବାର ଘଟଣା ପଦାକୁ ଆସିଥିଲା । ଦେବଦତ୍ତଙ୍କ କାରରୁ ଜବତ ୧୦ ଲକ୍ଷ ଟଙ୍କା ଏକ ଟେଣ୍ଡର କାମ ହାତେଇବା ପାଇଁ ଲାଞ୍ଚ ଟଙ୍କା ଥିଲା ବୋଲି କୁହାଗଲା । ସେମାନଙ୍କୁ ପଚରାଉଚୁରା ବେଳେ ଆଇଏଏସ୍ ବିଷ୍ଣୁ ସେଠୀଙ୍କ ଲିଙ୍କ୍ ସିବିଆଇ ଜାଣିବାକୁ ପାଇଥିଲା ।
ସେତେବେଳେ ରାଜ୍ୟ ସରକାରଙ୍କ ଏସସି/ଏସଟି ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଥିବା ଶ୍ରୀ ସେଠୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଥିଲା । ତାଙ୍କ ବିଭାଗ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ୨୦୨୪ ଅକ୍ଟୋବର ୧୯ ତାରିଖରେ ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ ରୁଫ୍, ୱପକୋସ୍, ଏନବିସିସି ଓ ସିଇଏଲ୍ ସଂସ୍ଥା ମୁଖ୍ୟଙ୍କୁ ସେ ଚିଠି ଲେଖିଥିଲେ । ତେବେ ରାଜ୍ୟ ସରକାରଙ୍କ ସଂସ୍ଥାକୁ କାମ ନ ଦେଇ ରାଷ୍ଟ୍ରାୟତ୍ତ ସଂସ୍ଥାକୁ କାମ ଦେବା ପାଇଁ ତାଙ୍କର ଆଗ୍ରହ ସିବିଆଇ ସନ୍ଦେହ ଘେରକୁ ଆସିଥିଲା ।
ଏହି କେନ୍ଦ୍ରୀୟ ସଂସ୍ଥାଠାରୁ ସବଲେଟ୍ ସୂତ୍ରରେ କାର୍ଯ୍ୟ ପାଉଥିଲେ ଆଦିତ୍ୟ ଦେବ ଇନଫ୍ରା ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ । ବ୍ରିଜ୍ ଆଣ୍ଡ ରୁଫ୍ ଜିଜିଏମ୍ ଙ୍କ ସମେତ ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କୁ ସିବିଆଇ ଗିରଫ କଲା ପରେ ବିଷ୍ଣୁପଦ ସେଠୀ ସନ୍ଦେହରୁ ମୁକୁଳି ପାରି ନ ଥିଲେ । ଉପରୋକ୍ତ ଦୁଇ ସଂସ୍ଥାକୁ ଆଖିରେ ରଖି ସେ କୋଟି କୋଟି ଟଙ୍କାର କାମ କେନ୍ଦ୍ରୀୟ ସଂସ୍ଥାକୁ ଦେଉଥିବା ସିବିଆଇ ସନ୍ଦେହ କରିଥିଲା । ତେବେ ମାସାଧିକ କାଳ ସିବିଆଇ ଚୁପ୍ ରହିଯିବାରୁ ଏହି ମାମଲା ଉପରୁ ସମସ୍ତଙ୍କ ନଜର ହଟିଯାଇଥିଲା ।