ଭୁବନେଶ୍ୱର: ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ ରେ ପ୍ରବଳ ଉତ୍ତେଜନା । ରବିବାର ରାତିରେ ଏହି ଦ୍ୱିତୀୟ ବର୍ଷର ଇଂଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ କିଟ୍ କ୍ୟାମ୍ପସ୍ ରେ ଖଣ୍ଡପ୍ରଳୟ ହୋଇଥିଲା । ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଏକାଠି ହୋଇ ପ୍ରବଳ ଭଙ୍ଗାରୁଜା କରିଥିଲେ । ପରିସ୍ଥିତି ନିୟନ୍ତ୍ରଣ ନ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିଥିଲେ । ଅପରାହ୍ନରେ କର୍ତ୍ତୃପକ୍ଷ ନିଷ୍ପତ୍ତି ପ୍ରତ୍ୟାହାର କରି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଫେରି ଆସିବାକୁ ଅପିଲ୍ କରିଥିଲେ ।
ରବିବାର ରାତିରେ ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ନେପାଳର ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମ୍ ରେ ଆତ୍ମହତ୍ୟା କରିଥିଲେ । ତାଙ୍କର ପୁରୁଷ ବନ୍ଧୁଙ୍କ ଦ୍ୱାରା ଧୋକ୍କା ଖାଇ ଫ୍ୟାନ୍ ରେ ଝୁଲି ପଡ଼ିଥିବା ଜଣାପଡ଼ିଥିଲା । ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ଏହି ଖବର ଦେଇଥିଲେ । ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରବଳ ଗାଳିମନ୍ଦ କରିବା ସହ କ୍ୟାମ୍ପସ୍ ରେ ଭଙ୍ଗାରୁଜା କରିଥିଲେ ଏବଂ ରାସ୍ତା ଉପରକୁ ଆସି ଅବରୋଧ କରିଥିଲେ । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।
ସକାଳ ପର୍ଯ୍ୟନ୍ତ ଏଭଳି ଅଶାନ୍ତ ଲାଗି ରହିଥିଲା ଏବଂ ଛାତ୍ରଛାତ୍ରୀମାନେ ସେମାନଙ୍କ ଜିଦ୍ ରୁ ହଟି ନ ଥିଲେ । ଫଳରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ନେପାଳୀ ଛାତ୍ରଛାତ୍ରୀଙ୍କୁ ଜୋରଜବରଦସ୍ତ ଏକ ବସ୍ ରେ କଟକ ନିଆଯାଇ ରେଳଷ୍ଟେସନ୍ ରେ ଛଡ଼ାଯାଇଥିବା ଅଭିଯୋଗ ହୋଇଛି ।
ତେବେ ଅପରାହ୍ନରେ କର୍ତ୍ତୃପକ୍ଷ ସାଇନ୍-ଏ-ଡାଇ କୁ ପ୍ରତ୍ୟାହାର କରିନେଇଥିଲେ ଏବଂ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ଫେରି କ୍ଲାସ୍ ରେ ଯୋଗଦେବାକୁ ଅପିଲ୍ କରିଥିଲେ । ଏହି ମର୍ମରେ ସଂଧ୍ୟାରେ ପୁନର୍ବାର ଏକ ନୋଟିସ୍ ଜାରି କରି ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍ ଫେରି ଆସି ସେମାନଙ୍କ ପାଠପଢ଼ାରେ ମନୋନିବେଶ କରିବାକୁ ଅନୁରୋଧ କରାଯାଇଥିଲା । ଏଡାକୁ ଦୁର୍ଭାଗ୍ୟଜନକ ଓ ଅପ୍ରତ୍ୟାଶିତ ଘଟଣା କହି ମୃତ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଯତ୍ନ ନିଆଯିବ ବୋଲି କୁହାଯାଇଛି ।
କିଟ୍ ଘଟଣାକୁ ନେଇ ନେପାଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ନୂଆଦିଲ୍ଲୀରେ ଥିବା ନେପାଳ ଦୂତାବାସର ଦୁଇଜଣ ଅଧିକାରୀଙ୍କୁ କିଟ୍ ଘଟଣା ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି । କିଟ୍ ହଷ୍ଟେଲରେ ରହିବା ହେଉ କିମ୍ବା ନେପାଳ ଫେରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ସହଯୋଗ କରାଯିବ ବୋଲି ସେ କହିଛନ୍ତି ।
ଏପଟେ ଓଡ଼ିଶା ସରକାର ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।
ଇତିମଧ୍ୟରେ ଧୋକାବାଜ୍ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ମୋ÷ର ଆଦଭିକ୍ ଶ୍ରୀବାସ୍ତବ(୨୧)କୁ ଇନଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।






