ଭୁବନେଶ୍ୱର: ସାତଖଣ୍ଡ ରାମାୟଣ ସରିଲା ପରେ ସୀତା ମହିଳା କି ପୁରୁଷ ଜାଣି ନ ପାରିବା ଯାହା ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାମଲାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତାହା । ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରଘୁବରଙ୍କ ପୁଅ ଲଳିତ ମାଡ଼ ମାରିବା ଏବଂ ପୁଲିସଠାରୁ ନ୍ୟାୟ ମାଗି ବୈକୁଣ୍ଠଙ୍କ ପତ୍ନୀ ଘରୁ ଗୋଡ଼ କାଡ଼ିବା ଘଟଣା ବିଜେପି ସରକାରଙ୍କ ଓଡ଼ିଆ ଅସ୍ମିତା ଉପରେ ପାହାର ପକାଇଥିବା ବେଳେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର ସମସ୍ତଙ୍କୁ ଚକିତ କରିଛି ।
ବିଜେଡି ବିଧାୟକ ପ୍ରତାପ ଦେବଙ୍କର ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ମାଡ଼ ଓ ନିର୍ଯ୍ୟାତନା ନେଇ ଏ ଯାଏଁ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ । କେବଳ ଗୋଟିଏ ଅନଲାଇନ୍ ଅଭିଯୋଗ ସିସିଟିଏନଏସ ପୋର୍ଟାଲରେ ହୋଇଛି ଏବଂ ତାହାର ତଦନ୍ତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏଠାରେ ସୂଚନା ଥାଉକି, ୨୦୨୪ ଜୁଲାଇ ୭ ରାତିରେ ରଘୁବରଙ୍କ ପୁଅ ଲଳିତ ଦାସଙ୍କଠାରୁ ମାଡ଼ ଖାଇଥିବା ବୈକୁଣ୍ଠ ପ୍ରଧାନ ତତକ୍ଷଣାତ୍ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ପରଦିନ ତାଙ୍କ ପତ୍ନୀ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ । ପୁଲିସ ପ୍ରଥମେ ଏତଲା ରଖୁ ନ ଥିଲା । ମାତ୍ର ରାଜ୍ୟ ସଚିବାଳୟ ସଂଘର ହସ୍ତକ୍ଷେପରେ ପୁଲିସ ଏତଲାକୁ ଥାନାରେ ରେଜିଷ୍ଟ୍ରି କରିଥିଲା। ଅଭିଯୋଗକାରିଣୀ ବୈକୁଣ୍ଠଙ୍କ ପତ୍ନୀ ସାୟୋଜୀ ନିଜେ ଗଣମାଧ୍ୟମକୁ ଏହା ଜଣାଇଥିଲେ ।
ଜୁଲାଇ ୧୩ ତାରିଖରେ ତତ୍କାଳୀନ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ରାଜ୍ୟପାଳ ଶ୍ରୀ ଦାସ, ପୀଡ଼ିତ ବୈକୁଣ୍ଠ ଓ ତାଙ୍କ ପରିବାରଙ୍କ ସହ ରାଜଭବନରେ ଆଲୋଚନା କରିଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜେ ରଘୁବର ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୃଷ୍ଟିକୁ ବି ମାମଲା ଅଣାଯାଇଥିଲା ଏବଂ ସେ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ ।
ପରବର୍ତ୍ତୀ ସମୟରେ ପୁଲିସର ନିରବତାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ନିଶାନା କରିଥିଲେ । ବିଧାନସଭାରେ ଏହାକୁ ନେଇ ଝଡ଼ ବୋହିବା ପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ । ପୁରୀ ଜିଲ୍ଲାପାଳ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ ଏବଂ ଏହି ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।
ଏସବୁ ସତ୍ତ୍ୱେ ନା ପୁରୀ ଜିଲ୍ଲାପାଳଙ୍କ ରିପୋର୍ଟ ଆସିଲା ନା ବୈକୁଣ୍ଠଙ୍କୁ ନ୍ୟାୟ ମିଳିଲା । ଗତ ଶନିବାର ଦିନ ବୈକୁଣ୍ଠଙ୍କ ପତ୍ନୀ ରାଜଭବନ ଆସି ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ବମପତିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ । ମାତ୍ର ତାଙ୍କୁ ସେ ସୁଯୋଗ ନ ମିଳିବାରୁ ସେ ନିରାଶ ହୋଇ ଫେରିଥିଲେ । ସ୍ୱାମୀ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢ଼େଇ କରିବେ ବୋଲି ଘୋଷଣା କରିଥିଲେ ।
ତେବେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର ଆସିବା ପରେ ବୈକୁଣ୍ଠ କିମ୍ବା ତାଙ୍କ ପତ୍ନୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।







