ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ବହିଗୁଡ଼ିକରେ ହଜାରେ ଭୁଲ୍ ହେଲେ ବି ଏବେ ବଦଳିବାର ନାହିଁ । ପିଲାମାନେ ତାଙ୍କୁ ସଂଶୋଧନ କରି ପଢ଼ିବେ । ବଡ଼ ପିଲା ନିଜେ ସୁଧାରି ପାଠ ପଢ଼ିବେ । ଛୋଟ ପିଲାଙ୍କୁ ଶିକ୍ଷକ ସଂଶୋଧନ କରି ପଢ଼ାଇବେ । ପିଲାଙ୍କୁ ମୂର୍ଖ ବନାଇ ସାରା ରାଜ୍ୟବାସୀଙ୍କୁ ପରିହାସ କଲା ଭଳି ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ ।
ବିଭାଗର ନିଷ୍ପତ୍ତିକୁ ଏସସିଇଆରଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ଆଜି ଗଣମାଧ୍ୟମରେ ପ୍ରାଞ୍ଜଳ ବୁଝାଇ ଦେଇଛନ୍ତି ।
‘ଏବର୍ଷ ପିଲାମାନଙ୍କୁ ସଂଶୋଧିତ ପୁସ୍ତକ ମିଳିବ ନାହିଁ । କାରଣ ନୂଆ ପାଠ୍ୟକ୍ରମ ଅନୁସାରେ ବହି ଛପା ହୋଇ ପିଲାଙ୍କ ପାଖରେ ପହଞ୍ଚିସାରିଛି । ଯାହା ତ୍ରୁଟି ରହିଛି ତାହା ଶିକ୍ଷକମାନଙ୍କୁ ଜଣାଇ ଦିଆଯାଇଛି । ଶିକ୍ଷକମାନେ ସେସବୁକୁ ତ୍ରୁଟିକୁ ସଂଶୋଧନ କରି ପିଲାଙ୍କୁ ନିର୍ଭୁଲ୍ ପାଠ ପଢ଼ାଇବେ । ଏ ନେଇ ଜିଲ୍ଲା ଡିଓମାନଙ୍କୁ ଚିଠି କରାଯାଇଛି । ଛୋଟ ପିଲାଙ୍କ ବହିରେ ଶିକ୍ଷକମାନେ ସଂଶୋଧନ କରିବେ । ବଡ଼ ପିଲା ଶିକ୍ଷକଙ୍କ ସାହାଯ୍ୟରେ ବହିରେ ନିଜେ ତ୍ରୁଟି ସଂଶୋଧନ କରିବେ । ଏଥର ଭୁଲ୍ ହୋଇଯାଇଛି । କିନ୍ତୁ ଆସନ୍ତାବର୍ଷ ୨୦୨୭-୨୮ ସଂସ୍କରଣରେ ବହିଗୁଡ଼ିକ ନିର୍ଭୁଲ୍ ଭାବରେ ପ୍ରକାଶିତ ହେବ ।’
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟିକୁ ଗଣଶିକ୍ଷା ବିଭାଗ କେମିତି ଖାମଖିଆଲ ଢ଼ଙ୍ଗରେ ନେଉଛି ଏହା ତାର ଜ୍ୱଳନ୍ତ ଉଦାହରଣ । ପିଲାସବୁ ମୂର୍ଖ ହୁଅନ୍ତୁ ପଛେ ବିଭାଗର ପରବାଏ ନାହିଁ । ଆଭିମୁଖ୍ୟ ହେଉଛି- ଆମେ ଭୁଲ୍ କରିବୁ, ସଂଶୋଧନ କରିପାରିବୁନୁ । ତୁରନ୍ତ ତ୍ରୁଟି ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ନିର୍ଦ୍ଦେଶ ଦେବା ସତ୍ତ୍ୱେ ଏବର୍ଷ ବହି ସଂଶୋଧନ କରି ପିଲାଙ୍କୁ ଦେବାକୁ ଗଣଶିକ୍ଷା ବିଭାଗ ହାତ ଟେକି ଦେବା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।
ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ କୁଆଡ଼େ ଭୀଷଣ ବିରକ୍ତ ହୋଇଥିଲେ । ନବରଙ୍ଗପୁର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଡି ହୋଇଥିଲେ । ପରେ ସେହି ନବରଙ୍ଗପୁରରେ ଏକ ସାମ୍ବାଦିକ କରି ପିଲାଙ୍କ ପାଠ୍ୟପୁସ୍ତକରେ ୧୬୭୮ ତ୍ରୁଟିକୁ ସାମାନ୍ୟ ବୋଲି ଗଣଶିକ୍ଷାମନ୍ତ୍ରୀ କହିଥିଲେ । ଯାହା ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କଲା ଭଳି ହୋଇଛି । ମନ୍ତ୍ରୀଙ୍କର ଏହି ବୟାନ ଲୋକଙ୍କ ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଦେଇଛି ।
ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଏକ ତିନିଜଣିଆ କମିଟି ଗଠନ ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା । ଆଜି ସେହି କମିଟି ଘୋଷଣା ହୋଇଛି । ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଶ୍ରୀମତୀ ସ୍ମିତା ପାଣି ଏହାର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି । ଏହି କମିଟି ମୁଦ୍ରଣ ଜନିତ ତ୍ରୁଟିର ତଦନ୍ତ କରି ଏହା କେଉଁ ସ୍ତରରେ ହୋଇଛି ଏବଂ କେଉଁ ଅଧିକାରୀ ବା ସଂସ୍ଥାମାନେ ଦାୟୀ ତାହା ନିର୍ଣ୍ଣୟ କରିବେ । ୭ ଦିନ ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରି ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।
ଇତିମଧ୍ୟରେ ଏକ ସାଂଘାତିକ ସୂଚନା ଆମର ହସ୍ତଗତ ହୋଇଛି । ପିଲାଙ୍କ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଏକାଧିକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ସେଥିରେ ଅନାମଧ୍ୟେୟ ସଂସ୍ଥା ବେଶୀ ଥିଲେ । ସୁପାରିଶ ଭିତ୍ତିରେ ସେମାନେ କାମ ହାତେଇଥିଲେ । ଦାୟିତ୍ୱରେ ଥିବା ଆଇଏଏସ୍ ଅଫିସର ଏହି କାମ ବାଣ୍ଟିଥିଲେ । କମିଟି ଏହା ଉପରେ ଖୋଳତାଡ଼ କଲେ ସବୁ ସତ୍ୟ ପଦାକୁ ଆସିପାରନ୍ତା ।