ଭୁବନେଶ୍ୱର: ବିଜେଡିରୁ ତଡ଼ା ଖାଇଥିବା ଚିଟଫଣ୍ଡ ଅଭିଯୁକ୍ତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ କୋଳେଇ ନେଇଛି ବିଜେପି । ରବିବାର ଦିନ ଦଳୀୟ କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ବିଜେଡି ପାଇଁ ଶକ୍ତ ଧକ୍କା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବିଜେପିକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭାତ ବିଶ୍ୱାଳଙ୍କୁ ଜଣେ ଦକ୍ଷ ସଂଗଠକ ଭାବେ ଅଭିହିତ କରିବା ସହ ବିଜେପିରେ ତାଙ୍କର ଯୋଗଦାନ ଉପକୂଳ ଓଡ଼ିଶାରେ ଦଳକୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି ।
ସୂଚନାଥାଉକି, ବିଶୃଙ୍ଖଳିତ ଆଚରଣ ତଥା ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତ ଫେବ୍ରୁଆରୀ ୨୮ରେ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଥିଲେ ।
୨୦୦୪ ମସିହାରେ କଟକ ସଦର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଥମ ଥର ବିଧାୟକ ହୋଇଥିଲେ ପ୍ରଭାତ ବିଶ୍ୱାଳ । ଏହାପରେ ସେ ବିଜେଡିରେ ଯୋଗଦେଇ ୨୦୦୯ ଏବଂ ୨୦୧୪ରେ କଟକ-ଚୌଦ୍ୱାର ଆସନରୁ ବିଧାୟକ ହୋଇଥିଲେ । ବିଧାୟକ ଥିଲା ବେଳେ ସିସୋର ଚିଟଫଣ୍ଡ କେଳେଙ୍କାରୀରେ ତାଙ୍କ ନାଁ ଆସିଥିଲା । ୨୦୧୭ ମସିହାରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ପ୍ରଭାତଙ୍କର ଚିଟଫଣ୍ଡ କେଳେଙ୍କାରିକୁ ନେଇ ବିଜେପି ସେତେବେଳେ ପ୍ରବଳ ତୁମ୍ବିତୋଫାନ କରିଥିଲା । ତାଙ୍କୁ ଚିଟଫଣ୍ଡ ଚୋର କହି ସାରା ରାଜ୍ୟ କମ୍ପାଇଥିଲା ।
ସିବିଆଇ ମାମଲାରେ ପଡ଼ିଥିବା ଏହି ଚିଟଫଣ୍ଡ ଅଭିଯୁକ୍ତ ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ । ତେବେ ନବୀନଙ୍କ ପାଖରେ ନେହୁରା ହୋଇ ତାଙ୍କ ପୁଅ ସୋ÷ଭିକଙ୍କ ପାଇଁ ୨୦୧୯ରେ ଟିକେଟ ନେବାରେ ସକ୍ଷମ ହୋଇଥିଲେ । ୨୦୨୪ରେ ମଧ୍ୟ ସେୟା ହୋଇଥିଲା । ନବୀନଙ୍କ ଦୟାରେ ଦୁଇଥର ବିଧାୟକ ହୋଇଥିବା ପୁଅ ସୌଭିକ ବିଶ୍ୱାଳ ଗତ ରାଜ୍ୟସଭା ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ କ୍ରସଭୋଟିଂ କରି ବିଜେଡିରୁ ନିଲମ୍ବିତ ହୋଇଛନ୍ତି ।
ତେବେ ବିଜେଡି ଟିକେଟରେ ଜିତିଥିବା ସୌଭିକଙ୍କୁ ଆଜି ତାଙ୍କ ବାପାଙ୍କ ବିଜେପି ମିଶ୍ରଣ ବେଳେ ଯୋଗାଡ଼ିଆ ଭୂମିକାରେ ଦେଖିବାକୁ ମିଳିଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ବାପାଙ୍କ ମିଶ୍ରଣ ପର୍ବକୁ ସଫଳ କରାଇବାକୁ ଚେଷ୍ଟା କରିଥିଲେ । ଯାହା ତାଙ୍କର ସଭ୍ୟପଦ ଉପରେ ବିପଦ ସୃଷ୍ଟି କରିଛି ।
ବିଜେଡିର କଟାକ୍ଷ
ଚିଟଫଣ୍ଡ ଅଭିଯୁକ୍ତ ପ୍ରଭାତଙ୍କୁ ପାର୍ଟିରେ ସାମିଲ କରିବାକୁ ନେଇ ବିଜେଡି କଟାକ୍ଷ କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ହେବା ପରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। ଗତ କିଛି ମାସ ତଳେ ତାଙ୍କର ବିଶୃଙ୍ଖଳା ଆଚରଣ ଯୋଗୁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଥିଲା। ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବିଜେପି ଗତ ନିର୍ବାଚନ ବେଳେ କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅଠର ମାସ ଭିତରେ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ, ଟଙ୍କା ଫେରାଇବା କଥା ଦୂରେ ଥାଉ, ଏବେ ଜଣେ ଚିଟଫଣ୍ଡ ଅଭିଯୁକ୍ତ ନେତାଙ୍କୁ ନିଜ ଦଳରେ ସାମିଲ କରୁଛନ୍ତି। ଏହା ଓଡିଶାର ଅଗଣିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପ୍ରତି ଉପହାସ। ଏହା ବିଜେପିର ନୈତିକ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି।