ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର ଚର୍ଚ୍ଚା ଥମି ନ ଥିଲା ବେଳେ ଓଡ଼ିଶା କ୍ୟାଡରର ଆଇପିଏସ୍ ପ୍ରୋବେସନର ସି.ଏ ରାମଦାସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଚାକିରି ଆରମ୍ଭ ନ କରୁଣୁ ୩୩ ବର୍ଷୀୟ ଏହି ଯୁବ ଆଇପିଏସ୍ ଙ୍କ ଚାକିରି ପ୍ରତି ଅନିଚ୍ଛା ଭାବ ସମସ୍ତଙ୍କୁ ଚକିତ କରିଛି ।
ଗତବର୍ଷ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାମଦାସ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀରେ ଟ୍ରେନିଂ ନେଉଛନ୍ତି । ମହାରାଷ୍ଟ୍ର ବାସିନ୍ଦା ଏହି ଯୁବ ଆଇପିଏସଙ୍କୁ ନିକଟରେ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଥିଲା । ତାଙ୍କର ଟ୍ରେନିଂ ସରି ନ ଥିବାରୁ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଚାକିରି ଆରମ୍ଭ କରିନାହାନ୍ତି । ତେବେ ନିୟମାନୁଯାୟୀ ସେ ତାଙ୍କର ଇସ୍ତଫାପତ୍ର ଓଡ଼ିଶା ପୁଲିସ ଡିଜି ଓ ଗୃହ ବିଭାଗକୁ ପଠାଇଛନ୍ତି । ଓଡ଼ିଶା ସରକାର ତାଙ୍କର ଇସ୍ତଫାପତ୍ରକୁ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗକୁ ପଠାଇବେ । ସେଠାରୁ ଅନୁମତି ମିଳିଲା ପରେ ଯାଇ ରାମଦାସ ତାଙ୍କ ପଦରୁ ଅନ୍ତର ହେବେ ।