ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ୍ୟପୁସ୍ତକରେ ହଜାର ତ୍ରୁଟି ପଛରେ ଗଭୀର ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବରୁ ଏହାକୁ ସେ ପ୍ରକାଶ କରିଥିଲେ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ସେତିକିରେ ଚୁପ୍ ପଡ଼ିନାହାନ୍ତି । ଏହି ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ ପାଇଁ ଆଜି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏତଲା ଦାଏର କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ପାଠ୍ୟପୁସ୍ତକ ତ୍ରୁଟିର କାରଣ ଅନୁସନ୍ଧାନ କରିବା ପାଇଁ ପୂର୍ବରୁ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଥିଲେ । କମିଟିର ରିପୋର୍ଟ ଅନୁଯାୟୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଏବଂ ତିନିଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ କୁମାର ସାହୁ ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଥିଲା । ଏଥିସହ ୬ ଜଣ ସହକାରୀ ନିର୍ଦ୍ଦେଶକ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
ପାଠ୍ୟପୁସ୍ତକ ତ୍ରୁଟିରେ ଗଭୀର ଷଡ଼ଯନ୍ତ୍ର ଥିବା ମୁଖ୍ୟମନ୍ତ୍ରୀଙ୍କର ହୃଦବୋଧ ହୋଇଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଦ୍ୱାରା ସରକାର ଭୀଷଣ ସମାଲୋଚନାର ଶିକାର ହୋଇଥିଲେ । ଭୁଲ୍ ପାଠ୍ୟପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲା ବେଳକୁ ମନ୍ତ୍ରୀ କିନ୍ତୁ ଓଲଟା କଥା କହିଥିଲେ । ଚଳିତ ଶିକ୍ଷାବର୍ଷରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଦଳିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ।
ପାଠ୍ୟପୁସ୍ତକ ତ୍ରୁଟିର ଅପରାଧିକ ଦିଗର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ କୁ ନିର୍ଦ୍ଦେଶ ଦେବା ଏବଂ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏତଲା ଦାଏର କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ପରେ ବଡ଼ବଡ଼ିଆ ମହଲରେ ଛନକା ପଶିଛି । ଏଥିରେ ସଂପୃକ୍ତ ବଡ଼ ମୁଣ୍ଡମାନେ ଗିରଫ ହେବା ସୁନିଶ୍ଚିତ ବୋଲି କୁହାଯାଉଛି ।