ଭୁବନେଶ୍ୱର: ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ଏହି ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରମାନଙ୍କଠାରୁ ୧,୪୪୮ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ନୂତନ ଓ ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହିପରି ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି।
ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲଓ ମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ବିଶେଷକରି ଏସଆଇଆର ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ।
ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ।