ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ବିଜେପି ହୀନ ପ୍ରୟାସ ଜାରି ରଖିଛି । ନିର୍ବାଚନ ପାଇଁ ଥିବା ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ପ୍ରକିୟାକୁ ବିଜେପି ସରକାର ହାଇଜାକ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଥିବା କରାଯାଉଥିବା ଅଭିଯୋଗ କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଡ଼ ବ୍ୟୋମକେଶ ରାୟ, ବିଧାୟକ ସାରଦା ପ୍ରସନ୍ନ ଜେନା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ବିଜେପି ସରକାର ଉପରେ ବର୍ଷିଛନ୍ତି ।
ଡ଼ ରାୟ କହିଥିଲେ, ବିଜେଡି ପକ୍ଷରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ୍ୟ ହୋଇଛି । ଛାତ୍ର ସଂସଦ ନିର୍ବାଚନକୁ ବିଜେପି ସପକ୍ଷରେ କରିବା ପାଇଁ ନିର୍ବାଚନ ନୀତି ନିୟମର ଧଜିଆ ଉଡ଼ାଇ ଦେଇଛନ୍ତି ରାଜ୍ୟ ସରକାର । କିପରି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହେବ, ସେନେଇ କାର୍ଯ୍ୟ କରୁଛି ବିଜେପି । ଲିଙ୍ଗଡୋ କମିଶନ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସରକାର । ରାଜ୍ୟର ୫୦ରୁ ଊଦ୍ଧ୍ୱର୍ କଲେଜରେ ବିଜେଡି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ଥିବାବେଳେ ସେଠାରେ ରାଜ୍ୟ ସରକାର ନିର୍ବାଚନ ବାତିଲ କରିବା ସହ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଛନ୍ତି । ବିଜେଡି ଶାସନ କାଳରେ ଏମିତି କେବେ ହୋଇନଥିଲା । ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ପ୍ରୟାସ କରୁଛି ବିଜେପି । ରାଜନୀତିର ପଶା ପାଲିରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରୁଛି ବିଜେପି ।
ଶ୍ରୀ ଜେନା କହିଥିଲେ, ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ପକ୍ଷପାତିତା କରୁଛନ୍ତି । ଯେଣତେଣ ପ୍ରକାରେ ନିଜ ସପକ୍ଷରେ ନିର୍ବାଚନ ଫଳାଫଳ କରିବା ପାଇଁ ଉଦ୍ୟମ କରୁଛି ବିଜେପି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ନାହିଁ, ସେଠାରେ ଉଦ୍ଦେଶ୍ୟ ମୂଳକ ଭାବେ ନିର୍ବାଚନ ବାତିଲ କରାଯାଉଛି । ରାଜ୍ୟର ୨୦୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେପିର ମନ୍ତ୍ରୀ ଓ ବିଧାୟକ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେଉଥିବା ବେଳେ ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇପ୍ସିତା ସାହୁ କହିଥିଲେ ଯେ ବିସିଜେଡି ପିଲା ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ କରିବାରେ ଲାଗିଛନ୍ତି । ରାଜ୍ୟର ୧୦୦ରୁ ଊଦ୍ଧ୍ୱର୍ କ୍ୟାମ୍ପସରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚାପ ସତ୍ତ୍ୱେ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ପ୍ୟାନେଲ ସହ ବିଜୟ ହୋଇଛନ୍ତି । ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିସିଜେଡିର ୪ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଇପ୍ସିତା ଦାବି କରିଛନ୍ତି ।
ତେବେ ବିଜେଡିର ସବୁ ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି ।