ଭୁବନେଶ୍ୱର: ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ଏହି ଛାମୁଆ ନିର୍ବାଚନକୁ ହାଇଜାକ୍ କରି ଫଳାଫଳ ନିଜ ସପକ୍ଷରେ ନେବାକୁ ଶାସକ ଦଳ ଉଦ୍ୟମ କରୁଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇ ଆସୁଛି । ଏହି କାର୍ଯ୍ୟରେ ମନ୍ତ୍ରୀ, ବିଧାୟକଙ୍କ ସମେତ ପୂରା ଶାସନ କଳ ଲାଗିଯାଇଥିବା ଅଭିଯୋଗରେ ବିଜେଡି ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ କରି ବର୍ଷୁଛି । ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଗୁଣ୍ଡାଙ୍କ ଜବରଦସ୍ତ ପ୍ରବେଶ ଏବଂ ପୁଲିସର ନିରବଦ୍ରଷ୍ଟାକୁ ନେଇ ସ୍ଥାନୀୟ ବିଧାୟକ ଡ. ଅରୁଣ ସାହୁଙ୍କ ପ୍ରତିବାଦର ଭିଡିଓ ଭାଇରାଲ୍ ହେବା ପରେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ତୀବ୍ର ରୂପ ନେଇଛି । ନୟାଗଡ଼ ଘଟଣା ଉପରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାର କଡ଼ା ଜବାବ ଦେଇଛନ୍ତି ଅରୁଣ ।
ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ୍ ଗତକାଲି ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି । କଲେଜ ନିର୍ବାଚନ ଚାଲିଛି । ଏଥିରେ ଗୁଣ୍ଡା ଓ ବାହାର ଲୋକମାନେ କାହିଁକି ପ୍ରବେଶ କରିଛନ୍ତି? ମହିଳା କଲେଜର ଗେଟ୍ ଭାଙ୍ଗି ଗୁଣ୍ଡାମାନେ ଭିତରକୁ କେମିତି ପଶିଲେ? ଆମ ଛାତ୍ରମାନଙ୍କୁ କାହିଁକି ଧମକ ଦିଆଯାଉଛି? ପୁଲିସ ବିଜୁ ଛାତ୍ର ଜନତା ଦଳକୁ କାହିଁକି ଡରୋଉଛନ୍ତି? କଲେଜ କର୍ତ୍ତୃପକ୍ଷମାନେ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତାମାନଙ୍କୁ କାହିଁକି ଧମକ ଦେଉଛନ୍ତି ବୋଲି ପ୍ରଶ୍ନ କରି ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି କହିଛନ୍ତି ।
ବିଜେପି ଉଦ୍ଦେଶ୍ୟରେ ସୁଜାତା କହିଛନ୍ତି, ଏଥିରେ ଆମର କଲେଜ କ୍ୟାମ୍ପସ୍ ର ଶାନ୍ତିପୂର୍ଣ୍ଣ ଆଉ ଶିକ୍ଷା ପରିବେଶକୁ ନଷ୍ଟ କରି ଦିଆଯାଉଛି । ଧମକଚମକ ଓ ଗୁଣ୍ଡାଗର୍ଦ୍ଦିରୁ ଆପଣ କ’ଣ ବାର୍ତ୍ତା ଦେଉଛନ୍ତି ଆମର ଛାତ୍ର ସମାଜକୁ? କ’ଣ ଶିକ୍ଷା ଦେଉଛନ୍ତି ଆମର ଭବିଷ୍ୟତ ପୀଢ଼ିକୁ? ବିଜେପି ସରକାରର ପ୍ରଥମ ଦାୟିତ୍ୱ ହେଲା ଆମର କଲେଜ କ୍ୟାମ୍ପସ୍ ରେ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା । ଯେଉଁଥିରେ ଆମ ପିଲାମାନେ ଭୟମୁକ୍ତ ହୋଇ ଶିକ୍ଷା ଗ୍ରହଣ କରିପାରିବେ । କଲେଜ କ୍ୟାମ୍ପସଗୁଡ଼ିକର ପରିବେଶ ନଷ୍ଟ କରି ଆମ ପିଲାମାନଙ୍କର ଭବିଷ୍ୟତ ସହ ଖେଳିବାର ଉଦ୍ୟମକୁ ବିଜୁ ଜନତା ଦଳ କଦାପି ବରଦାସ୍ତ କରିବ ନାହିଁ । ଛାତ୍ରମାନଙ୍କୁ ଏକ ସୁସ୍ଥ ନିର୍ବାଚନୀ ରାଜନୀତିରେ ଏବଂ ଖୁସି ଓ ଆନନ୍ଦର କ୍ୟାମ୍ପସ୍ ପାଇଁ ସୁଯୋଗ ଦିଆଯାଉ ବୋଲି ସେ ମତ ଦେଇଛନ୍ତି ।
ଜବାବରେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ସୁଜାତା ମାଡାମ୍ ଭଲ ପରାମର୍ଶ ଦେଇଛନ୍ତି । କିନ୍ତୁ ଥରେ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡକୁ କେତେ ଅଙ୍ଗୁଳି ଦେଖିବା ଦରକାର । ବିଜେପି କେଉଁଠିି ପ୍ରାର୍ଥୀ ଦେଇନାହିଁ । ବିଜେପିର କୌଣସି ଛାତ୍ର ସଂଗଠନ ନାହିଁ । ଅରୁଣ ସାହୁ ଜଣେ ବରିଷ୍ଠ ନେତା । କିନ୍ତୁ ସେ କଲେଜ ଗେଟ୍ ଆଗରେ ଚିତ୍କାର କରିବା ଶୋଭା ପାଉନାହିଁ । ଛାତ୍ର ବିଜେଡି ସଭାନେତ୍ରୀ ଇପସିତା ସାହୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ବୁଲୁଛନ୍ତି । ମୁକେଶ ପାଲ୍ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଅପହରଣ କରିଛନ୍ତି । ତେଣୁ କିଏ ରାଜନୀତି କରୁଛି ତାହା ମାଡାମ୍ ଜାଣୁଛନ୍ତି । ନିର୍ବାଚନ ପ୍ରକ୍ରିୟାରେ କେହି ବାଧା ସୃଷ୍ଟି କରନ୍ତୁ ନାହିଁ । କ୍ୟାମ୍ପସରେ ଶୃଙ୍ଖଳାର ନିର୍ବାଚନ ହବା ଆମେ ଚାହୁଁଛୁ ।
ସୂଚନାଥାଉକି, ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲେ ମଧ୍ୟ ଦଳେ ଅସାମାଜିକ ଯୁବକ କଲେଜ ଗେଟ୍ ଭାଙ୍ଗି ଭିତରକୁ ପଶିଥିଲେ । ତାହାପରେ କଲେଜକୁ ସାଇନ୍ ଡାଏ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପାଟିତୁଣ୍ଡ ଚାଲିଥିବା ବେଳେ ଖବର ପାଇ ବିଧାୟକ ଡ. ସାହୁ ସେଠାରେ ପହଞ୍ଚିଥିଲେ । ଅସାମାଜିକ ଯୁବକମାନଙ୍କର ମହିଳା କଲେଜ କ୍ୟାମ୍ପସ୍ କୁ ପ୍ରବେଶ ଏବଂ ପୁଲିସର ନିରବତାକୁ ସେ ପ୍ରଶ୍ନ କରିଥିଲେ । ଛାତ୍ରମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ସ୍ଥାନୀୟ ବିଧାୟକ ହିସାବରେ ତାଙ୍କର ଦାୟିତ୍ୱ ବୋଲି ସେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ।