ଭୁବନେଶ୍ୱର: ଭୋଟ ଦେବାର ଅଧିକାର ସୁରକ୍ଷା ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି (ସୋମବାର) ନୂଆଦିଲ୍ଲୀରେ ବଡ଼ ଆନ୍ଦୋଳନ କରିବାକୁ ଯାଉଛିି ଇଣ୍ଡି ମେଣ୍ଟ । ମେଣ୍ଟର ନେତାମାନେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଭେଟି ନିଜର ଦାବି ଓ ଉଦବେଗ ଜଣାଇବେ । ଏହି ଆନ୍ଦୋଳନରେ ସାମିଲ ହେବାକୁ ୧୦ଟି ରାଜ୍ୟର କଂଗ୍ରେସ ନେତାମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ନେତାମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରାୟ ୨୦୦ ନେତା ଦିଲ୍ଲୀ ଗସ୍ତରେ ସାମିଲ ହୋଇଛନ୍ତି । କାଲି ସକାଳ ସୁଦ୍ଧା ଏଆଇସିସି ଅଫିସରେ ସେମାନଙ୍କୁ ହାଜିରା ଦେବାକୁ ପଡ଼ିବ ।
ଦିଲ୍ଲୀ ଯାତ୍ରା କରିଥିବା ନେତାଙ୍କ ମଧ୍ୟରେ ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଗଣ ତଥା ପିସିସି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିବା ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି । ଆସନ୍ତାକାଲି ଇଣ୍ଡି ମେଣ୍ଟ ଆନ୍ଦୋଳନରେ ସାମିଲ ହୋଇ ଭୋଟ ଚୋରି ବିରୋଧରେ ଲଢ଼ିବୁ ବୋଲି ସେ କହିଛନ୍ତି ।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଏଆସିସିସିର ସାଧାରଣ ସମ୍ପାଦକ(ସଂଗଠନ) କେ.ସି ବେଣୁଗୋପାଳଙ୍କ ନିର୍ଦ୍ଦେଶକ୍ରମେ ଇଣ୍ଡି ମେଣ୍ଟ ଆନ୍ଦୋଳନରେ ସାମିଲ ହେବା ପାଇଁ ଆମେ ଦିଲ୍ଲୀ ଯାଉଛୁ । ଏହି ଆନ୍ଦୋଳନ ସାଧାରଣ ଜନତାର ଆନ୍ଦୋଳନ । ଭୋଟ ଚୋରି ଆଜି ପ୍ରମାଣିତ ହୋଇଛି । ଜ୍ଞାନେଶ କୁମାରଙ୍କ ଗିରଫ ଆମର ଦାବି । ଯେଉଁ ହକ୍ ପାଇଁ ଯୁବକ ଓ ଛାତ୍ରମାନେ ଲଢ଼େଇ କରୁଛନ୍ତି ଏହି ନିଷ୍ପତ୍ତିକୁ ନେଇ ଆମେ ସାରା ଦେଶ ଏକାଠି ହୋଇଛୁ ।
ଆଗକୁ ‘ଭୁବନେଶ୍ୱର ଚାଲ୍’
ଭୋଟ ଚୋରି ପ୍ରସଙ୍ଗ ଏବଂ ଦେଶର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିଛି । ଗତ ୮ ତାରିଖରେ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଆନ୍ଦୋଳନ ସଫଳ ହୋଇଥିବାରୁ କଂଗ୍ରେସ କର୍ମୀମାନଙ୍କର ମନୋବଳ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ଜନ୍ତରମନ୍ତର ଆନ୍ଦୋଳନ ଭଳି ଓଡ଼ିଶାରେ ‘ଭୁବନେଶ୍ୱର ଚାଲ୍’ ଆନ୍ଦୋଳନ କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଯୋଜନା ହୋଇଛି । ଖୁବ୍ ଶୀଘ୍ର ଏହି ଆନ୍ଦୋଳନ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଆଜି ସୂଚନା ଦେଇଛନ୍ତି ।
ଆସନ୍ତାକାଲଇ ଇଣ୍ଡି ମେଣ୍ଟ ଆନ୍ଦୋଳନରେ ଯୋଗଦେବାକୁ ଦିଲ୍ଲୀ ଯିବା ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ ଯେଉଁ ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧୀ ଲଢ଼ୁଛନ୍ତି ତାହା ସାରା ଦେଶବାସୀ ଦେଖୁଛନ୍ତି । ସେହି ଲଢ଼େଇରୁ ଓହରିବାର ନାହିଁ । ଗଣତନ୍ତ୍ରର ସୁରକ୍ଷା ନିଶ୍ଚିତ ହେବ । ଓଡ଼ିଶାରେ ‘ଭୁବନେଶ୍ୱର ଚାଲ୍’ ଆନ୍ଦୋଳନ ହେବ । ଏହା ଭୟଙ୍କର ହେବ ବୋଲି ପିସିସି ସଭାପତି ଚେତାବନୀ ଦେବା ସହ ପୁଲିସ ଏହାକୁ ରୋକି ପାରିବେନି ବୋଲି କହିଛନ୍ତି ।