ଭୁବନେଶ୍ୱର: ଓଡ଼ିଶାରେ ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ୯ ମାସରେ ବଢ଼ିଛି ୧୫% । ୨୦୨୫ରେ ଦଣ୍ଡବିଧାନ ହାର ୫୦% ଥିବା ବେଳେ ଚଳିତ ସେପ୍ଟେମ୍ବର ସୁଦ୍ଧା ଏହା ୬୫%ରେ ପହଞ୍ଚିଛି । ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଗତ ଅଢେଇ ବର୍ଷ ମଧ୍ୟରେ ଓଡିଶା ଭିଜିଲାନ୍ସ ପକ୍ଷରୁ ଜଣେ ଆଇ.ଏ.ଏସ୍, ୮ ଜଣ ମୁଖ୍ୟ ଯନ୍ତ୍ରୀ ପାହ୍ୟାର ଅଧିକାରୀ, ୨ ଜଣ ବିଭାଗୀୟ ବନ ଅଧିକାରୀ, ଅବକାରୀ ଏବଂ ଏସ୍.ଟି.ଏ ର ଯୁଗ୍ମ କମିଶନର, ୩ ଜଣ ଖଣି ଉପନିର୍ଦ୍ଦେଶକ, ୫ ଜଣ ତହସିଲଦାର, ୪ ଜଣ ବିଡିଓ ଏବଂ ଅନେକ ସରକାରୀ ପଦାଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୪୧ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ଏବଂ ୯୧ ଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି ।
ଦୁର୍ନୀତି ବିରୁଦ୍ଧରେ ତାଙ୍କ ସରକାର ଶୁନ୍ୟ ସହନଶୀଳତା ନୀତି, ଇଣ୍ଟେଲିଜେନ୍ସ ଆଧାରରେ ପଦ, କାର୍ଯ୍ୟକାଳ ନିର୍ବିଶେଷରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଦୁର୍ନୀତି ପାଇଁ ଗିରଫ ହୋଇଥିବା ଅଧିକାରୀଙ୍କ ଦଣ୍ଡ ବିଧାନ ଭଳି ତିନୋଟି ରଣକୌଶଳ ଆପଣାଇଛନ୍ତି। ଭିଜିଲାନ୍ସ ବିଭାଗ ଏହି ରଣକୌଶଳକୁ ନିର୍ଭିକତାର ସହିତ ଏବଂ ବୃତ୍ତିଗତ ଭାବେ କାର୍ଯ୍ୟକାରୀ କରୁଛନ୍ତି। ପୂର୍ବ ପରି ଶାସନ ଆଇଭରି ଟାୱାରରୁ ଚାଲୁ ନାହିଁ, ସରକାର ଲୋକଙ୍କ ପାଖକୁ ଯାଉଛନ୍ତି, ଲୋକଙ୍କ କଥା ଶୁଣୁଛନ୍ତି। ଜନଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ତାଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ଦୁର୍ନୀତି ବିଷୟରେ ଅବଗତ କରାଉଛନ୍ତି ଓ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ଭିଜିଲାନ୍ସ ଡିଭିଜନ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ ଭାବେ ଅନୁଗୋଳ ୟୁନିଟ, ଶ୍ରେଷ୍ଠ ଆଇ.ଓ ଭାବେ ମାଲକାନଗିରି ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣି, ଶ୍ରେଷ୍ଠ ମହିଳା ଆଇ.ଓ ଭାବେ ଭୁବନେଶ୍ୱର ଡିଭିଜନର ବୈଭବମାଳା ସ୍ୱାଇଁ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରୋସିକ୍ୟୁଟର ଭାବେ ଭୁବନେଶ୍ୱର ଭିଜିଲାନ୍ସ ସ୍ପେସାଲ ଜଜ୍ କୋର୍ଟର ସଲିଳ କୁମାର ପ୍ରଧାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସମସ୍ତ କର୍ମଚାରୀଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ ।