ଭୁବନେଶ୍ୱର: ଗଣତନ୍ତ୍ରର ହତ୍ୟାକାରୀ ମୋଦୀ ସରକାରକୁ ତଡ଼ିବା ପାଇଁ ପ୍ରକୃଷ୍ଟ ସମୟ ଉପନୀତ। ରାଜସ୍ଥାନ ପଂଚାୟତ ନିର୍ବାଚନ ଫଳାଫଳ ମୋଦୀ ସରକାରର ନିଦ ହଜାଇଦେଇଛି। ଗତ ତିନିଦିନ କାଳ ଓଡ଼ିଶାର ପୁରପଲ୍ଲୀରେ କଂଗ୍ରେସ କର୍ମୀ ଓ ନେତାମାନେ ସହସ୍ରାଧିକ ସଂଖ୍ୟାରେ ରାଲିମାନ କରି ଯେଭଳି ବାତାବରଣ ସୃଷ୍ଟି କରିଛନ୍ତି, ତାହା ବ୍ୟର୍ଥ ଯିବନାହିଁ। ଖୁବ୍ ଶୀଘ୍ର ଏହି ଜନବିରୋଧୀ ଡବଲ-ଇଂଜିନ ସରକାରର ପତନ ଅନିବାର୍ଯ୍ୟ ବୋଲି ଆଜି ଭୁବନେଶ୍ୱରରେ ଆୟୋଜିତ କଂଗ୍ରେସର ବିଶାଳ ସମ୍ବିଧାନ ରକ୍ଷା ରାଲିରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।
ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ଯୋଗଦେଇ ଏଆଇସିସିର ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ କହିଥିଲେ, ଅନ୍ୟମାନଙ୍କୁ କଥା କଥାକେ ଦେଶଦ୍ରୋହୀ କହୁଥିବା ବିଜେପି ପ୍ରକୃତରେ ଦେଶଦ୍ରୋହୀମାନଙ୍କର ଏକ ଦଳ। ଯୋଉମାନେ ନିଜ ଦେଶର ପତାକା, ଜାତୀୟ ସଂଗୀତ ଓ ମାମାଟିକୁ ସମ୍ମାନ ଦିଅନ୍ତିନି ସେମାନେ ହିଁ ପ୍ରକୃତ ଦେଶଦ୍ରୋହୀ ପଦବାଚ୍ୟ ବୋଲି ସେ କହିଥିଲେ। ମାତୃଭୂମିର ସ୍ବାଧୀନତା ଆନ୍ଦୋଳନରେ ସାମାନ୍ୟତମ ଭୂମିକା ନ ଥିବା, ଦେଶର ତ୍ରିରଙ୍ଗା ପତାକା ବଦଳରେ ନାଗପୁର ଆରଏସଏସ ମୁଖ୍ୟାଳୟରେ ଅନ୍ୟ ପତାକା ଲଗାଇବା, ‘ଜନଗଣମନ..’ ବଦଳରେ ‘ନମସ୍ତେ ସଦାବତ୍ସଳେ..’କୁ ଗାନ କରିବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଥିଲେ। ଏଭଳି ଦେଶଦ୍ରୋହୀମାନଙ୍କୁ ଅଧିକ କାଳ ଶାସନଗାଦିରେ ବରଦାସ୍ତ କରିବା ଉଚିତ ନୁହେଁ, ଏହି କଥାକୁ ଲୋକେ ବୁଝିଲେଣି।
ଅନ୍ୟମାନଙ୍କ ମଧ୍ୟରେ ଏଆଇସିସିର ଦୁଇ ଓଡ଼ିଶା ସହ-ପ୍ରଭାରୀ ଜେଟି କୁସୁମ କୁମାର ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଦୁଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ଶରତ ରାଉତ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ଏଆଇସିସିର ନୂଆ ସଂପାଦକ ଡ.ଦେବାଶିଷ ପଟ୍ଟନାୟକ, ପିସିସିର ଉପସଭାପତି ଡ.ବିଶ୍ବରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ସଗରିଆ, ସସ୍ମିତା ବେହରା, ପିସିସି ପ୍ରଶାସନିକ ଅଧିକାରୀ ସମୀର ରାଉତରାୟ, ଏନଏସୟୁଆଇ ରାଜ୍ୟ ସଭାପତି ବିଭୂତି ଭୂଷଣ ମହାପାତ୍ର, ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନର ଐତିହ୍ୟ ଓ ମହତ୍ତ୍ବ ଉପରେ ଆଲୋଚନା କରିଥିଲେ।