ଭୁବନେଶ୍ୱର: ସରକାରୀ ମାନ୍ୟତା, ପାରିଶ୍ରମିକ ବୃଦ୍ଧି ଓ ଅବସରକାଳୀନ ସୁବିଧା ସମେତ ୭ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା । ସେଥିଯୋଗୁଁ ରାଜ୍ୟରେ ଥିବା ୭୫ ହଜାରରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଛି । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ସେମାନଙ୍କର ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ମାର୍ଗଶିର ମାସ ପ୍ରଥମ ଗୁରୁବାର ଥିବାରୁ ରାସ୍ତାରେ ମାଣଓଷା ପୂଜା କରିଛନ୍ତି ଅଙ୍ଗନବାଡ଼ି ଦିଦି ଓ ସହାୟିକା । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିଲା ପର୍ଯ୍ୟନ୍ତ ଏଠୁ ଉଠିବୁନୁ ବୋଲି ସେମାନେ କହିଛନ୍ତି ।
ସଂଘର ଅଭିଯୋଗ ଅନୁଯାୟୀ, ୨୦୨୪ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାର ବିଳମ୍ବ କରୁଛନ୍ତି । ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଗାଁ ଗହଳିରେ ଶିଶୁଙ୍କ ପୁଷ୍ଟିସାଧନ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ଯତ୍ନ, ସ୍ୱାସ୍ଥ୍ୟ ସଚେତନତା ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ମାନ୍ୟତା ଓ ସୁବିଧା ମିଳୁନାହିଁ । ଏହା ସମ୍ପୂର୍ଣ୍ଣ ଅନ୍ୟାୟ ।
ଆନ୍ଦୋଳନରତ ଅଙ୍ଗନବାଡ଼ି ଦିଦିମାନଙ୍କ କହିବାନୁଯାୟୀ, ଆମର ହକ୍ ପାଇଁ ଆମେ ଏଠି ରାଜରାସ୍ତାରେ ବସିଛୁ । ୧୦ ହଜାର ଓ ୫ ହଜାର ଟଙ୍କାରେ ଆମର ପେଟ ପୂରୂନି । ଆଜି ମାଣଓଷା ଗୁରୁବାର । ଘରେ ରହିବା କଥା । କିନ୍ତୁ ଆମକୁ ସେତିକି କଷ୍ଟ ଲାଗିଛି ବୋଲି ରାଜରାସ୍ତାକୁ ଓହ୍ଲାଇଛୁ । ସରକାର ଆମର କୌଣସି ଦାବି ପୂରଣ କରୁନାହାନ୍ତି । ଅଙ୍ଗନବାଡ଼ି ଦିଦିକୁ ୩୦ ହଜାର ଦରମା ଓ ସହାୟିକାଙ୍କୁ ୧୫ ହଜାର ଦିଅନ୍ତୁ । ଗ୍ରାଚ୍ୟୁଇଟି, ପେନସନ ଦିଅନ୍ତୁ । ରିଟାୟର୍ଡ ବେନଫିଟ୍ ଦିଅନ୍ତୁ । ଯେ ପର୍ଯ୍ୟନ୍ତ ସରକାର ଆମର ଦାବି ନ ଶୁଣିଛନ୍ତି ସେ ପର୍ଯ୍ୟନ୍ତ ଆମେ ରାତିଦିନ ଏଠି ବସିବୁ ।