ଭୁବନେଶ୍ୱର: ସାମୟିକ ନିର୍ବାସନ ପରେ ମନ୍ତ୍ରୀପଦକୁ ଫେରିଥିବା ସୂର୍ଯ୍ୟନାରାୟଣ ପାତ୍ର ଓରଫ୍ ଆନ୍ନା ଏଥର ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । କେତେବେଳେ କ’ଣ କହୁଛନ୍ତି ଏବଂ କ’ଣ କରୁଛନ୍ତି ତାର ଥଳକୂଳ ନାହିଁ । ଦାମୋଦର ରାଉତଙ୍କ ଭଳି ଆଜିକାଲି ତାଙ୍କ ମୁଣ୍ଡ ଓ ତୁଣ୍ଡ ଲଗାମଛଡ଼ା ହୋଇଯାଇଥିବା ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ଜୀବନରେ ଆନ୍ନା ବେଶ୍ ରଙ୍ଗିଲା ଓ ସୌଖୀନ ହୋଇଥିବା ସମସ୍ତେ ଜାଣିଥିଲେ ମଧ୍ୟ ଏଥରର ମନ୍ତ୍ରୀପଦରେ ତାହା ଅଧିକ ଫୁଟି ବାହାରିଛି । ବିଭିନ୍ନ ଘଟଣାରେ ଆନ୍ନାଙ୍କର ଏଭଳି ଅବତାର ସରକାରଙ୍କୁ ଅଡୁଆରେ ପକାଇଲାଣି ।
ଖାଦ୍ୟ ଓ ଯୋଗାଣ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ପାଇଥିଲେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦନରେ ମନଧ୍ୟାନ ନ ଥିବା ତାଙ୍କ କାର୍ଯ୍ୟଶୈଳୀ କହୁଛି । ଅଭାବୀ ଧାନବିକ୍ରୀଠାରୁ ଆରମ୍ଭ କରି ପିଆଜ ଦରରେ ଅହେତୁକ ବୃଦ୍ଧି, ସମବାୟ ବିଭାଗରେ ୫୦ କୋଟି ଘୋଟାଲାରେ ତାଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିଲାଣି । ୩ ମାସରେ ପିଆଜର ଦର ୫ ଗୁଣା ବଢ଼ିବା ଉପରେ ଆଜି ଆନ୍ନାଙ୍କର ବେପରୁଆ ପ୍ରତିକ୍ରିୟା ଲାଜ ଲାଗିଲା ଭଳି । ମହାରାଷ୍ଟ୍ରରେ ବର୍ଷା ଓ ରାଜନୈତିକ ଅସ୍ଥିିରତା ଯୋଗୁଁ ଓଡ଼ିଶାରେ ପିଆଜ ଦର କୁଆଡ଼େ ଏମିତି ବଢ଼ିଯାଇଛି । ସେଠି ଶିବସେନା ଓ ବିଜେପି ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇଯାଉଥିବାରୁ ପିଆଜ ଆସିପାରୁନାହିଁ । ଯୋଗାଣ ବିଭାଗ ମନ୍ତ୍ରୀଙ୍କ ଏଭଳି ଜୋକରିଆ ମନ୍ତବ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତାକୁ ଅଙ୍ଗୁଳି ଉଠାଇଛି ।
ନିକଟରେ ପୁରୀ ବେଳାଭୂମିରେ ଭୋଜିଭାତ ପାର୍ଟି ଓ ଡିଜେ ଧୂମ୍ ରେ ମଜ୍ଜି ଯାଇଥିଲେ ଆନ୍ନା । ସମୁଦ୍ର ଲହରୀଠାରୁ ମାତ୍ର ୧୦ ମିଟର ଦୂର ବେଳାଭୂମିରେ ଆୟୋଜିତ ବନ୍ଧୁଙ୍କ ପାର୍ଟିରେ ମସଗୁଲ୍ ରହିଥିଲେ । ସିଆରଜେଡ଼୍ ଆଇନର ତାହା ଖୋଲା ଉଲ୍ଲଂଘନ କରୁଥିଲେ ମଧ୍ୟ ଅଭିଜ୍ଞ ଆନ୍ନାଙ୍କର ଖାତିର୍ ନ ଥିଲା । ବେଳାଭୂମିରେ ଭୋଜିଭାତ ଦୂର କଥା, ସେଠି ଡିଜେ ବାଜିବା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ମାତ୍ର ଆନ୍ନାଙ୍କୁ ତାହା କୁଆଡ଼େ ଜଣା ନ ଥିଲା । ଆଇନ ଉଲ୍ଲଂଘନ ହେଉଛି କି ନାହିଁ ତାହା ଆୟୋଜକ ବନ୍ଧୁଙ୍କ ଉପରକୁ ଠେଲି ଦେଇଥିଲେ । ମନ୍ତ୍ରୀଙ୍କର ବିତଣ୍ଡା ଜବାବ ସାଧାରଣଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରିଛି । ସାଧାରଣଲୋକଟିଏ ସିଆରଜେଡ଼ ଆଇନ ସମ୍ପର୍କରେ ଊଣା ଅଧିକେ ଜ୍ଞାନ ରଖୁଥିଲା ବେଳେ ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀ ହୋଇ ଜ୍ଞାନ ନ ରଖିବା ଏବଂ ଓଲଟି ତାକୁ ଗାଲୁରେ ଠେଲିବା ସମସ୍ତଙ୍କୁ ବିସ୍ମିତ କରିଛି ।
ସେହିଭଳି ଚିଟଫଣ୍ଡ ଟଙ୍କା ହଡ଼ପକୁ ନେଇ ରାଜ୍ୟ ସରକାର କାଠଗଡ଼ାରେ ଛିଡ଼ା ହୋଇଥିବା ବେଳେ ଆନ୍ନାଙ୍କର ସେଥିକୁ ପରବାଏ ନାହିଁ । ଜେଲ୍ ଫେରନ୍ତା ଚିଟଫଣ୍ଡ ଅଭିଯୁକ୍ତ ବିକାଶ ସ୍ୱାଇଁଙ୍କ ଖବରକାଗଜର ବାର୍ଷିକୋତ୍ସବରେ ଖାଲି ଯୋଗଦେଇ ନ ଥିଲେ ବରଂ ଷ୍ଟେଜ୍ ଉପରେ ବିକାଶଙ୍କ ସହ ଆତ୍ମୀୟତାର ଆଳାପ ଜମାଇ କାନ ପାଖେ ଫୁସୁରୁ ଫାସର ହେଉଥିଲେ । ନିକଟରେ ଜେଲ୍ ଫେରନ୍ତା ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡିୟମ୍ କୁ ଭିଭିଆଇପି ପାସ୍ ରେ ଯାଇ କ୍ରିକେଟ୍ ଦେଖିବା ଘଟଣା ସାରା ରାଜ୍ୟରେ ତୁମ୍ବିତୋଫାନ କରିଥିଲା । ସରକାର ଅଡୁଆରେ ପଡ଼ିଥିଲେ । ମାତ୍ର ଆନ୍ନା ଏହାକୁ ଖାତିର କରିନାହାନ୍ତି । ବିକାଶଙ୍କ ଋଣ ସୁଝିବା ପାଇଁ ଆନ୍ନା ଏହି ସୁଯୋଗ ହାତଛଡ଼ା କରି ନ ଥିଲେ ବୋଲି ଏବେ ଚର୍ଚ୍ଚା ଧରିଛି ।
ଆନ୍ନା କାମ କମ୍, କଥାରେ ଅଧିକ ଧ୍ୟାନ ଦେଉଥିବା ତାଙ୍କ ବିଭାଗରେ ଏବେ ଜୋର୍ ଚର୍ଚ୍ଚା । ନିକଟରେ ମନ୍ତ୍ରୀମଣ୍ଡଳରୁ ବିଦା ହୋଇଥିବା ତାଙ୍କର ପାରମ୍ପରିକ ଶତ୍ରୁ ଦାମୋଦର ରାଉତଙ୍କ ଦ୍ୱିତୀୟ ଅବତାର ଭାବେ ସେ ଅବତୀର୍ଣ୍ଣ ହୋଇଥିବା ବିଜେଡ଼ି ମହଲରେ ଆଲୋଚନା ହେଉଛି । କାରଣ ଦାମଙ୍କ ଭଳି ସେ ବିଭିନ୍ନ କଥାରେ ମୁଣ୍ଡ ଖେଳାଉଛନ୍ତି ଏବଂ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ଦାମଙ୍କ ପରେ ବିଜେପି ପାଇଁ ଏବେ ସୂର୍ଯ୍ୟଙ୍କ ବୟାନ ଖୋଜାପଡୁଛି । ବେଳକାଳ ଦେଖି ନିଜକୁ ନ ସଜାଡ଼ିଲେ ଦାମଙ୍କ ଅବସ୍ଥା ଭୋଗିବେ ବୋଲି ଜଣେ ଯୁବମନ୍ତ୍ରୀ କଟାକ୍ଷ କରିଛନ୍ତି ।