ଭୁବନେଶ୍ୱର: ‘ଟିମ୍ ନିରଞ୍ଜନ’ର ଅନ୍ୟତମ ସଦସ୍ୟ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରେ ‘କାଳି ଗାଈର ଭିନ୍ନ ଗୋଠ’ ବୋଲି କୁହାଯାଉଛି । ପୁରୁଣା ଶତ୍ରୁଙ୍କ ନେତୃତ୍ୱକୁ ସହ୍ୟ କରୁ ନ ଥିବା ଶ୍ରୀକାନ୍ତ ନୂଆ ଦାୟିତ୍ୱ ପାଉ ପାଉ ନିରଞ୍ଜନ ପଟ୍ଟନାୟକଙ୍କୁ ଲକ୍ଷ୍ୟ କରି ତୀର ମାରିଥିଲେ । କୁଆଡ଼େ ନିଜେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନରେ ବିଭୋର ହୋଇ ନିରଞ୍ଜନଙ୍କ ଚେର କାଟିବାକୁ ଗୋଟିଚାଳନା କରିଥିଲେ । ଇସ୍ତାହାର କମିଟି ଅଧ୍ୟକ୍ଷ ପାୱାରରେ କଂଗ୍ରେସ ଇସ୍ତାହାର ମୁଖବନ୍ଧ ଶୀର୍ଷକରେ ପିସିସି ଓ ଏଆଇସିସି ସଭ୍ୟଙ୍କୁ ଚିଠି ଲେଖି ଜାତିଆଣ କାର୍ଡ ଖେଳିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ ଓବିସି କିମ୍ବା ଓଏସଇବି ବର୍ଗରୁ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ । ସେହିଭଳି ଏସସି/ଏସଟି ବର୍ଗରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ରଖିଥିଲେ । ନିରଞ୍ଜନଙ୍କ ସମେତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ଓ ନବ ଦାସଙ୍କ ଚେର କାଟିବାକୁ ବୁଦ୍ଧି ଖଟାଇଥିଲେ ବୋଲି ଖୋଦ୍ କଂଗ୍ରେସ ମହଲରେ ସମାଲୋଚନା ହୋଇଥିଲା । ମେରୁଦଣ୍ଡ ଭାଙ୍ଗିଥିବା ଦଳକୁ ସଜାଡ଼ି ସଂଗଠିତ କରିବାର ଉଦ୍ୟମ ବଦଳରେ ଶ୍ରୀକାନ୍ତ ଦଳକୁ ବିଭାଜନ କରିବା ପାଇଁ କେଁ ପୂରାଉଥିବା କୁହାଗଲା । ନିଜ ଦଳ ଭିତରେ ଜାତିଆଣ ରାଜନୀତିର ଚାଲ୍ ଖେଳି ଚକ୍ରାନ୍ତକାରୀର ଆଖ୍ୟା ପାଇସାରିଥିବା ଶ୍ରୀକାନ୍ତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଡକୁ ଜାତିଆଣ ତୀର ଓଲଟାଇଛନ୍ତି ।
ଶ୍ରୀକାନ୍ତ ଜେନା ଲେଖିଛନ୍ତି, ‘ପ୍ରିୟ ମୁଖ୍ୟମନ୍ତ୍ରୀ! ସମାଜର ସବୁବର୍ଗ, ସବୁଶ୍ରେଣୀକୁ ନ୍ୟାୟ ପ୍ରଦାନ କରିବା ଶାସନର ‘‘ରାଜଧର୍ମ’’ । ଆପଣଙ୍କ ଦୀର୍ଘ ୧୮ ବର୍ଷ ଶାସନରେ ଏହି ‘ରାଜଧର୍ମ’କୁ କିପରି ପାଳନ କରାଯାଇଛି, ତାର ଏକ ସମ୍ୟକ ସମୀକ୍ଷା ଏଠାରେ ଲେଖୁଛି ।’ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମହୋଦୟ ଓଡ଼ିଶା ଜନଜୀବନର ପ୍ରକୃତ ଚିତ୍ର ସୁନ୍ଦର ଗ୍ରାଫିକ୍ସ ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି, ‘ଆପଣଙ୍କ ଶାସନ କାଳରେ ଓଡ଼ିଶା ଗରିବୀରେ ଦେଶର ଏକ ନମ୍ବର । ୪୦ ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ବେକାର । ବିକାଶର ସବୁ ମାପଦଣ୍ଡରେ ଓଡ଼ିଶା ଦେଶର ସବୁଠୁ ତଳେ । ଆପଣଙ୍କ ଶାସନକାଳରେ ୨ ଲକ୍ଷ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଖଣିଜ ସମ୍ପଦ ଲୁଟ୍ । ପୁଣି ପଚାରିଛନ୍ତି, (୧) ‘ମଣ୍ଡଳ କମିଶନ’ ରିପୋର୍ଟ ରାଜ୍ୟରେ ଆଜି ପର୍ଯ୍ୟନ୍ତ ଲାଗୁ ହେଲା ନାହିଁ କାହିଁକି ?(୨) ଆଦିବାସୀ ଓ ଦଳିତ ବର୍ଗଙ୍କୁ ୩୮.୫% ସଂରକ୍ଷଣ ବୈଷୟିକ ଶିକ୍ଷା କ୍ଷେତ୍ରରେ ଲାଗୁ ହୋଇ ନାହିଁ କାହିଁକି ?’
‘ସାମାଜିକ ନ୍ୟାୟ’ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀକୁ ଶ୍ରୀକାନ୍ତ ଜେନା ଜବର ଆଟାକ୍ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ତିର୍କୀଙ୍କ ଭଳି ଯୁବ ପ୍ରତିଭାକୁ ମୁଖ୍ୟମନ୍ତ୍ରୀ ଦ୍ୱିତୀୟବାର ସୁଯୋଗ ଦେଇନାହାନ୍ତି । ଦଳିତ ବର୍ଗର ଜଣେ ମାତ୍ର ପ୍ରତିନିଧି ଥିବା ବିଷ୍ଣୁ ଦାସଙ୍କୁ ଇସ୍ତଫା ଦେବାକୁ ପଡ଼ିଲା । ୯ ଜଣ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ୭ ଜଣ ସାଧାରଣ ବର୍ଗର, ଇତ୍ୟାଦି ଇତ୍ୟାଦି.. । ଏହି କାରଣରୁ ନବୀନଙ୍କ ବିରୋଧରେ ଅସନ୍ତୋଷର ଏକ ‘ବିଶାଳ ଝଡ଼’ ଆକାଶରେ ଉଙ୍କି ମାରିଲାଣି ବୋଲି ଶ୍ରୀକାନ୍ତ ଲେଖିଛନ୍ତି ।
ଗଡ଼ି ଗଡ଼ି ଶେଷକୁ ଉପମୁଖ୍ୟମନ୍ତ୍ରୀ ତତ୍ତ୍ୱକୁ ଆସିଛନ୍ତି ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ । ନବୀନଙ୍କ ମନ୍ତ୍ରୀସଭାର ଆଦିବାସୀ,ଦଳିତ ଓ ପଛୁଆ ବର୍ଗର ତିନିଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି । ଶେଷକୁ ଲେଖିଛନ୍ତି, ଏହି ପତ୍ର ଲୋକଲୋଚନ କୁ ଆସିଲେ ଆପଣଙ୍କ କିଛି ଅନ୍ଧ ସମର୍ଥକ ମତେ ଜାତିଆଣ ରାଜନୀତି କରୁଛି କହି ଗାଳିଗୁଲଜ କରିବେ । ତେବେ ପରିବର୍ତ୍ତନ କାହାକୁ ଅପେକ୍ଷା କରିବ ନାହିଁ ବୋଲି ଶ୍ରୀକାନ୍ତ ଲେଖିଛନ୍ତି ।






