ଭୁବନେଶ୍ୱର: ସୋନି ଟିଭିର ପ୍ରସାରଣ ଚୋରି ଅଭିଯୋଗରେ ଛନ୍ଦି ହୋଇଥିବା ଓରଟେଲ୍ କମ୍ପାନୀର ଆଉ ଏକ କାରାନାମା ପଦାକୁ ଆସିଛି । ଚାଇନାର ଶେଞ୍ଜହନ୍ ସ୍କାଏଓର୍ଥ ଟେକନୋଲୋଜି କୋ. ଲିମିଟେଡ଼ଠାରୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଖର୍ଦ୍ଦି କରି ତାକୁ ପଟି ମାରିଛି ଅରଟେଲ୍ କମ୍ପାନୀ । ଏଗ୍ରିମେଣ୍ଟ ମୁତାବକ ପ୍ରାପ୍ୟ ଦେଉ ନ ଥିବାରୁ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲକୁ ମାମଲା ଯାଇଛି । ଓରଟେଲ୍ କମ୍ପାନୀକୁ ଟ୍ରିବ୍ୟୁନାଲ୍ ନୋଟିସ୍ ଜାରି କରିଛି । ଯାହାର ଦସ୍ତାବିଜ ଲାଗିଛି ‘ମିଡ ଡେ ଓଡ଼ିଶା’ ହାତରେ ।
ମାମଲାରୁ ଜଣାପଡ଼ିଛି, ୨୦୧୪-୧୫ ଏବଂ ୨୦୧୫-୧୬ ବର୍ଷରେ ଶେଞ୍ଜହନ୍ ସ୍କାଏଓର୍ଥ ଟେକନୋଲୋଜି କମ୍ପାନୀଠାରୁ ଓରଟେଲ୍ କିଣିଥିଲା ଡିଜିଟାଲ୍ ସେଟ୍ ଟପ୍ ବକ୍ସ । ଯାହାର ମୂଲ୍ୟ ଥିଲା ୧୦,୪୫୬,୭୪୧ ଡଲାର । ଓରଟେଲ୍ କମ୍ପାନୀ ଆଡଭାନସ୍ ଆକାରରେ ୨,୨୦୦,୮୭୬ ଡଲାର ପୈଠ କରିଥିଲା ବେଳେ ପାର୍ଟ ପେମେଣ୍ଟ ହିସାବରେ ଦେଇଥିଲା ୨,୯୪୫,୬୪୧.୬୧ ଡଲାର । ଅବଶିଷ୍ଟ ବାଲାନସ୍ ପେମେଣ୍ଟ ଦେବାରେ ଓରଟେଲ୍ ଖିଲାପ କରିଥିଲା । ୨୦୧୭ ମାର୍ଚ୍ଚ ୩ ତାରିଖରେ ଶେଞ୍ଜହନ୍ ସ୍କାଏଓର୍ଥ ଏ ନେଇ ଓରଟେଲ୍ କମ୍ପାନୀକୁ ଏକ ଡିମାଣ୍ଡ ଲେଟର୍ ଦେଇଥିଲା । କମ୍ପାନୀ ନିର୍ଦ୍ଦେଶକ ବୈଜୟନ୍ତ ପଣ୍ଡା ଏବଂ ସିଇଓ ବିଭୂ ପ୍ରସାଦ ରଥଙ୍କ ଆଡ୍ରେସ୍ ରେ ଏହି ଡିମାଣ୍ଡ ଲେଟର ଇସ୍ୟୁ ହୋଇଥିଲା ।
ପରବର୍ତ୍ତୀ ସମୟରେ ଗତ ୨୦୧୭ ସେପ୍ଟେମ୍ବର ୩୧ ତାରିଖରେ ଓରଟେଲ୍ କମ୍ପାନୀ ଶେଞ୍ଜହନ୍ ସ୍କାଏଓର୍ଥ ସହିତ ଏକ ବୁଝାମଣା(ସେଟଲମେଣ୍ଟ ଏଗ୍ରିମେଣ୍ଟ) ସ୍ୱାକ୍ଷର କରିଥିଲା । ଓରଟେଲ୍ ପକ୍ଷରୁ ସେଥିରେ ଦସ୍ତଖତ କରିଥିଲେ ସିଇଓ ବିଭୂ ପ୍ରସାଦ ରଥ । ରାଜିନାମା ଅନୁଯାୟୀ, ଶେଞ୍ଜହନ୍ ସ୍କାଏଓର୍ଥ କମ୍ପାନୀର ପ୍ରାପ୍ୟ ୫,୮୯୮,୩୫୬.୬୧ ଡଲାର ସୁଧ ସହ ୩୧ ଟି କିସ୍ତିରେ ପରିଶୋଧ କରିବ ଓରଟେଲ୍ । କିସ୍ତି ପରିଶୋଧର ସମୟସୀମା ୩୦.୦୯.୨୦୧୭ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୦ ରେ ସରିବ । ଓରଟେଲ୍ କୌଣସି କିସ୍ତିର ଖିଲାପ କଲେ ସମୁଦାୟ ୫,୮୯୮,୩୫୬.୬୧ ଡଲାର ଅର୍ଥରାଶି ସହ ବାର୍ଷିକ ୬ ପ୍ରତିଶତ ସୁଧ ହାର ପୈଠ କରିବ ବୋଲି ସର୍ତ୍ତ ରହିଥିଲା ।
ତେବେ ପ୍ରଥମ କିସ୍ତିରୁ ହିଁ ଓରଟେଲ୍ ଖିଲାପୀ ହୋଇଥିଲା । ୩୦.୯.୨୦୧୭ ରେ ଧାର୍ଯ୍ୟ କିସ୍ତିକୁ ଓରଟେଲ୍ ପୈଠ କରି ନ ଥିଲା । ଫଳରେ ଚୁକ୍ତିନାମା ସର୍ତ୍ତ ମୁତାବକ ଓରଟେଲ୍ ଉପରେ ସମୁଦାୟ ଅର୍ଥରାଶି ପ୍ରାପ୍ୟ ହୋଇଥିଲା । ଇତିମଧ୍ୟରେ ଗତ ୨.୨.୨୦୧୮ ରେ ଓରଟେଲ୍ ମାତ୍ର ୫୭୯,୧୩୩ ଡଲାର ଅର୍ଥରାଶି ଶେଞ୍ଜହନ୍ ସ୍କାଏଓର୍ଥ କମ୍ପାନୀକୁ ପୈଠ କରିଥିଲା । ଅବଶିଷ୍ଟ ପ୍ରାପ୍ୟ ପୈଠ କଲା ନାହିଁ । ୨୦୧୮ ଏପ୍ରିଲ୍ ୧୦ ତାରିଖରେ ଓରଟେଲ୍ କୁ ପୁଣି ଏକ ଡିମାଣ୍ଡ ଲେଟର୍ ଜାରି ହୋଇଥିଲା । ସେଥିରେ ୫,୩୧୯,୨୨୩.୬୧ ଡଲାର(ବାଲାନ୍ସ ଡିଉ) ପୈଠ କରିବାକୁ କୁହାଗଲା । ମାତ୍ର ଓରଟେଲ୍ ସେଥିପ୍ରତି କର୍ଣ୍ଣାପାତ କଲା ନାହିଁ ।
ଓରଟେଲ୍ ଠାରୁ ଧୋକ୍କା ଖାଇ ଶେଞ୍ଜହନ୍ ସ୍କାଏଓର୍ଥ ଗତ ମେ ୭ ତାରିଖରେ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ ର ନୂଆଦିଲ୍ଲୀ ବେଞ୍ଚରେ ଏକ କେସ୍ ଫାଇଲ୍ କରିଛି । ସେଥିରେ କର୍ପୋରେଟ୍ ଡେବ୍ଟ ବାବଦକୁ ୫,୩୧୯,୨୨୩.୬୧ ଡଲାର ଏବଂ ସୁଧ ବାବଦ ୧୯୯,୮୯୯.୩୧ ଡଲାର ଏହିଭଳି ସମୁଦାୟ ୫,୫୧୨,୧୨୨.୯୨ ଡଲାର(୩୬.୭୭ କୋଟି) ଟଙ୍କା ଅରଟେଲ୍ ଠାରୁ ଦାବି କରିଛି ଶେଞ୍ଜହନ୍ ସ୍କାଏଓର୍ଥ ।
ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ ଓରଟେଲ୍ ସଂସ୍ଥା ଓ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଇତିମଧ୍ୟରେ ନୋଟିସ୍ ଜାରି କରିଛି । ଏହାର ଶୁଣାଣି ତାରିଖ ଏ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନି ।








Thank God, that scamster Baijayant Panda was removed from BJD. He is a disgrace to Odisha.
Even more proof that @Naveen_Odisha doesn’t tolerate scamsters & corrupt leaders. BJP can take Baijayant Panda though, as their only agenda is to win even at the cost of public welfare.