ଭୁବନେଶ୍ୱର: ଜୁଲାଇ ୧ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । କୌଣସି ପବ୍ଲିକ୍ ମିଟିଂରେ ତାଙ୍କ ପାଇଁ ଭାଷଣବାଜିର ଆୟୋଜନ ହେଉନି । ଭୁବନେଶ୍ୱରରେ ସାଂଗଠନିକ ସ୍ଥିତି ଉପରେ ଦିନ ତମାମ ଆଲୋଚନା କରି ଦିଲ୍ଲୀ ଫେରିଯିବେ । ଅମିତ୍ ଶାହାଙ୍କ ବୈଠକରେ ସବୁ ଜିଲ୍ଲା ସଭାପତି, ପ୍ରଭାରୀ, ରାଜ୍ୟ ପଦାଧିକାରୀ, କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ରହିବେ । ଆଗାମୀ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ତାଲିକା ଉପରେ ଅମିତ୍ ଶାହା ପ୍ରଥମ ଥର ପାଇଁ ବିଚାରବିମର୍ଷ କରିବେ ବୋଲି ଜଣାପଡ଼ିଛି ।
ଓଡ଼ିଶାରେ ‘ମିଶନ୍ ୧୨୦ ପ୍ଲସ୍’ ର ସଂକଳ୍ପ ନେଇଛନ୍ତି ଅମିତ୍ ଶାହା । ପୂର୍ବ ଭାରତରେ ଓଡ଼ିଶା ତାଙ୍କ ପାଇଁ କର ବା ମର ଚାଲେଂଜ ରଖିଛି । ଏଥର ଓଡ଼ିଶାରେ କ୍ଷମତା ଦଖଲର ସ୍ୱପ୍ନ ରଖିଥିବା ଶାହା ଦଳର ତୃଣମୂଳ ସାଂଗଠନିକ ସ୍ଥିତିକୁ ନେଇ ଚିନ୍ତିତ ଥିଲେ ମଧ୍ୟ ନିଜର ଗୋଟିଚାଳନା ଉପରେ ଦୃଢ଼ ଆଶା ରଖିଛନ୍ତି । ଗତବର୍ଷ ଜୁଲାଇ ମାସରେ ଦଳୀୟ ନେତାଙ୍କୁ ‘ମିଶନ୍ ୧୨୦’ ର ଟାକ୍ସ ଦେଇ ଯାଇଥିଲେ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପୂର୍ବ ଟାକ୍ସର ଅଗ୍ରଗତି ସମୀକ୍ଷା କରିଥିଲେ । ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଆସି ଭବାନୀପାଟଣା ଓ ବଲାଙ୍ଗୀରରେ ରୋଡ ସୋ, ପବ୍ଲିକ୍ ମିଟିଂ କରିଥିଲେ ।
ଓଡ଼ିଶାକୁ ଫୋକସ୍ ରେ ରଖିଥିବା ଅମିତ୍ ଶାହା କୌଣସି ସୁଯୋଗକୁ ହାତଛଡ଼ା ନ କରି ନବୀନ ପଟ୍ଟନାୟକଙ୍କୁ ଧରାଶାୟୀ କରିବା ଯୋଜନାରେ ଅଛନ୍ତି । ଏହି ଯୋଜନାରେ ସେ ଦଳୀୟ ପ୍ରାର୍ଥୀ ଚୟନକୁ ଗୁରୁତ୍ୱ ଦେଉଥିବା କୁହାଯାଉଛି । ଆଗାମୀ ଗସ୍ତରେ ଶାହା ଏହାର ପ୍ରାଥମିକ ରୂପରେଖ ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି ।
ଅମିତ୍ ଶାହାଙ୍କ ଗସ୍ତ ପରେ ପରେ ଜୁଲାଇ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରର ଶିଳାନ୍ୟାସ କରିବା ସହ ସେଠାରେ ପବ୍ଲିକ୍ ମିଟିଂରେ ଭାଷଣ ଦେବେ । ଦୁଇ ମୁଖିଆଙ୍କ ଓଡ଼ିଶାଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଛି ।