ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ୱର ଓ କଟକ ଅବସ୍ଥା ବେହାଲ୍ ହୋଇଯାଇଛି । ବର୍ଷାଜଳରେ ଉବୁଟୁବୁ ହେଉଛନ୍ତି ସହରବାସୀ । ଆଜି ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୁଇ ସହରର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ରାସ୍ତା ଉପରେ ଅଣ୍ଟେ ଉଚ୍ଚରେ ପାଣି ସୁଅ ଭାଙ୍ଗୁଥିବା ବେଳେ ତଳିଆ ଅଞ୍ଚଳର ଅଧିକାଂଶ ଘରେ ଆଣ୍ଠୁଏ ଉପରେ ପାଣି ଚାଲୁଥିଲା ।
ଭୁବନେଶ୍ୱର ଇସ୍କନ୍ ମନ୍ଦିର ସାମନା ୬ ନଂ ଜାତୀୟ ରାଜପଥ ଉପରେ ବନ୍ୟାଜଳ ଭଳି ପ୍ରଖର ସ୍ରୋତରେ ପାଣି ଚାଲୁଥିଲା । ମଟରସାଇକେଲ କି କାର୍ କଥା ଛାଡ଼ନ୍ତୁ, ସେଇ ରାସ୍ତାରେ ଯାଉଥିବା ବସ୍ ବି ପାଣିରେ ବୁଡ଼ିଯାଇଥିଲା । ଗୋଟିଏ ଘରୋଇ ବସ୍ ସେହି ରାସ୍ତାରେ ଦୀର୍ଘ ୨ ଘଣ୍ଟା ଧରି ଫସିଯାଇଥିଲା । ବସ୍ ଓ ଯାତ୍ରୀଙ୍କ ଉଦ୍ଧାର ପାଇଁ ଶେଷରେ ଓଡ୍ରାଫ୍ ଟିମ୍ ର ସହାୟତା ନିଆଯାଇଥିଲା । ଜୟଦେବବିହାର, ଆଚାର୍ଯ୍ୟବିହାର, ସାମନ୍ତରାପୁର, ନୂଆପଲ୍ଲୀ ବାରିକସାହି, ଲକ୍ଷ୍ମୀସାଗର, ରସୁଲଗଡ଼, ବମିଖାଲ, ସୈନିକ ସ୍କୁଲସ୍ଥିତ ଲକ୍ଷ୍ମୀବିହାର, ଗଜପତିନଗର ଆଦି ଅଞ୍ଚଳରେ ବି ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା । ବାରିକସାହି, ଆଚାର୍ଯ୍ୟବିହାର, ଲକ୍ଷ୍ମୀବିହାର, ଲକ୍ଷ୍ମୀସାଗର କେନାଲ୍ ଅଞ୍ଚଳ ଘରଗୁଡ଼ିକରେ ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶାରେ ପଡ଼ିଥିଲେ । ବେଡ଼ରୁମ୍ ଓ ରୋଷେଇ ଘରେ ଆଣ୍ଠୁଏ ଉଚ୍ଚରେ ବର୍ଷାପାଣି ବହୁ ସମୟ ଧର ଜମି ରହିଥିଲା ।

ବିଏମସି ପକ୍ଷରୁ ଉଦ୍ଧାରକାରୀ ଦଳ ପମ୍ପସେଟ୍ ଯୋଗେ ଘରୁ ପାଣି ନିଷ୍କାସନ କାମରେ ଲାଗିଥିଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀରେ ରହିଥିଲେ ରାଜଧାନୀବାସୀ । ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଗୁଡ଼ିକରେ ଆଜି ଉପସ୍ଥାନ କମ୍ ଦେଖିବାକୁ ମିଳିଥିଲା । ଦୁର୍ଦ୍ଦଶାଗ୍ରସ୍ତ ଲୋକମାନେ ଭୁବନେଶ୍ୱର ମେୟର ଓ ବିଭିନ୍ନ କର୍ପୋରେଟରଙ୍କୁ ଗାଳିମନ୍ଦ କରୁଥିଲେ । ବିଏମସିର ଉଦାସୀନତା ଯୋଗୁଁ ଆଜି ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେମାନଙ୍କ ଅଭିଯୋଗ ।
କଟକରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଥିଲା । ବିଭିନ୍ନ ସାହି ରାସ୍ତାରେ ବର୍ଷାର ବନ୍ୟା ସୃଷ୍ଟି ହୋଇଥିଲା । ରକ୍ସି ଲେନ୍, ରାଜା ବଗିଚା, ମେରିଆ ସାହି, ପଟାପୋଲ ଆଦି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଦହନୀୟ ଅବସ୍ଥା ସୃଷ୍ଟି କରିଥିଲା । କଟକ ମହାନଗର ନିଗମ ପକ୍ଷରୁ ୧୧୫ ରୁ ଉଦ୍ଧ୍ୱର୍ ପମ୍ପସେଟ୍ ଯୋଗେ ବର୍ଷାଜଳ ନିଷ୍କାସନ କରାଯାଇଥିଲା ।







