ଭୁବନେଶ୍ୱର: ନିଜକୁ ୪୦ ବର୍ଷର ଅଭିଜ୍ଞ ରାଜନେତା ବୋଲାଉଥିବା ଡାକ୍ତର ଦାମୋଦର ରାଉତଙ୍କଠାରୁ ଲୋକଙ୍କ ଆକର୍ଷଣ ତୁଟିଲାଣି । ଯେଉଁ ତୁଣ୍ଡରେ ସେ ଲୋକଙ୍କ ମନକୁ ଛୁଉୁଁଥିଲେ ସେହି ତୁଣ୍ଡ ତାଙ୍କ ପାଇଁ କାଳ ହୋଇଛି । ଜଣେ ବୟସ୍କ, ଅଭିଜ୍ଞ ନେତାଙ୍କଠାରୁ ଯାହା ଆଶା କରିବା କଥା ତାହା ଦାମଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ । ଓଲଟି ତାଙ୍କ ଆଚରଣ ଓ ଉଚ୍ଚାରଣ ଲୋକଙ୍କୁ ବିତୃଷ୍ଣା କରିଛି । ଏକଦମ୍ ଶସ୍ତା ହୋଇଯାଇଛନ୍ତି ଦାମ ।
ବୈଜୟନ୍ତ ପଣ୍ଡାଙ୍କ ଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଦାମଙ୍କ ଭାଷା, ଭାବଭଙ୍ଗୀ ବୁଦ୍ଧିଜୀବୀ ମହଲକୁ ଲଜ୍ଜିତ କରିଛି । ସେଦିନ(ଅଗଷ୍ଟ ୧୬) ମହାନ୍ ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କର ନିଧନ ହୋଇଥିଲା । ଶୋକାଭିଭୂତ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ମିଡ଼ିଆ ପର୍ଯ୍ୟନ୍ତ ସମସ୍ତେ ବାଜପେୟୀଙ୍କ ସ୍ମୃତିଚାରଣରେ ବ୍ୟସ୍ତ ଥିବା ବେଳେ ଦାମ ରାଉତଙ୍କ ପୂର୍ବ ରେକର୍ଡିଂ ସାକ୍ଷାତକାରଟି ଟିଭିରେ ବାଜିଥିଲା । ବାଜପେୟୀଙ୍କ ଭଳି ଦୀର୍ଘ ୫ ଦଶନ୍ଧୀର ସାଂସଦ, ତିନି ତିନି ଥରର ପ୍ରଧାନମନ୍ତ୍ରୀଙ୍କ ମହାନତା, ଶାଳୀନତା ଓ ସରଳତା ଶୁଣୁଥିବା ଅଧିକାଂଶ ଲୋକ ସେହି ସମୟରେ ଦାମଙ୍କ ତୁଣ୍ଡ ଶୁଣି ତାଙ୍କୁ ଛୋଟ ଭାବିଥିଲେ । ସମ୍ମାନ ବଦଳରେ ଘୃଣା ଭାବ ସୃଷ୍ଟି ହୋଇଥିଲା । କଥା କଥାକେ ନିଜକୁ ୪୦ ବର୍ଷର ଅଭିଜ୍ଞ ରାଜନେତା ଓ ସବଜାନତା ବୋଲାଉଥିବା ଦାମଙ୍କଠାରେ ବିଶୃଙ୍ଖଳିତ, ଅଶାଳୀନ ଓ ଔଦ୍ଧତ୍ୟ ଆଚରଣ ଲୋକେ ସ୍ପଷ୍ଟ ବାରୁଥିଲେ ।
ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କୁ ତୁ ତା କରି ତାଙ୍କ ପାଟିରୁ ଯାହା ଆସିଲା ବକିଥଲେ । ତାଙ୍କ ଚରିତ୍ର, ଶିକ୍ଷା ଓ ଆଚରଣକୁ ପ୍ରଶ୍ନ କରି ସେଭଳି ଲୋକ ରାଜନୀତିରେ କ’ଣ ରହନ୍ତି କି ବୋଲି ଦାମ ପ୍ରଶ୍ନ କରିଥିଲେ । ତାଙ୍କୁ ନବୀନ ପଟ୍ଟନାୟକ କେମିତି ସଭାପତି କରିଛନ୍ତି ବୋଲି ଚାଲେଂଜ କରିଥିଲେ । ସେହିଭଳି ପାରାଦ୍ୱୀପରେ ତାଙ୍କର କଂଗ୍ରେସ ପ୍ରତିଦ୍ୱନ୍ଦୀ ବାପି ସର୍ଖେଲଙ୍କୁ ଅପରାଧପ୍ରବଣ, ଚୋର, ଡକାଏତ ବୋଲି ଦାମ କହିଥିଲେ । ବାପି ସର୍ଖେଲ କ’ଣ ଗୋଟେ ମଣିଷ ବୋଲି କଟାକ୍ଷ କରିଥିଲେ । ରାଜନୀତିର ଉଦ୍ଧ୍ୱର୍କୁ ଯାଇ ବିଷ୍ଣୁ ଦାସ ଓ ବାପି ସର୍ଖେଲଙ୍କ ଚରିତ୍ର ସଂହାର କରିଥିଲେ ଦାମ ।
ଖାଲି ସେତିକି ନୁହେଁ, ନବୀନ ପଟ୍ଟନାୟକ ଦଳର ନେତା ବୋଲି କହିଲା ବେଳେ ବେଶ୍ ଛିଗୁଲେଇଥିଲେ ଦାମ । ତାଙ୍କ ଅଜାଣତରେ ପୁଅକୁ ବିଜେଡ଼ି ଡାକି ଦଳର ସମ୍ପାଦକ କରାଇବାକୁ ଦାମ ଚାଲେଂଜ କରିଥିଲେ । ଆଗରୁ ଭାବୁଥିଲି ମତେ ୭୬ ବର୍ଷ ହେଲାଣି, ତେଣୁ ଆଉ ନିର୍ବାଚନ ନଲଢ଼ି ପୁଅକୁ ରାଜନୀତିକୁ ଆଣିବି । ମାତ୍ର ବିଜେଡ଼ି ଯେଉଁ ଚାଲ୍ କରିଛି ତାକୁ କରାଇବାକୁ ଦେବିନି । ଅଲବତ୍ ମୁଁ ନିର୍ବାଚନ ଲଢ଼ିବି ବୋଲି ଦାମ କହିଥିଲେ ।
ଏହା ସ୍ପଷ୍ଟ ଯେ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିବା ଦାମ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି । ଆଗାମୀ ନିର୍ବାଚନରେ ତାର ବଦଲା ନେବେ ବୋଲି ପରୋକ୍ଷରେ ଜଣାଇଛନ୍ତି । ସେହି ରାଗରେ ସେ ନିଜର ହତାହିତ ଜ୍ଞାନ ଭୁଲି ଏଣୁତେଣୁ ଯାହା ପାଇଛନ୍ତି ଗପିଛନ୍ତି । ଅତି ଶସ୍ତା ଭାଷାରେ ସମସ୍ତଙ୍କୁ କଟାକ୍ଷ କରିଛନ୍ତି । ନିଜକୁ ସ୍ୱଚ୍ଛ ଓ ନୀତିବାନ୍ ଦେଖାଇ ୪୦ ବର୍ଷ ହେଲା କେବଳ ପ୍ରୀତିରେ ରାଜନୀତି କରୁଥିବା କହିଛନ୍ତି ।
ସାଧାରଣରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଦାମଙ୍କ ଏଭଳି ମନ୍ତବ୍ୟ ନୂଆ ନହେଲେ ମଧ୍ୟ ଏବେ ତାହା ମାତ୍ରାଧିକ ହୋଇଛି । ତାଙ୍କର ଆଚରଣ ଓ ଉଚ୍ଚାରଣ ଲକ୍ଷ୍ମଣରେଖା ଡେଇଁଗଲାଣି । ଏହା ତାଙ୍କୁ ଶସ୍ତା କରିଦେଲାଣି । ଖୋଦ୍ ବିଜେଡ଼ି ବି ତାଙ୍କ କଥାକୁ ଗୁରୁତ୍ୱ ଦେଉନି । ଜଣେ ବରିଷ୍ଠ ନେତାଙ୍କ ମତରେ, ଦାମବାବୁ ଅତି ନୀଚ୍ଚସ୍ତରକୁ ଚାଲିଗଲେଣି । କ୍ଷମତା ହରାଇବା ପରେ ନିଜର ବୁଦ୍ଧି ବିବେକ ହରାଇ ଦେଇଛନ୍ତି । ନିଜକୁ ସଚ୍ଚୋଟ ଦେଖାଉଥିବା ଦାମବାବୁ ଯେଉଁ ବିଭାଗର ମନ୍ତ୍ରୀ ହୋଇଛନ୍ତି ସେଠାରେ ଦୁର୍ନୀତିର ମାତ୍ରା ସର୍ବାଧିକ ବୋଲି ସେ ଦାବି କରିଛନ୍ତି । ଅବକାରୀ ମନ୍ତ୍ରୀ ବେଳେ ଦୁର୍ନୀତି ସବୁକୁ ଟପି ଯାଇଥିଲା ବୋଲି ସେ କହିଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା, ମନ୍ତ୍ରୀମଣ୍ଡଳରୁ ବାହାରିବା ପରେ ଦାମଙ୍କ ମୁହଁରୁ ନୀତି ଓ ନୈତିକତା ବାହାରୁଛି । ସରକାର ଓ ବିଜେଡ଼ି ବିରୋଧରେ ଆଜି ଯୋଉ କଥା କହୁଛନ୍ତି ମନ୍ତ୍ରୀପଦରେ ଥିଲା ବେଳେ କହୁ ନ ଥିଲେ କାହିଁକି ? ବିଜେଡ଼ି ସରକାର ଯଦି ଦୁର୍ନୀତିଗ୍ରସ୍ତ, ଚୋର ମାଫିଆଙ୍କ ରକ୍ଷା କର୍ତ୍ତା ତେବେ ସେ ସେହି ସରକାରରେ ବାରମ୍ବାର ମନ୍ତ୍ରୀ ରହି ସହୁଥିଲେ କେମିତି ? କ୍ଷମତା ଓ ସ୍ୱାଭିମାନ କେଉଁଟା ତାଙ୍କ ପାଇଁ ବଡ଼ ଥିଲା ? କ୍ଷମତା ଓ ସମ୍ପତ୍ତି ଆହରଣ ତାଙ୍କର ପ୍ରବୃତ୍ତି ନୁହଁ ବୋଲି ଦାମ ଛାତି ବାଡ଼େଇ କହିପାରିବେ ତ ?
ରାଜନୀତି ବାହାରେ ଦାମ ନିଜର ଭାଷାରେ ଶାଳୀନତା ନ ରଖିବା ଓ ଅନ୍ୟକୁ ଛୋଟ ଦୃଷ୍ଟିରେ ଦେଖିବାକୁ ଅନେକ ନାପସନ୍ଦ କରିଛନ୍ତି । ଏମିତି ଟିଭିରେ କହି ଲୋକଙ୍କ ସମବେଦନା ପାଇବାକୁ ବ୍ୟାକୁଳ ହୋଇପଡ଼ିଥିବା ଦାମଙ୍କ ପାଇଁ ତାହା ଏବେ ବୁମେରାଂ ହେଲାଣି । ମନ୍ତ୍ରୀ ପଦ ଚାଲିଯିବା ପରେ ଦାମବାବୁ ମାନସିକ ଭାରସାମ୍ୟ ହରାଇ ଦେଇଛନ୍ତି ବୋଲି ସାଧାରଣ ଲୋକ ବି କଟାକ୍ଷ କରୁଛନ୍ତି ।