ଭୁୁବନେଶ୍ୱର: ଶେଷରେ ଗିରଫ ହୋଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ର । ଦିଲ୍ଲୀ ପୁଲିସ ସହାୟତାରେ ଆଜି ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଛି । ଗିରଫ ପରେ ତାଙ୍କର ମେଡ଼ିକାଲ୍ ଟେଷ୍ଟ ପାଇଁ ନିଆଯାଇଥିଲା । ଏହାପରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯାଇଛି । କୋର୍ଟର ଅନୁମତିକ୍ରମେ ଓଡ଼ିଶା ପୁଲିସ ତାଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି ।
ଅଭିଜିତ୍ ଆୟାର ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟକୁ ପଦାଘାତ କରିଚାଲିଥିଲେ । ବର୍ଷେ ତଳୁ ତାଙ୍କର ଏହି ଓଡ଼ିଶା ବିରୋଧୀ ସ୍ୱଭାବ ଥିଲେ ମଧ୍ୟ ତାହା ଅନ୍ୟ କେହି ଜାଣି ନ ଥିଲେ । ଗତ ୧୫ ତାରିଖରେ ବୈଜୟନ୍ତ ପଣ୍ଡା ତାଙ୍କର ଏହି ବନ୍ଧୁକୁ ହେଲିକପ୍ଟରରେ ବସାଇ ଚିଲିକା, ପୁରୀ ଓ କୋଣାର୍କ ବୁଲାଇଥିଲେ । ଆକାଶରୁ ଓହ୍ଲାଇ କୋଣାର୍କ ମନ୍ଦିର ସାମନାରେ ନିଜର ଏକ ଭିଡ଼ିଓ ସୁଟିଂ କରିଥିଲେ ଆୟାର । ସେଥିରେ କୋଣାର୍କ ମନ୍ଦିରକୁ କୁତ୍ସିତ କରି ମନଇଚ୍ଛା ବକିଥିଲେ ଏବଂ ନିଜେ ତାହାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ। ଏହା ସେଦିନ ସାଧାରଣରେ ଚର୍ଚ୍ଚା ହେଲା । ଗଣମାଧ୍ୟମରେ ସମାଲୋଚିତ ହେଲା । ଶାସକ ଦଳ ପକ୍ଷରୁ ବିଧାନସଭାରେ ବି ନିନ୍ଦା କରାଗଲା ।
ତେବେ ଅଭିଜିତ୍ ଆୟାର ନିଜ ଭୁଲ୍ ବୁଝିବା ପରିବର୍ତ୍ତେ ତାଙ୍କ ଟୁଇଟର ରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କୁ ଅଧିକରୁ ଅଧିକ କୁତ୍ସାରଟନା ଚରି ଚାଲିଥିଲେ। ଓଡ଼ିଆମାନଙ୍କର ଦମ୍ କେତେ ବୋଲି କେତେବେଳେ ପଚାରିଲେ ତ ଓଡ଼ିଶା ବିଧାୟକମାନେ ବୁଦ୍ଦୁ ବୋଲି ଟିପ୍ପଣୀ ଦେଲେ। ଓଡ଼ିଆ ଗଣମାଧ୍ୟମକୁ ବେଶ୍ୟା ବୋଲି ମଧ୍ୟ ଟିପ୍ପଣୀ ଦେଲେ।
ଶେଷରେ ଓଡ଼ିଆଙ୍କର ଦମ୍ ବୁଝିଛନ୍ତି ଅଭିଜିତ୍ ଆୟାର । ରାଜ୍ୟବାସୀଙ୍କ ଭାବାବେଗକୁ ଆଘାତ ଦେଇ ଚାଲିଥିବା ଏଭଳି ଜଣେ ବିକୃତିଆ ଲୋକ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।