ଖୋର୍ଦ୍ଧା: ବେଗୁନିଆରେ ବିଜେଡ଼ି ଅର୍ନ୍ତକନ୍ଦଳ ବିସ୍ଫୋରଣ ସୃଷ୍ଟି କରିଛି । ବିଧାୟକଙ୍କ ବିରୋଧରେ ମେଳି ହିଂସାତ୍ମକ ରୂପ ନେଇଛି । ବିଧାୟକଙ୍କୁ ସାବାଡ଼ ଓ ଦମନ କରିବା ଅଭିଯାନରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିରୋଧୀ ଗୋଷ୍ଠୀ ମତେଇ ବେଗୁନିଆ ଥାନାରେ ତାଣ୍ଡବ ରଚାଇଛନ୍ତି । ଥାନାରେ ବ୍ୟାପକ ଭଙ୍ଗାରୁଜା ହେବା ସହ ପୁଲିସ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଜଣେ ଏଏସଆଇଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ଫଳରେ ଭୁବନେଶ୍ୱର-ନୟାଗଡ଼ ମୁଖ୍ୟ ରାସ୍ତାରେ ଦୀର୍ଘ ୪ ଘଣ୍ଟା ଧରି ଯାତାୟତ ବନ୍ଦ ହୋଇଯାଇଥିଲା । ପୁଲିସ ଏ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ।
ବେଗୁନିଆର ବାହୁବଳୀ ବିଧାୟକ ଭାବେ ପରିଚିତ ପ୍ରଶାନ୍ତ ଓରଫ୍ ଗଣେଶ ଜଗଦ୍ଦେବଙ୍କୁ ପାନେ ଦେବା ପାଇଁ ବିରୋଧୀଙ୍କ ଯୋଜନାକୁ ଦାନା ଯୋଗାଇଥିଲେ ନିଜେ ବିଧାୟକ । ବେଗୁନିଆ ସରପଞ୍ଚ କୁମୁଦିନୀ ସ୍ୱାଇଁଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ନବକିଶୋର(ଗୁନା) ସ୍ୱାଇଁଙ୍କୁ ବିଧାୟକଙ୍କ ଦୁର୍ବବ୍ୟବହାର ଓ ମାରଧର ଅଭିଯୋଗରୁ ଏହି କାଣ୍ଡ ସୃଷ୍ଟି ହୋଇଥିଲା । ଅଭିଯୋଗ ଅନୁଯାୟୀ, ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅଧିନରେ ବେଗୁନିଆରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କାମର ବିଲ୍ ପାସ୍ କୁ କେନ୍ଦ୍ର କରି ବିଧାୟକ ଓ ଗୁନାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ନିର୍ମାଣ ପାଇଁ ପଞ୍ଚାୟତରେ ରିଜୋଲ୍ୟୁସନ୍ ହୋଇ ନ ଥିଲା କି ସରପଞ୍ଚଙ୍କୁ ପଚରାଯାଇ ନ ଥିଲା ବୋଲି ଗୁନା ଅଭିଯୋଗ କରିଥିଲେ । ତେଣୁ ବିଲ୍ ରେ ସରପଞ୍ଚ ଦସ୍ତଖତ ପାଇଁ ଗୁନା ମନା କରିଥିଲେ । ଏହା ବିଧାୟକଙ୍କୁ ଉତକ୍ଷିପ୍ତ କରିଥିଲା ।
ଗତ ୨ ତାରିଖରେ ବିଡ଼ିଓ ଅଫିସରେ ବିଧାୟକ ପହଞ୍ଚି ସେଠାକୁ ଗୁନାଙ୍କୁ ଡକାଇଥିଲେ । ଗୁନା ପହଞ୍ଚିଲା ପରେ ବିଡ଼ିଓଙ୍କ ସମେତ ବ୍ଲକ୍ ର ସବୁ ଅଧିକାରୀଙ୍କ ଉପସ୍ଥିତିରେ ବିଧାୟକ ତାଙ୍କୁ ବିଲ୍ ରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ମାତ୍ର ଗୁନା ତାଙ୍କ ଜିଦ୍ ରେ ଅଟଳ ରହିବାରୁ ବିଧାୟକ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଦେବା ସହ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଗୁନା ଏ ସମ୍ପର୍କରେ ବେଗୁନିଆ ଥାନାରେ ଏତଲା ଦେଇଥିଲେ । ଇତିମଧ୍ୟରେ ଗୁନାଙ୍କ ମାନସିକ ଅବସାଦ ବଢ଼ିଯାଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ୧୦ ଦିନ ରହି ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ । ବିଧାୟକଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି ଥାନାକୁ ବାରମ୍ବାର ଦୌଡ଼ିଥିଲେ । ଗତ ୧୭ ତାରିଖରେ ବେଗୁନିଆ ବ୍ଲକ୍ ର କିଛି ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଭାବେ ଜଣାଇଥିଲେ । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ ।
ସେହି ଅନୁଯାୟୀ ଆଜି ଲୋକ ମେଳି ହୋଇଥିଲେ । ପ୍ରାୟ ୫ ହଜାର ପୁରୁଷ ଓ ମହିଳା ଏକାଠି ହୋଇ ଥାନା ଘେରାଉ କରିଥିଲେ । ସେମାନେ ଥାନା ଭିତରକୁ ଧସେଇ ପଶି ଚେୟାର,ଟେବୁଲ୍, ଆଲମାରି, କମ୍ପ୍ୟୁଟର କଚାଡ଼ି ଭାଙ୍ଗି ଦେଇଥିଲେ । ଏସଡ଼ିପିଓଙ୍କ ଗାଡ଼ି ଉପରକୁ ଢ଼େଲାମାଡ଼ କରିଥିଲେ । ଥାନାରେ ଡ୍ୟୁଟିରେ ଥିବା ଜଣେ ଏଏସଆଇଙ୍କୁ ନିର୍ଘାତ ପିଟିଥିଲେ । ଥାନାରେ ଏସବୁ କାଣ୍ଡ ସରିବା ପରେ ସେମାନେ ରାସ୍ତା ଅବରୋଧ କରି ବସିଥିଲେ ।
ସୂଚନା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ପ୍ରଚ୍ଛଦପଟରେ ଥିଲେ ଏଥର ବିଜେଡ଼ି ଟିକେଟରେ ଲଢ଼ିବାକୁ ଆଶା ରଖିଥିବା ପ୍ରଦୀପ ସାହୁ ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀ । ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଗୁନା ସ୍ୱାଇଁ ପ୍ରଦୀପ ସାହୁଙ୍କର ଜଣେ ସମର୍ଥକ ଭାବେ ଜଣାଶୁଣା । ସେ ଦୀର୍ଘ ୩୫ ବର୍ଷ ଧରି ସରପଞ୍ଚ ରହିଥିଲେ । ଗତଥର ପ୍ରଦୀପ ସାହୁ ଆମ ଓଡ଼ିଶା ପାର୍ଟିରୁ ପ୍ରାର୍ଥୀ ହୋଇଥିବା ବେଳେ ଗୁନା ତାଙ୍କର ମୁଖ୍ୟ କର୍ମୀ ଥିଲେ । ଆମ ଓଡ଼ିଶା ପାର୍ଟିର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ବିଜେଡ଼ିରେ ଯୋଗଦେଇ ରାଜ୍ୟସଭା ସାଂସଦ ହେଲା ପରେ ପ୍ରଦୀପ ବିଜେଡ଼ିକୁ ସମର୍ଥନ କରୁଛନ୍ତି । ସୌମ୍ୟଙ୍କ ପ୍ରତିଶ୍ରୁତିରେ ଏଥର ସେ ବିଜେଡ଼ି ଟିକେଟ ପାଇବାକୁ ଆଶା ରଖିଛନ୍ତି ।
ସେହିଭଳି ବେଗୁନିଆର ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ତାଙ୍କ ପୁଅକୁ ଏଠାରୁ ପ୍ରାର୍ଥୀ କରିବା ପାଇଁ କୁଆଡ଼େ ଲବି କରୁଛନ୍ତି । ତେଣୁ ବିଧାୟକ ଗଣେଶ ଜଗଦ୍ଦେବଙ୍କ ବିରୋଧରେ ପ୍ରଶାନ୍ତ ନନ୍ଦଙ୍କ ପୁଅ ଗୋଷ୍ଠୀ ବେଶ୍ ସକ୍ରିୟ ଅଛନ୍ତି । ଦୁଇ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ସୁଯୋଗ ଉଣ୍ଡି ବସିଥିବା ବେଳେ ଗୁନା ସ୍ୱାଇଁଙ୍କୁ ବିଧାୟକଙ୍କ ଆକ୍ରମଣ ଘଟଣା କୁଆଡ଼େ ସୁଯୋଗ ଆଣିଦେଇଥିଲା । ବିଧାୟକଙ୍କ ବିରୋଧରେ ଜନମତ ସୃଷ୍ଟି କରିବା ମୌକାରେ ଦୁଇପକ୍ଷ ହାତ ମିଳାଇ ଆଜିର କାଣ୍ଡ ଭିଆଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ବିଧାୟକଙ୍କ ଫାଜିଲାମି ଓ ଗୁଣ୍ଡାଗର୍ଦ୍ଦିକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ସମାଲୋଚନା କରିଛନ୍ତି ।