ଭୁବନେଶ୍ୱର: ରାଜ୍ୟ ବିଜେପିର ମହିଳା ଫେସ୍ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଏଥର ନିର୍ବାଚନରେ ଲଢ଼ିବାର ସୁଯୋଗ ମିଳିନି । ବାଲେଶ୍ୱର ଲୋକସଭା ଆସନ ତ ଯାଇଥିଲା । ଶେଷରେ ନୀଳଗିରି ଆସନଟି ବି ଚାଲିଗଲା । ବହୁ ପୂର୍ବରୁ ଶୁଣାଯାଉଥିଲା ପିପିଲି ଆସନରୁ ସେ ପ୍ରାର୍ଥୀ ହୋଇପାରନ୍ତି । ମାତ୍ର ସେହି ଆସନଟି ଆଶ୍ରିତ ପଟ୍ଟନାୟକ ନେଇସାରିଛନ୍ତି । ଆସନ ଭାଗବଣ୍ଟରା ସରିବାକୁ ବସିଥିବାରୁ ତାଙ୍କୁ ଆଉ କେଉଁ ଜାଗାରେ ଥଇଥାନ କରାଯିବାର ସମ୍ଭାବନା ନାହିଁ । ତେଣୁ ଲେଖାଶ୍ରୀଙ୍କୁ ଦଳର ମୁଖପାତ୍ର ଭାବେ ସନ୍ତୁଷ୍ଟ ରହିବାକୁ ପଡ଼ିବ ।
ନୀଳଗିରି ବିଧାନସଭା ଆସନକୁ ଲକ୍ଷ୍ୟରେ ରଖି ଡ. ଲେଖାଶ୍ରୀ ବିଜେପିରେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସାଂଗଠନିକ କାର୍ଯ୍ୟ ସହ ଲୋକସମ୍ପର୍କ ରଖିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ମଝିରେ ତାଙ୍କ ନାଁ ପିପିଲି ଆସନ ପାଇଁ ଚର୍ଚ୍ଚା ହୋଇଥିଲା । ପିପିଲି ଗଣଦୁଷ୍କର୍ମ ମାମଲାରେ ପ୍ରଦୀପ ମହାରଥୀଙ୍କୁ ହଲାପଟା କରି ସେ ଏହି ଚର୍ଚ୍ଚାକୁ ଆସିଥିଲେ । ତେବେ ପିପିଲିରେ ତାଙ୍କୁ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେବା ପରଠୁଁ ତାଙ୍କୁ ଆଉ ପିପିଲିରେ ଦେଖିବାକୁ ମିଳିଲା ନାହିଁ । ନୀଳଗିରିକୁ ସେ ସମ୍ପୂର୍ଣ୍ଣ ଫୋକସ୍ ରେ ରଖିଲେ । ତେବେ ଦଳର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ତାଙ୍କର ଏହି ମୂଳ ଆସନରେ ଲଢ଼ିବାକୁ ଆଗ୍ରହ ରଖିବା ପରେ ଲେଖାଶ୍ରୀଙ୍କୁ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ସେହି ଅନୁଯାୟୀ ଲେଖାଶ୍ରୀ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଥିବା ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀ ବୁଲି ଲୋକସମ୍ପର୍କ ବଢ଼ାଇଥିଲେ ଲେଖାଶ୍ରୀ ।
ମାତ୍ର ନିର୍ବାଚନ ପୂର୍ବରୁ ଲେଖାଶ୍ରୀଙ୍କ ପାଇଁ ସ୍ଥିତି ବିଗିଡ଼ିଗଲା । ବାଲେଶ୍ୱର ଲୋକସଭା ଆସନରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁନର୍ବାର ପ୍ରାର୍ଥୀ ଘୋଷଣା କରାଗଲା । ଶ୍ରୀ ଷଡ଼ଙ୍ଗୀ ଲୋକସଭା ଲଢ଼ିବାକୁ ଚାହୁଁ ନ ଥିଲେ ମଧ୍ୟ କାହିଁକି କରାଗଲା ତାହା ବିଜେପି ପରିବାରରେ କାହାରିକୁ ଅଛପା ନାହିଁ । ଶ୍ରୀ ଷଡ଼ଙ୍ଗୀ ବାଲେଶ୍ୱର ଯିବା ପରେ ଲେଖାଶ୍ରୀ ତାଙ୍କ ପ୍ରଥମ ପସନ୍ଦ ନୀଳଗିରିରୁ ଟିକେଟ ପାଇବା ପାଇଁ ନିଶ୍ଚିତ ହୋଇଯାଇଥିଲେ । ତେବେ ବିଜେପିରେ ସାମିଲ ହୋଇଥିବା ଅଞ୍ଚଳର ବିଜେଡ଼ି ବିଧାୟକ ସୁକାନ୍ତ ନାୟକ ଆଜି ଟିକେଟ୍ ନେଇଗଲା ପରେ ତାଙ୍କ ଆଶା ଧୂଳିସାତ୍ ହୋଇଛି ।
ଉତ୍ତର ଭୁବନେଶ୍ୱରରୁ ଦିଲ୍ଲୀପ ହତାଶ
ସେହିଭଳି ଉତ୍ତର ଭୁବନେଶ୍ୱର ଆସନରୁ ଦଳର ଟାଣୁଆ ନେତା ଦିଲ୍ଲୀପ ମହାନ୍ତି ଟିକେଟ ପାଇବାକୁ ଚାହିଁ ବସିଥିବା ବେଳେ ଦଳ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଓଲିଉଡ଼ ର ଏହି ଲୋକପ୍ରିୟ ତାରକା ଗତଥର କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ଲଢ଼ି ଶୋଚନୀୟ ଭାବେ ପରାଜିତ ହୋଇଥିଲେ । ସୁତରାଂ ଏକାମ୍ରରେ ଅମୀୟ ଦାଶଙ୍କ ଭଳି ଉତ୍ତରରେ ଦିଲ୍ଲୀପ ମହାନ୍ତିଙ୍କ ଅବସ୍ଥା ହୋଇଛି । ସେପଟେ ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଇଥିବା ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ ଆସନରୁ ପ୍ରାର୍ଥୀ କରାଯାଇଛି । ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ମୟୁରଭଞ୍ଜ ଲୋକସଭା ଆସନରୁ ଇଂ ବିଶେଶ୍ୱର ଟୁଡୁ ଏବଂ ଯାଜପୁର ଲୋକସଭା ଆସନରୁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଆଜି ଏହି ତିନୋଟି ଲୋକସଭା ଆସନ ସମେତ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।