ଭୁୁବନେଶ୍ୱର: ଲଗାତର ପଞ୍ଚମ ପାଳି କ୍ଷମତାକୁ ଆସିଥିବା ବିଜେଡ଼ିରେ ଏକପ୍ରକାର ସଙ୍ଗୀନ ଅବସ୍ଥା । ମୁଖିଆଙ୍କ ଟିମ୍ ୱାର୍କ ମନ୍ତ୍ର କାମ କରୁନି । ଦଳରେ ବରିଷ୍ଠ ନେତା ଓ କର୍ମୀମାନେ ଅଲୋଡ଼ା । କ୍ଷମତାଧାରୀ ହାତଗଣତି ନେତାଙ୍କୁ ଛାଡ଼ିଦେଲେ କାହା ମୁହଁରେ ହସ ନାହିଁ । ଉଭୟ ସରକାର ଓ ଦଳୀୟ ପରିଚାଳନାକୁ ନେଇ ଅଧିକାଂଶ କ୍ଷୁବ୍ଧ । ମୁଖିଆଙ୍କୁ ଜଣାଇବାର ସୁଯୋଗ ନ ଥିବାରୁ ମନରେ ଅସନ୍ତୋଷର ନିଆଁ କୁହୁଳୁଛି । ଆଗକୁ ଦଳ ପାଇଁ ଏହା ଭୟଙ୍କର ବିପଦ ସୃଷ୍ଟି କରିବାକୁ ଯାଉଥିବା ଅନେକ ନେତା ପୂର୍ବାନୁମାନ କରିଛନ୍ତି ।
ବିଜେଡ଼ିରେ ଏହି ସମସ୍ୟା ଯଦିଓ ନୂଆ ନୁହେଁ, ମାତ୍ର ଏଥରର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ତଳିଆ କର୍ମୀଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ନେତାଙ୍କ ମନରେ ଆଗାମୀ ଭବିଷ୍ୟତକୁ ନେଇ ଛନକା ରହିଛି । ନବୀନ ପଟ୍ଟନାୟକଙ୍କ ନାଁରେ ଭୋଟ ମିଳିବାର ଧାରା ଆଗକୁ ବଜାୟ ରହିବ ସେ ବିଶ୍ୱାସ ନାହିଁ । ସୁତରାଂ ଦଳକୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରିବା ନେତୃତ୍ୱଙ୍କ ପାଇଁ ପ୍ରମୁଖ ଦାୟିତ୍ୱ ହୋଇଥିଲେ ମଧ୍ୟ ବସ୍ତୁତଃ କାର୍ଯ୍ୟରେ ତାହା ବିପରୀତମୁହାଁ ହୋଇଛି ।
ପ୍ରଥମରେ, ମନ୍ତ୍ରୀମଣ୍ଡଳ ଗଠନକୁ ନେଇ ଅଧିକାଂଶ ନେତା କ୍ଷୁବ୍ଧ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତାଙ୍କ କହିବାନୁଯାୟୀ, ନବୀନ ବାବୁ ଏଥର ବିଚିତ୍ର ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଦଳ ପ୍ରତି ଆନୁଗତ୍ୟ ଓ ଦକ୍ଷତାକୁ ମାପକାଠି କରାଯାଇନି । ଟିକେଟ ନ ଦେବା ପାଇଁ ବିଚାର କରାଯାଉଥିବା ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କରାଯାଇଛି । ସମ୍ପୂର୍ଣ୍ଣ ଅନଭିଜ୍ଞ ଓ ଆମଦାନୀ ନେତାଙ୍କୁ ଭଲ ବିଭାଗ ଧରାଇ ଦିଆଯାଇଛି । ଶତ ପ୍ରତିଶତ କମ୍ପ୍ରମାଇଜ୍ ଫର୍ମୂଲାରେ ଏମିତିକା ମନ୍ତ୍ରୀମଣ୍ଡଳ ଆଗରୁ ନ ଥିଲା ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଦ୍ୱିତୀୟତଃ, ନିର୍ବାଚନ ସମୟରେ ଟିକେଟରୁ ବଞ୍ଚିତ ଅନେକ ଯୋଗ୍ୟ ନେତାଙ୍କୁ ଭଲ ଥଇଥାନର ପ୍ରତିଶ୍ରୁତି ଦିଆଯାଇଥିଲା । କାହାକୁ ରାଜ୍ୟସଭା ଥୋପ ତ, ଆଉ କାହାରିକୁ ଯୋଜନା ବୋର୍ଡ କି କର୍ପୋରେସନ୍ ଥୋପ । ନେତୃତ୍ୱ ଉପରେ ଭରସା ରଖି ଦଳ ପାଇଁ ସେମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ମାତ୍ର ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଯେ ପ୍ରତାରଣା ତାହା ସେମାନେ ଅନୁଭବ କଲେଣି । ରାଜ୍ୟସଭା ତ ଗଲା, ଝୁଲି ରହିଥିବା କର୍ପୋରେସନ୍ ପଦବୀ ଉପରୁ ମଧ୍ୟ ଅଧିକାଂଶ ଆଶା ତୁଟାଇଲେଣି । କାରଣ ଦଳର ଏକଚାଟିଆ ବ୍ୟାପାରରେ ସେମାନେ ଅତିଷ୍ଠ । ତେଲ ମାରି ପଦବୀ ପାଇବାକୁ ପସନ୍ଦ କରୁନାହାନ୍ତି ।
ତୃତୀୟରେ, ଦଳୀୟ ଲୋକଙ୍କର ସ୍ୱାଭିମାନ ଓ ସମ୍ମାନବୋଧ ଏବେ ଲୁଣ୍ଠିତ । ଆଗରୁ ଥିଲା, ମାତ୍ର ଏବେ କୁଆଡ଼େ ମାତ୍ରାଧିକ ହୋଇଛି । ତଳିଆ କର୍ମୀ/ନେତାଙ୍କ କଥା ଛାଡ଼ନ୍ତୁ, ବୟସ୍କ ଓ ବରିଷ୍ଠ ନେତାଙ୍କୁ କାଣିଚାଏ ସମ୍ମାନ ନାହିଁ । ଦଳୀୟ ଫୋରମ୍ ରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ଏହି ଅବସ୍ଥା । କାର୍ପଟଦାରଙ୍କ ଆଗରେ ଗୁହାରି ଜଣାଇବାକୁ ନେତାମାନେ ଦିନ ଦିନ ଧରି ଆଣ୍ଠୋଉଛନ୍ତି ।
ଏସବୁ ବାଦ, ବିଜେପି ସହ ମଧୁର ସମ୍ପର୍କ ବିଜେଡ଼ି ପାଇଁ ଆଉ ଏକ ବଡ଼ ସମସ୍ୟା ଛିଡ଼ା କରାଇଛି । ଚାରି ମାସ ତଳେ ଯେଉଁ ଦଳକୁ ଗାଳି ଦେଇ ବିଜେଡ଼ି ଲୋକଙ୍କଠାରୁ ଭୋଟ ମାଗୁଥିଲା ଏବେ ସେହି ଦଳକୁ କୋଳରେ ବସାଇଛି । ବିଜେପି ସହ ଖୋଲା ଭାବ ପୀରତିକୁ ନେଇ ବେଶୀ ଅପମାନ ସହୁଛନ୍ତି ବିଜେଡ଼ି ନେତା । କର୍ମୀ ଓ ସାଧାରଣ ଲୋକଙ୍କୁ ସାମନା କରିପାରୁନାହାନ୍ତି । ବିଜେଡ଼ି ହାତରେ ଥିବା ରାଜ୍ୟସଭା ଆସନକୁ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ ହାତକୁ ଟେକିଦେବା ୯୯ ପ୍ରତିଶତ ନେତାଙ୍କର ହଜମ ହୋଇନି । ପରବର୍ତ୍ତୀ ଘଟଣାକ୍ରମରେ ମୋଦି ସରକାରଙ୍କ ପଛରେ ନବୀନ ବାବୁ ଭୀମ ଭଳି ଛିଡ଼ା ହୋଇଛନ୍ତି । କ୍ଷମତା ଦେଇଥିବା ଓଡ଼ିଶାବାସୀଙ୍କ ପ୍ରତି ବିଜେଡ଼ିର ଏହା ପ୍ରତାରଣା ବୋଲି ସବୁଠି ଆଲୋଚନା ହେଉଛି ।
ସବୁଠାରୁ ଦୁର୍ଭାଗ୍ୟ ଯେ ଦଳୀୟ ନେତାଙ୍କ ଅସନ୍ତୋଷକୁ ମୁଖିଆ ବୁଝିବାର ଆବଶ୍ୟକା ପଡୁନି କି ତାଙ୍କୁ ଜଣାଇବାର ସୁଯୋଗ ନାହିଁ । କୌଣସି କଥା ବୁଝିବା କିମ୍ବା କାହା ସାଙ୍ଗରେ କିଛି ଆଲୋଚନା କରିବାକୁ ମୁଖିଆ ଆଗ୍ରହ ଦେଖାଉନାହାନ୍ତି । ଯାହାକି ଦଳୀୟ ମହଲରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଏହିଭଳି ଭାବେ ସରକାର ଗଠନର ପ୍ରଥମରୁ ବିଜେଡ଼ିରେ କୁହୁଳିଥିବା ଅସନ୍ତୋଷ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା । ଖୁବ୍ ଶୀଘ୍ର ଏହା ବିସ୍ଫୋରଣ ଘଟାଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଆଶଙ୍କା କରିଛନ୍ତି ।