ଭୁବନେଶ୍ଵର: ଗଣମାଧ୍ୟମ ଅନୁଷ୍ଠାନ ‘ ବିଜ୍ଞାପନ ‘ ଦ୍ୱାରା ପ୍ରକାଶିତ ଓଡ଼ିଶାର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଏକମାତ୍ର ଡିରେକ୍ଟୋରି ‘ ଆମ ସମୟର ଶିଳ୍ପ ‘ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ( ୟୁସିସିଆଇଏଲ୍) ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଛି। ବିଜ୍ଞାପନର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଏବଂ ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ପଙ୍କଜ ଲୋଚନ ମହାନ୍ତି ଯୋଗଦେଇ ଡିରେକ୍ଟୋରିଟିକୁ ଉନ୍ମୋଚନ କରିଥିଲେ।
ଏଇ ସଂକଳନ ଶିଳ୍ପାୟନ ପ୍ରକ୍ରିୟାରେ ଉପଯୋଗୀ ହେବ ବୋଲି ଉଭୟ ଅତିଥି ମତ ପୋଷଣ କରିଥିଲେ। ଏହି ଅବସରରେ ବିଜ୍ଞାପନର ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଏବଂ ଗୃପ ସମ୍ପାଦକ ଦିଲୀପ ମିଶ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଆମ ସମୟର ଶିଳ୍ପ ପୁସ୍ତକରେ ରାଜ୍ୟର ଧାନକଳଠାରୁ ଆରମ୍ଭ କରି ଇସ୍ପାତ କାରଖାନା ପର୍ଯ୍ୟନ୍ତ ସମସ୍ତ ଉତ୍ପାଦନକାରୀ ଶିଳ୍ପାନୁଷ୍ଠାନର ତଥ୍ୟ ରହିଛି। ଏହାଛଡା ବିଲଡର ଏବଂ ଆର୍କିଟେକ୍ଟମାନଙ୍କ ତାଲିକା ମଧ୍ୟ ଅଛି।