ଭୁବନେଶ୍ୱର: କୋଟି କୋଟି ଟଙ୍କାର ପାପଧନ କମେଇଥିବା ପୁଲିସ ସିଗନାଲ୍ ବିଭାଗର ଅତିରିକ୍ତ ଏସିପି ତ୍ରିନାଥ ମିଶ୍ରଙ୍କୁ ଆଜି ଭିଜିଲାନସ ଗିରଫ କରିଛି । ଏହି ପାପଧନରେ ଭାଗିଦାର ହୋଇଥିବା ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ମିଶ୍ର ଦମ୍ପତ୍ତିଙ୍କ ବିରୋଧରେ ଲାଗିଛି ଦୁର୍ନୀତି ନିବାରଣ ଆଇନ ଦଫା । କଟକ ଭିଜିଲାନସ ଏସପି ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ଏସପିଙ୍କ ସୂଚନା ଅନୁଯାୟୀ, ତ୍ରିନାଥ ମିଶ୍ରଙ୍କର ଠାବ ସମ୍ପତ୍ତି ପରିମାଣ ୧୧ କୋଟି ୨ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ତେବେ ସେଥିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି । ତାଙ୍କର ଆୟର ଏହା ୫୦୦% ଅଧିକ ବୋଲି ଏସପି କହିଛନ୍ତି ।
ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଗତକାଲି ବଡ଼ି ସକାଳୁ ଭିଜିଲାନସ୍ ଟିମ୍ ଏକକାଳୀନ ୧୧ ଟି ଘରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା । ତାଙ୍କର ସମ୍ପତ୍ତି ବାଡ଼ି, ଗାଡ଼ିମଟର ଭିଜିଲାନସ ଅଧିକାରୀଙ୍କ ଆଖି ଖୋସି ଦେଇଥିଲା । ରସୁଲଗଡ଼ ମନୋରମା ଇଷ୍ଟେଟ୍ ରେ ଥ୍ରି ବିଏଚକେର ଏକ ଫ୍ଲାଟ୍, ଡାବୁଗାଁରେ ଦୁଇ ମହଲା କୋଠା, ଯାଜପୁର ଜିଲ୍ଲା ବଡ଼ଚଣାରେ ଫାର୍ମ ହାଉସ୍, ଭୁବନେଶ୍ୱର ଓ ଯାଜପୁରରେ ୪ ଟି ପ୍ଲଟ୍, ୪୩.୩୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୪୪.୦୪ ଲକ୍ଷ ଟଙ୍କାର ଇନସୁରାନ୍ସ ଡିପୋଜିଟ୍, ୧୬.୮୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫ ଲକ୍ଷ ୨୭ ହଜାର ୭୧୦ ନଗଦ ଟଙ୍କା, ୧ କୋଟି ୨୦ ଲକ୍ଷ ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର୍,୧୭ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା କାର୍, ୧୩ ଲକ୍ଷ ଟଙ୍କାର ମାରୁତି ବାଲେନୋ କାର୍, ଗୋଟିଏ ୨୦ ଲକ୍ଷ ଟଙ୍କିଆ ବାଇକ୍ ଏବଂ ଗୋଟିଏ ୫ ଲକ୍ଷ ୩୦ ହଜାର ଟଙ୍କିଆ ବାଇକ୍,ଅଢ଼େଇ ଲକ୍ଷିଆ ବୁଲେଟ୍, ୨ ଲକ୍ଷିଆ ୟାମାହା ମୋଟର ସାଇକେଲ,)୭୦ ହଜାର ଟଙ୍କାର ସୁଇସ୍ ସ୍କୁଟର, ୬୫ ହଜାର ଟଙ୍କାର ଇ-ସ୍କୁଟର, ୫୫ ଲକ୍ଷ ଟଙ୍କାର ଘର ଆସବାବପତ୍ର ଠାବ କରାଯାଇଥିଲା ।
ସମ୍ପତ୍ତି ସେତିକିରେ ସରିନାହିଁ । ବାବୁ ତ୍ରିନାଥ ମିଶ୍ର ଅସାଧୁ ଉପାରେ ଅର୍ଜିଥିବା ଟଙ୍କାକୁ ତାଙ୍କ ପରିବାର ବ୍ୟବସାୟରେ ଖଟାଇଥିବା ସନେ୍ଦହ କରାଯାଉଛି । ଚଣ୍ଡିଖୋଲଠାରେ ଶାନ୍ତିଲତା କେୟାର୍(ନର୍ସିଂ ହୋମ୍), ଶାନ୍ତି ଡ୍ରଗ୍ ହାଉସ୍, ଅବିବାହିତ ପୁଅ ନାଁରେ କଟକ ମହାନଦୀ ବିହାରରେ ଔଷଧ ବ୍ୟବସାୟ ମଧ୍ୟ ଚାଲିଛି ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ଜନ୍ମିତ ତ୍ରିନାଥ ମିଶ୍ର ୧୯୮୫ ମସିହାରେ ଓଡ଼ିଶା ପୁଲିସରେ ସବ ଇନସପେକ୍ଟର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ବିଭିନ୍ନ ସମୟରେ ପଦୋନ୍ନତି ପାଇ ବର୍ତ୍ତମାନେ ସେ ଅତିରିକ୍ତ ଏସପି ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ବର୍ଷ ତାଙ୍କ ଚାକିରି ସରୁଛି ।