ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ରମାଗତ ଶାସନଗାଦିରେ ଥିବା ବିଜେଡ଼ି ସରକାରକୁ ବିରୋଧୀ ଦଳ ହଲେଇ ପାରୁନାହାନ୍ତି କାହିଁକି ? ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ଖସୁନାହିଁ କାହିଁକି ? ଗତ ଦୁଇଟି ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ପ୍ରତି ସମର୍ଥନ ଢ଼ାଳିଲେ, ଅଥଚ ରାଜ୍ୟରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ କାହିଁକି ?
ଅପେକ୍ଷାକୃତ ଦୁର୍ବଳ ସଂଗଠନ ଛଡ଼ା ଏହାର ଅନ୍ୟ ସରଳ ଉତ୍ତରଟି ହେଉଛି ନେତାମାନଙ୍କର ଅହଙ୍କାର ଆଚରଣ । ବିଜେପିର ଆଗଧାଡ଼ିରେ ଥିବା କିଛି ମୁଷ୍ଟିମେୟ ନେତାଙ୍କ ଢ଼ଙ୍ଗଢ଼ାଙ୍ଗ ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି । ଜନତାଙ୍କ ମନକୁ ଛୁଇଁଲା ଭଳି ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ସେମାନଙ୍କର ନାହିଁ । ଭୋଟରଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇ ମଧ୍ୟ ସେମାନଙ୍କ ଆଚରଣ ବଦଳୁନାହିଁ । ଆଉ ଏଭଳି କିଛି ହାତଗଣତି ନେତାଙ୍କ ପାଇଁ ସମଗ୍ର ଦଳ କ୍ଷତିଗ୍ରସ୍ତ ହେଉଛି ବୋଲି ଦଳରେ କୋଣଠେସା ହୋଇଥିବା କିଛି ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ବିଶିଷ୍ଟ ସାମ୍ବାଦିକ ଶେଖର ଗୁପ୍ତା ତାଙ୍କର ପୁରୁଣା ବନ୍ଧୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଗତକାଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନବୀନଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ତାହା ହେଲା- ନବୀନ କମ୍ କଥା କୁହନ୍ତି ଏବଂ ବନ୍ଧୁତ୍ୱକୁ ସମ୍ମାନ ଦିଅନ୍ତି । ନବୀନଙ୍କ କ୍ରମାଗତ ରାଜନୈତିକ ସଫଳତାର ଏହା ପ୍ରମୁଖ କାରଣ ବୋଲି ସେ କହିବାକୁ ଚାହିଁଥିଲେ ।
ବିଜେଡ଼ି ଏବଂ ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇବାରେ ବିଜେପି ବିଫଳ ହେବା କାରଣ ପଛରେ ଏହାର ଉତ୍ତର ରହିଥିବା ଦଳୀୟ ଅନ୍ଦରମହଲରେ ଚର୍ଚ୍ଚା ହେଉଛି ।
୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ଶାସନ ଆସିଲା ପରେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ ଆରମ୍ଭ ହୋଇଥିଲା । ଦଳ ମଜବୁତ୍ କରିବାକୁ ୫ ବର୍ଷ ଧରି ସେ ନିରନ୍ତର ଉଦ୍ୟମ କରିଥିଲେ । ରାଜ୍ୟ ବିଜେପି ପାଇଁ ଏହା ଯେ ଲାଭବାନ ହୋଇନାହିଁ, ତାହା ନୁହେଁ । ଦଳ ଯଥେଷ୍ଟ କ୍ରିୟାଶୀଳ ହୋଇଥିଲା । ଗୋଟେ ସମୟରେ ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବେ ଉପସ୍ଥାପିତ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହା ଫୁସକି ଗଲା ।
ଧର୍ମେନ୍ଦ୍ରଙ୍କ ପାଖରେ ଦକ୍ଷତା, କ୍ଷମତା, ଅର୍ଥବଳ ଥାଇ ମଧ୍ୟ ଲୋକଙ୍କ ପାଖରେ ଗ୍ରହଣୀୟ ହେଲେ ନାହିଁ । କାରଣ ଥିଲା, କଥା କଥାକେ ତାଙ୍କର ପ୍ରତିକ୍ରିୟାଶୀଳତା ଏବଂ ପ୍ରତିପକ୍ଷଙ୍କ ବିରୋଧରେ ରୁକ୍ଷ ଟିପ୍ପଣୀ । ଖାସ୍ କରି ବ୍ୟୁରୋକ୍ରାଟ୍ ମାନଙ୍କୁ ନିଶାନା କରି ରାଜନୈତିକ ସଫଳତାର ସର୍ଟ୍ କଟ୍ ବାଟ ଉଣ୍ଡିଥିଲେ । ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ମଧ୍ୟ ସାମାନ୍ୟ ଘଟଣାରେ ଏସପି, ଜିଲ୍ଲାପାଳଙ୍କୁ ନାଲିଆଖି ଦେଖାଇବାକୁ ପଛାଉ ନ ଥିଲେ । ପରବର୍ତ୍ତୀ ସମୟରେ ଏସବୁ ତାଙ୍କ ପାଇଁ ମହଙ୍ଗା ପଡ଼ିଥିବା ସମସ୍ତେ ସ୍ୱୀକାର କରୁଛନ୍ତି ।
ସେ ଯାହା ହେଉ, ନିର୍ବାଚନ ବିଫଳତା ପରେ ଧର୍ମେନ୍ଦ୍ର ବୋଧହୁଏ ଏହି ତ୍ରୁଟିକୁ ସୁଧାରି ଆଚରଣରେ ପରିବର୍ତ୍ତନ ଆଣିଛନ୍ତି । ଜଣେ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ଭାବେ ଏବେ ସେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି । ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଓ କ୍ରମାଗତ ସଫଳତାର ଏହା ହିଁ ରହସ୍ୟ ବୋଲି ଡେରିରେ ହେଉ ପଛେ ବୁଝିଛନ୍ତି ।
ତେବେ ନୂଆ କରି କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଶ୍ୱେଶ୍ୱର ଟୁଡୁୂ ସେଥିରୁ କିଛି ଶିକ୍ଷାଲାଭ କରିପାରିନାହାନ୍ତି । ତାଙ୍କ ଆଚରଣ ଅନେକଙ୍କୁ ଅଧିକ ବ୍ୟତିବ୍ୟସ୍ତ କରୁଛି । ବିଡ଼ିଓ, ଜେଇ, ବ୍ଲକ୍ କିରାଣୀଙ୍କୁ ମଧ୍ୟ ଛାଡୁନାହାନ୍ତି । ଟିଭି କ୍ୟାମେରା ପଡ଼ିଲେ ଅଧିକ ଉତ୍ସାହିତ ହୋଇପଡୁଛନ୍ତି । ମିଟିଂରେ ଅଫିସରମାନଙ୍କ ଉପରେ ଗର୍ଜନ କରୁଛନ୍ତି, ଦାୟିତ୍ୱରେ ଅବହେଳା କରୁଥିବା ଅଫିସରଙ୍କୁ ପିଟିବାର ଧମକ ଦେଉଛନ୍ତି ।
ନିକଟ ଅତୀତରେ ଛତ୍ରପୁରର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଛନ୍ଦି ହୋଇଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ତାଙ୍କର ବିଜେପି ସହଯୋଗୀମାନେ ଗଞ୍ଜାମ ପୁଲିସକୁ ଟାର୍ଗେଟ୍ କରିଥିଲେ । ତତ୍କାଳୀନ ଏସପି ଆଶିଷ ସିଂଙ୍କର ବର୍ଦ୍ଦି ଖୋଲିଦେବା ପାଇଁ ଧମକ ଦେଇଥିଲେ ।
ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ କଥା ନ କହିବା ଭଲ । ଅଧ୍ୟାପନା ବୃତ୍ତିରୁ ଆସିଥିବା ଏହି ନେତ୍ରୀ ଓଡ଼ିଆ ଘରର ନାରୀ ତୁଣ୍ଡରେ ଯେଉଁ ଭାଷା ଶୋଭାପାଏନି କି କେହି ଶୁଣିବାକୁ ଭାବିପାରନ୍ତିନି, ସେଭଳି ଭାଷା ତୁଣ୍ଡେଇବାକୁ ସାମାନ୍ୟତମ ସଙ୍କୋଚ କରନ୍ତି ନାହିଁ । ଅନେକ କ୍ଷେତ୍ରରେ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ପୋଷ୍ଟିଂ କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଅନେକ କଟାକ୍ଷ କରନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ବାରମ୍ବାର ଅଶାଳୀନ ଶବ୍ଦ ପ୍ରୟୋଗ କରି ନିଜକୁ ଚର୍ଚ୍ଚାରେ ରଖିବାକୁ ଏହି ବିଜେପି ନେତ୍ରୀ ପସନ୍ଦ କରୁଥିବା କୁହାଯାଏ । ଏବେ ମମିତା ମେହେର ହତ୍ୟା ଘଟଣାରେ ଡିଆଇଜି ଦୀପକ କୁମାରଙ୍କ ବର୍ଦ୍ଦି ଖୋଲିଦେବାର ସେ ଧମକ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ସୁର ରାଉତରାୟଙ୍କ ଭଳି ବିଜେପି ନେତ୍ରୀ ଲେଖାଙ୍କର ପାଟିରେ ବାଡ଼ବତା ନ ଥିବାରୁ କେହି ଗୁରୁତ୍ୱ ଦିଅନ୍ତି ନାହିଁ । ଟିଭି ସାମ୍ବାଦିକମାନେ ସମ୍ଭବତଃ କେବଳ ଟିଆରପି ପାଇଁ ତାଙ୍କର ପ୍ରେସମିଟ୍ କଭର୍ କରନ୍ତି ଏବଂ ବାଇଟ୍ ବ୍ୟବହାର କରନ୍ତି । ତାଙ୍କର ଅଶାଳୀନ ଓ ଶସ୍ତା ମନ୍ତବ୍ୟରେ ରାଜନୈତିକ ପ୍ରମାଦ ଟଙ୍କାକର ନ ଥିଲା ବେଳେ ଖଟି ଆମୋଦ ଭରପୂର ଦେଖିବାକୁ ମିଳୁଛି । ସେଥିପାଇଁ ସୋସିଆଲ୍ ମିଡ଼ିଆରେ ସବୁଠାରୁ ଅଧିକ ଟ୍ରୋଲ୍ ହେଉଥିବା ନେତ୍ରୀ ହେଉଛନ୍ତି ଲେଖା । ସେଥିପ୍ରତି ତାଙ୍କର ଆଚରଣ ନ ବଦଳିବା ଅନେକଙ୍କୁ ବିସ୍ମିତ କରେ । ଦଳ ତାଙ୍କଠାରୁ କିଭଳି ଲାଭବାନ ହେଉଛି ତାହା ମା’ ଗଙ୍ଗେଇ ଜାଣନ୍ତି ।
ଏଭଳି ନେତାଙ୍କ ତାଲିକା ଲମ୍ବା । ଏମାନେ ପୁଣି ଓଡ଼ିଶା ବିଜେପିର ଚେହେରା ଓ ତୁ୍ଣ୍ଡ ! ନବୀନ ପଟ୍ଟନାୟକଙ୍କ ଭଳି ଚେହେରା ସାଙ୍ଗରେ ଲଢ଼ି ଜନତାଙ୍କୁ ନିଜ ପକ୍ଷକୁ ନେବାର ଉଦ୍ୟମ ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି । ବିଜେପି ଅଫିସ୍ ରେ କେବଳ ପ୍ରେସମିଟ୍ ରେ ସେମାନଙ୍କ କାର୍ଯ୍ୟକଳାପ ସୀମିତ ଥିବା ବେଳେ ସେମାନଙ୍କ ଭାଷା ଓ ଆଚରଣରେ ଜନତାଙ୍କୁ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା ବୁଝାପଡୁନି । କୋଉ ହିସାବରେ ଶକ୍ତିଶାଳୀ ବିଜେଡ଼ିକୁ ଏମାନେ ଫାଇଟ୍ ଦେବେ ତାହା ସେମାନେ ଜାଣିଥିବେ ।
ସବୁଠାରୁ ବଡ଼କଥା ହେଲା ଆଗଧାଡ଼ିର ଏହି ମୁଷ୍ଟିମେୟ ନେତାମାନେ ଦଳର ଲାଭ ଅପେକ୍ଷା ଅଧିକ କ୍ଷତି କରୁଥିଲେ ମଧ୍ୟ ନେତୃତ୍ୱ ବୁଝି ନ ପାରିବା ଏବଂ ସେମାନଙ୍କ ତୁଣ୍ଡ ନିୟନ୍ତ୍ରଣ ନ କରିବା ବିଜେପିପ୍ରେମୀମାନଙ୍କୁ ବିବ୍ରତ କରୁଛି । ଶାଳିନତାର ସହ କିଭଳି ଶତ୍ରୁପକ୍ଷକୁ ତୀବ୍ର ଆକ୍ରମଣ କରାଯାଏ ତାହା ବିଜୟ ମହାପାତ୍ରଙ୍କ ଭଳି ବରିଷ୍ଠ ଦଳଭାଇଙ୍କଠାରୁ ଶିଖିବାକୁ ପ୍ରକାରାନ୍ତରେ କିଛି ବରିଷ୍ଠ ନେତା ପରାମର୍ଶ ଦେଇଛନ୍ତି । ଲୋକଙ୍କ ସାଙ୍ଗରେ ନ ରହିଲେ ବି ଅନ୍ତତଃପକ୍ଷେ ନିଜର ଆଚରଣରେ ଲୋକଙ୍କ ଭାବନା ଓ ସମ୍ମାନ ରଖିବା ଶିଖନ୍ତୁ ବୋଲି କହିଛନ୍ତି ।
କମ୍ କଥା କହି ଅଧିକ କାମ କିଭଳି କରାଯାଏ ସେଥିପାଇଁ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମାନିବାରେ କୁଣ୍ଠାବୋଧ ନ କରିବା ଭଲ । ଏହାହେଲେ ସାମଗ୍ରିକ ଭାବେ ବିଜେପି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବ ଏବଂ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିବା ସେମାନଙ୍କ ପକ୍ଷେ ସହଜ ହେବ ବୋଲି ରାଜନୈତିକ ମହଲର ବିଶ୍ୱାସ ।