ଭୁୁବନେଶ୍ୱର: ଦୁର୍ନୀତି ବିରୋଧରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ । ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ଏବଂ ୱେଲଫେୟାର୍ କର୍ପୋରେସନ୍ ର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କୁ ରାଜ୍ୟ ସରକାର ଚାକିରିରୁ ତଡ଼ି ଦେଇଛନ୍ତି । ଅପାରଗତା ଓ ଦୁର୍ନୀତି ଯୋଗୁଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଗତ ସପ୍ତାହରେ ଏହି କରିତକର୍ମା ବାବୁଜଣଙ୍କ ଘରେ ଭିଜିଲାନସ୍ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଥିଲା । ତାଙ୍କର ଅଛି ୭ ଟି କୋଠା ଏବଂ ୨୫ ପ୍ଲଟ୍ । ଘରେ ନଗଦ ୩୮ ଲକ୍ଷ ଟଙ୍କା ରଖିଥିଲେ । ଭିଜିଲାନସ୍ କୁ ଦେଖି ୨୦ ଲକ୍ଷ ଟଙ୍କା ଏକ ପେଟିରେ ପୂରାଇ ପଡ଼ୋଶୀ ଘର ଛାତକୁ ଫିଙ୍ଗି ଦେଇଥିଲେ । ତାଙ୍କ ପାଖରେ ୧୫ କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଭିଜିଲାନସ ଆକଳନ କରିଛି । ଓଲିଉଡ୍ ଏବଂ ଷ୍ଟକ୍ ମାର୍କେଟ୍ ରେ ତାଙ୍କର କୋଟି କୋଟି ଟଙ୍କା ଲାଗିଥିବା ମଧ୍ୟ ଜଣାପଡ଼ିଲାଣି ।
ବାବୁ ସାମଲ ଏତେ ଟଙ୍କା କୋଉଠୁ ମାରିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ୧୫ କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବା ସହ ଭିଜିଲାନସ୍ ଦ୍ୱାରା ଗିରଫ ହେବା ପରେ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ସସପେଣ୍ଡ କରିଥିଲେ । ଆଉ ଆଜି ଶେଷ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ବାବୁଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରିରୁ ବହିଷ୍କାର କରାଗଲାଣି ।
ସୂଚନାଥାଉକି, ଗତ ସପ୍ତାହରେ ସରକାର ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ।