ଭୁବନେଶ୍ୱର: ଅଧା ବୁଢ଼ା ବୟସରେ ପ୍ରେମ ନିଶା । ଅଧସ୍ତନ ମହିଳା କର୍ମଚାରୀଙ୍କ ଘରକୁ ରାତି ଅଧିରେ ପଶି ହଙ୍ଗାମା କରିଥିବା ରାଜ୍ୟ ସରକାରଙ୍କର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଗିରଫ ହୋଇ ଜେଲ୍ ଯିବାକୁ ପଡ଼ିଛି । ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି । ଖାରବେଳନଗର ଥାନା ଅଞ୍ଚଳର ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରେମିକ ପ୍ରବର ଏହି ବାବୁ ଜଣଙ୍କ ହେଉଛନ୍ତି ଅରୁଣ ବିଶ୍ୱାଳ । ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗରେ ସ୍ୱତନ୍ତ୍ର ସଚିବ ଅଛନ୍ତି । ଅଭିଯୋଗ ଅନୁଯାୟୀ, ଗତକାଲି ଅଧା ରାତିରେ ଖାରବେଳନଗର ଅଞ୍ଚଳରେ ରହୁଥିବା ତାଙ୍କର ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କ ଘରକୁ ଜବରଦସ୍ତ ପଶିଥିଲେ । ତାଙ୍କୁ ଟଣାଓଟରା ଓ ଅସଦାଚରଣ କରିଥିଲେ । ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେଇ ପିଟାପିଟି ଥିଲେ । ସଂପୃକ୍ତ ଯୁବତୀ ପିସିଆରକୁ ଫୋନ୍ କରି ସାହାଯ୍ୟ ମାଗିବା ପରେ ଖାରବେଳନଗର ଥାନାର ଏକ ପିସିଆର୍ ଅବିଳମ୍ବେ ସେଠାରେ ପହଞ୍ଚି ଥିଲା । ସେଇ ରାତି ଅଧରେ ଉଭୟଙ୍କୁ ଥାନାକୁ ନେଇ ଆସିଥିଲା । ଦୀର୍ଘ ସମୟ ଧରି ପଚରାଉଚୁରା ପରେ ସଂପୃକ୍ତ ଯୁବତୀଙ୍କ ଏତଲା ଆଧାରରେ ଅଭିଯୁକ୍ତ ଅରୁଣ ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି ।
କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି ।