ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରାସ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ ସିବିଆଇ । ଏସଆଇଟି ତଦନ୍ତ କରାଉଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି । ଏହି ଜଘନ୍ୟ ମାମଲାର ପ୍ରତିବାଦର ନିଆଁ ସାରା ଦେଶକୁ ବ୍ୟାପିଯାଇଛି । ୟୁପି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ପାଇଁ ଚାପ ଆଗରେ ମୁଣ୍ଡ ନୂଆଁଇଛନ୍ତି ଯୋଗୀ ଆଦିତ୍ୟନାଥ ।
ପୀଡ଼ିତାଙ୍କ ପରିବାରକୁ ଗୃହବନ୍ଦୀରେ ରଖି ସ୍ଥାନୀୟ ପ୍ରଶାସନ ବୟାନ ବଦଳାଇବାକୁ ଚାପ ପକାଉଥିବାର ପ୍ରମାଣ ମିଡ଼ିଆକୁ ଆସିବା ପରେ ମାମଲା ଜଟିଳ ମୋଡ଼ ନେଇଛି । ସେହିଭଳି ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିବାକୁ ସାମ୍ବାଦିକମାନଙ୍କୁ ବାରଣ କରାଯାଇଥିବାରୁ ଯୋଗୀ ସରକାର ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ଜିଲ୍ଲା ଏସପିଙ୍କ ସମେତ ୫ ଜଣ ପୁଲିସ ଅଧିକାରୀଙ୍କୁ ସସପେଣ୍ଡ କରିଥିଲେ । ଆଜି ସାମ୍ବାଦିକମାନଙ୍କୁ ସେଠାକୁ ଯିବାକୁ ଅନୁମତି ମିଳିଥିଲା ।
ଏହାପୂର୍ବରୁ ଗୁରୁବାର ଦିନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ଗାଁକୁ ଯିବାକୁ ଉଦ୍ୟମ କଲାବେଳେ ଗ୍ରେଟର୍ ନୋଇଡାଠାରେ ୟୁପି ପୁଲିସ ଅଟକାଇଥିଲା । ରାହୁଲଙ୍କ ଠେଲାପେଲା କରିବାରୁ ସେ ତଳେ ପଡ଼ିଯାଇଥିଲେ । ଏହାକୁ ନେଇ ରାଜନୈତିକ ମହଲରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଆଜି କିନ୍ତୁ ରାହୁଲ ଓ ପ୍ରିୟଙ୍କା ପୀଡ଼ିତାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ପୀଡ଼ିତାଙ୍କ ଶବକୁ ଶେଷ ଦର୍ଶନ କରାଇ ନ ଦେବା ଘଟଣା ଉପରେ ସେମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଥିଲେ ।
କେବଳ ରାହୁଲ ଓ ପ୍ରିୟଙ୍କା ନୁହଁନ୍ତି ବିରୋଧୀ ଦଳଗୁଡ଼ିକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ବଢ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସେମାନେ ଆନ୍ଦୋଳନର ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ମାମଲାର ତଦନ୍ତ ସିବିଆଇକୁ ଦେବାକୁ ମୁଖ୍ୟମନ୍ତ୍ରୀ ସୁପାରିଶ କରିଛନ୍ତି ।
ହଥରାସ୍ ଘଟଣାକୁ ନେଇ ନେଇ ଆଜି ଓଡ଼ିଶା ବିଧାନସଭାରେ ଝଡ଼ ଦେଖାଦେଇଥିଲା । କଂଗ୍ରେସ ସଭ୍ୟମାନେ ଗୃହରେ ପ୍ରବଳ ହୋହଲ୍ଲା କରିବାରୁ ପ୍ରଥମାର୍ଦ୍ଧ ଅଧିବେସନ ଚାଲିପାରି ନ ଥିଲା । ବିଜେଡ଼ି ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି । ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରାଯିବ ବୋଲି ବିଧାୟିକା ସ୍ନେହାଙ୍ଗୀନ ଛୁରିଆ କହିଛନ୍ତି ।