ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ଦାବିରେ ପ୍ରସ୍ତାବ ଗୃହୀତ
ଭୁବନେଶ୍ୱର: ଆଇନଜୀବୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ଗଠିତ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ମଧୁସୂଦନ ଆଡଭୋକେଟ୍ ଏକାଡେମୀକୁ କାର୍ଯ୍ୟକ୍ଷମ କରାଯାଇଛି । ପରିଷଦର ବରିଷ୍ଠ ସଦସ୍ୟ ବିଭୁପ୍ରସାଦ ତ୍ରିପାଠୀଙ୍କୁ ଏହାର ମୁଖ୍ୟ ସଂଯୋଜକ ଓ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ଆଇନଜୀବୀ ପରିଷଦର ସାଧାରଣ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଛି ।
ଏ ସମ୍ପର୍କରେ ସୂଚନା ଦେଇ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଛନ୍ତି ଯେ ରାଜ୍ୟର ଆଇନଜୀବୀମାନଙ୍କର ପେଷାଗତ ଜ୍ଞାନର ନିରନ୍ତର ଅଭିବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଆଡଭୋକେଟ୍ ଏକାଡେମୀକୁ ସଶକ୍ତିକରଣ କରିବା ଲକ୍ଷ୍ୟରେ ଏହି ପ୍ରସ୍ତାବ ଗୃହୀତ ହୋଇଛି ।
ଆଡଭୋକେଟ୍ ଏକାଡେମୀ ଜରିଆରେ ବିଭିନ୍ନ ସମୟରେ ନୂଆ ସମ୍ବନ୍ଧୀୟ ଜ୍ଞାନ କୌଶଳ ପାଇଁ ଯୁବ ଆଇନଜୀବୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ସାମ୍ପ୍ରତିକ ପରିସ୍ଥିତିରେ ପ୍ରଣୟନ ହୋଇଥିବା ନୂଆ ଆଇନ ସମ୍ପର୍କରେ ସଚେତନତା ବୃଦ୍ଧି ଲାଗି ଆଲୋଚନାଚକ୍ର କରାଯିବ । କେବଳ ସେତିକି ନୁହେଁ, ଏକାଡେମୀକୁ ଆଞ୍ଚଳିକସ୍ତରରେ ପହଞ୍ଚାଇବା ସହିତ ଯୁବ ଆଇନଜୀବୀମାନଙ୍କୁ ଏକାଡେମୀ ସହିତ ଯୋଡ଼ିବା ଲକ୍ଷ୍ୟରେ ଆଇନ ସମ୍ବନ୍ଧୀୟ ଜର୍ଣ୍ଣାଲ୍ ପ୍ରକାଶିତ ହେବ । ଏକାଡେମୀର ସଂଯୋଜକ ବିଭୁପ୍ରସାଦ ତ୍ରିପାଠୀଙ୍କ ମୁଖ୍ୟ ସମ୍ପାଦନାରେ ଏହା ପ୍ରକାଶିତ ହେବ ବୋଲି ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ନୂଆ ଅପରାଧ ଆଇନରେ କେନ୍ଦ୍ର ସରକାର ଆଣିଥିବା ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନାଗରିକ ସଂହିତା ଓ ସାକ୍ଷ୍ୟବିଧି ଆଇନ ସମ୍ପର୍କରେ ଜର୍ଣ୍ଣାଲ୍ ଓ ଆଇନଗତ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ ।
ଏହି ଅବସରରେ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରିବା ଲାଗି ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସଂପୃକ୍ତ ପଦାଧିକାରୀମାନଙ୍କୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଅନୁରୋଧ ପ୍ରସ୍ତାବ ପଠାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସାଧାରଣ ପରିଷଦର ଏହି ବୈଠକରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ, ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ପୀତବାସ ପଣ୍ଡା,ଦେବୀପ୍ରସାଦ ଧଳ, ବିଭୁପ୍ରସାଦ ଦାସ, ଅକ୍ଷୟ କୁମାର ପତି, ଆତ୍ମାପ୍ରକାଶ ମହାନ୍ତି, ଅରୁପା ନନ୍ଦ ଦାସ, ଦେବଦତ୍ତ ମିଶ୍ର, ଦୀନେଶ ଚନ୍ଦ୍ର ରାୟ, ପ୍ରସନ୍ନ କୁମାର ପାଢ଼ୀ, ସଂଜିତ୍ କୁମାର ପାଣିଗ୍ରାହୀ, ଗିରିଜା ଶଙ୍କର ମିଶ୍ର, ନୃସିଂହ ଚରଣ ନାୟକ, ଲକ୍ଷ୍ମୀ ନାରାୟଣ ପଟେଲ, ବିଭୁପ୍ରସାଦ ତ୍ରିପାଠୀ, ଜ୍ଞାନରଞ୍ଜନ ମହାନ୍ତି, ପିଟ୍ଟା ରମେଶ ପାତ୍ର, ଅକ୍ଷୟ କୁମାର ସାମନ୍ତରାୟ, ଧନଞ୍ଜୟ ମୁଣ୍ଡ ଏବଂ ତପନ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ ।
Continue Reading