ଭୁବନେଶ୍ୱର: ବିଜେପିର ଶୀର୍ଷ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଓଡ଼ିଶାରେ ତାଙ୍କର ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିଛନ୍ତି । ଦୀର୍ଘ ୫ ବର୍ଷ ଧରି ରାଜ୍ୟର ବିଜେଡି ସରକାରଙ୍କ ଉପରେ ନରମ ମନୋଭାବ ପୋଷଣ କରି ଆସୁଥିବା ଶ୍ରୀ ଶାହ ଏବେ ନିର୍ବାଚନ ବେଳକୁ ପୂର୍ବ ନିର୍ବାଚନ ତାତିକୁ ଫେରିଛନ୍ତି । ସୋନପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସେ ନବୀନ ପଟ୍ଟନାୟକଙ୍କ ସରକାରକୁ ଓପାଡ଼ି ଏଠି ବିଜେପି ସରକାର ବନାନ୍ତୁ ବୋଲି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାକୁ ବିଜେପି ୧ ନମ୍ବର ରାଜ୍ୟ କରିଦେବ ବୋଲି ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୋଟ ମାଗିଛନ୍ତି ଶ୍ରୀ ଶାହା ।
ସୋନପୁର ସଭାରେ ତାଙ୍କର ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ହୋଇଥିଲେ ଅମିତ୍ ଶାହ । କହିଥିଲେ, ମୁଁ ଆଜି ପ୍ରଥମ ଥର ପାଇଁ ଓଡ଼ିଶାକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାରରେ ଆସିଛି । ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଦେଶରେ ଯୁଆଡ଼େ ଗଲେ, ମୋଦୀ ମୋଦୀ ନାରା ଶୁଣି ଶୁଣି ଆସୁଛି । ଆଜି ଓଡ଼ିଶାରେ ବି ସେଇ ମାହୋଲ । ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଓଡ଼ିଶାବାସୀ ସ୍ଥିର କରିସାରିଛନ୍ତି । ଏଥିପାଇଁ ୨୦ ରୁ ଅଧିକ ଲୋକସଭା ସିଟ୍ ବିଜେପି ସପକ୍ଷରେ ଦେବାକୁ ପଡ଼ିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଭାଷା, ସଂସ୍କୃତି, ଧର୍ମ ଓ ସାହିତ୍ୟର ଗୌରବ ପାଇଁ ଓଡ଼ିଶାରେ ବି ପୂର୍ଣ୍ଣ ବହୁମତ ସହ ବିଜେପି ସରକାର ଆଣିବାକୁ ପଡ଼ିବ ।
ଶ୍ରୀ ଶାହା କହିଥିଲେ ଯେ ଯେଉଁ ପ୍ରଦେଶରେ ଭାଷା, ସଂସ୍କୃତ, ଧର୍ମ ଓ ସାହିତ୍ୟର ଗୌରବ ନାହିଁ ସେହି ପ୍ରଦେଶ ଆଗକୁ ବଢ଼ିପାରିବ ନାହିଁ । ଏଠି ଯୋଉ ସରକାର ଚାଲିଛି, ତାହା ବିକାଶକୁ କେବଳ ଦୂରେଇ ଦେଇନି ବରଂ ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର ଦେଇଛି । ଓଡ଼ିଆ ଭାଷା ଓ ସାହିତ୍ୟକୁ ଦୂରେଇ ରଖିବା କାର୍ଯ୍ୟ ଏହି ସରକାର କରିଛି । ସାରା ଦେଶରେ ଯୋଉଠି ଡବଲ୍ ଇଞ୍ଜିନ ସରକାର ଅଛି, ସେଠି ବିକାଶ ହେଉଛି ।
ଏଠି ଓଡ଼ିଶାରେ ସବୁଠାରୁ ଅଧିକ ଖଣିଜ ପଦାର୍ଥ ଅଛି । ପାଣିର ପ୍ରାଚୁର୍ଯ୍ୟତା ଅଛି । ମାତ୍ର ତଥାପି ଏଠି ସମୃଦ୍ଧି ନାହିଁ । ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ପ୍ରଦେଶକୁ ଯାଉଛନ୍ତି । ମୁଁ ଆପଣଙ୍କୁ ବିଶ୍ୱାସ ଦେବାକୁ ଯାଉଛି ଯେ ଏଠି ନବୀନ ବାବୁଙ୍କ ସରକାରକୁ ଓପାଡ଼ି ଭାରତୀୟ ଜନତା ପାର୍ଟି ସରକାର ବନାଅ । ଓଡ଼ିଶାରୁ ଜଣେ କେହି ବି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ବରଂ ବାହାର ଶିଳ୍ପ ଓଡ଼ିଶାକୁ ଆସିବ । ଏହି ବ୍ୟବସ୍ଥା ବିଜେପି କରିବ ବୋଲି ଶ୍ରୀ ଶାହା କହିଥିଲେ । ବିିକ୍ଷିପ୍ତ ଓଡ଼ିଶାର ସ୍ୱପ୍ନକୁ ମୋଦୀଜୀଙ୍କ ନେତୃତ୍ୱରେ ଚରିତାର୍ଥ କରିବାକୁ ଓଡ଼ିଶାବାସୀ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଥିଲେ ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ବେଳେ ଶ୍ରୀ ଶାହା ରାଜ୍ୟର ବିଜେଡି ସରକାର ବିରୋଧରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ଥିଲେ । ଓଡ଼ିଶାରେ ୧୨୦ ରୁ ଅଧିକ ବିଧାନସଭା ଆସନ ବିଜେପି ଏଠି ପ୍ରଥମ ଥର ସରକାର ଗଠନ କରିବ ବୋଲି ଜୋର୍ ଦେଇ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର୍ କହି ବିଜେଡି ସରକାରକୁ ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ ।