ଭୁବନେଶ୍ୱର: ରାଜ୍ୟର ଜଣାଶୁଣା ଆଇନଜୀବୀ ତଥା ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସଭାପତି ବିଭୁପ୍ରସାଦ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି “ବରିଷ୍ଠ ଆଇନଜୀବୀ”ର ମାନ୍ୟତା ପ୍ରଦାନ କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସମେତ ୧୩ ଜଣ ଆଇନଜୀବୀଙ୍କୁ ଏହି ମାନ୍ୟତା ଦିଆଯାଇଥିବା ନେଇ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନରାଲ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ସେମାନେ ହେଲେ ସଞ୍ଜୟ କୁମାର ଆଚାର୍ଯ୍ୟ, ଅନୁପ କୁମାର ବୋଷ, ବଂଶୀଧର ବଗ୍, ବିବେକାନନ୍ଦ ଭୂୟାଁ, ଭବାନୀ ଶଙ୍କର ତ୍ରିପାଠୀ, ସୁଶାନ୍ତ କୁମାର ଦାଶ, କମଳ ବିହାରୀ ପଣ୍ଡା, ଅମିତାଭ ଦାସ, ଦୟାନନ୍ଦ ମହାପାତ୍ର, ଗୋପାଳ କୁମାର ଅଗ୍ରୱାଲ, ବିଜ୍ଞାନ କୁମାର ଶର୍ମା ଏବଂ ଆଦିତ୍ୟ ନାରାୟଣ ଦାଶ ।
ବିଭୁପ୍ରସାଦ ତ୍ରିପାଠୀ, ବେଙ୍ଗାଲୁର ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସାରିବା ପରେ କଟକ ଓ ଭୁବନେଶ୍ୱରରେ ଆଇନ ପେଷା ଆରମ୍ଭ କରିଥିଲେ। ପରିବାରର ପ୍ରଥମ ପିଢ଼ୀର ଆଇନଜୀବୀ ଭାବେ ପରିବେଶ ସଂପର୍କିତ ଜନସ୍ୱାର୍ଥ ମାମଲା ଓ ଦଳିତ ଆଦିବାସୀବର୍ଗଙ୍କୁ ନ୍ୟାୟ ଯୋଗାଇବା ଲାଗି ସେ ଖ୍ୟାତି ଅର୍ଜନ କରିଛନ୍ତି। ପରବର୍ତ୍ତୀ ସମୟରେ ଦୀର୍ଘବର୍ଷ ଧରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପାଇଁ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ ଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ହାଇକୋର୍ଟ ଏହି ମାନ୍ୟତା ପ୍ରଦାନ କରିଥିବାରୁ ନୂଆପିଢ଼ୀର ଯୁବ ଆଇନଜୀବୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।
ଶ୍ରୀଯୁକ୍ତ ତ୍ରିପାଠୀ, ବର୍ତ୍ତମାନ ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚିତ ସଦସ୍ୟ ଅଛନ୍ତି। ଅନେକ ଆଇନଜୀବୀ ଓ ବହୁ ଜନ-ଆନ୍ଦୋଳନର ନେତୃବର୍ଗ ଆଜି ତାଙ୍କୁ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇବା ସହ ଲୋକଙ୍କ ପାଇଁ ଓକିଲାତି ପେଷାକୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି।