ଭୁବନେଶ୍ୱର: ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘର ପୂର୍ବତନ ସଭାପତି ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଆଇନଜୀବୀ ଜ୍ଞାନରଞ୍ଜନ ମହାନ୍ତିଙ୍କର ଆଜି ସକାଳେ ଭୁବେନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଧର୍ମପତ୍ନୀ ରଶ୍ମିତା ମହାନ୍ତି, ଦୁଇ ଝିଅ ଡକ୍ଟର ଆଦିଶା ମହାନ୍ତି ଓ ଆଇନଜୀବୀ ଅଭିଲିପ୍ସା ମହାନ୍ତି ଉପସ୍ଥିତ ଥିଲେ । ଦୀର୍ଘ ଦିନ ଧରି ସେ ଚିକିତ୍ସିତ ହେଉଥିଲେ ।
ତାଙ୍କ ମୃତ୍ୟୁ ଖବର ପାଇବା ପରେ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ରାଜ୍ୟ ସଭାପତି-ବରିଷ୍ଠ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ, ସଙ୍ଘର ବରିଷ୍ଠ କର୍ମକର୍ତ୍ତା ସମୀର ନାୟକ,ସୁଶାନ୍ତ ମହାପାତ୍ର, ମନୋରଞ୍ଜନ ମହାନ୍ତି ଓ ସୁବାସ ମିଶ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ଓ ସଦସ୍ୟ ଧନଞ୍ଜୟ ମୁଣ୍ଡ, ଅରୂପାନନ୍ଦ ଦାସ ଓ ମାନସ ଚାନ୍ଦ, ରାଜ୍ୟ ବାର୍ କାଉନସିଲ ପକ୍ଷରୁ ସ୍ୱର୍ଗତ ମହାନ୍ତିଙ୍କ ଶେଷ ଦର୍ଶନ କରିବା ସହିତ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ଭୁବନେଶ୍ୱର ବାର୍ ଆସୋସିଏସନ୍ ପରିସରରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଭୁବନେଶ୍ୱର ବାର୍ର ସାଧାରଣ ସମ୍ପାଦକ ସୁମନ ରାଉତରାୟଙ୍କ ସମେତ ଶତାଧିକ ଆଇନଜୀବୀ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ପାଳନ କରିବା ସହିତ ଚଳିତ ବର୍ଷ ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘର ରାଜ୍ୟସ୍ତରୀୟ ସମ୍ମିଳନୀକୁ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିମଞ୍ଚରେ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ ସ୍ୱର୍ଗତ ମହାନ୍ତି ଭୁବନେଶ୍ୱର ବାର୍ ଆସୋସିଏସନର ସାଧାରଣ ସମ୍ପାଦକ, ରାଜ୍ୟ ବାର୍ କାଉନସିଲକୁ ୩ଥର ନିର୍ବାଚିତ ହେବା ସହିତ ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ଓ ସମ୍ପଦକ ଦାୟିତ୍ୱ ତୁଲାଇଥିଲେ ।
ରାଜ୍ୟର ଆଇନଜୀବୀ ମାନେ ସ୍ୱର୍ଗତ ମହାନ୍ତିଙ୍କ ସଘୀଂୟ ନେତୃତ୍ୱକୁ ହରାଇଲେ ବୋଲି ‘ନିଖିଳ ଓଡ଼ିଶା ଆଇନଜୀବୀ ସଙ୍ଘ’ର ସଭାପତି ବିଭୁପ୍ରସାଦ ତ୍ରିପାଠୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ।