ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବୋରୱେଲରେ ଖସି ପଡ଼ିଥିବା ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ପ୍ରାୟ ୨୦ ଘଣ୍ଟା ପରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ମଧ୍ୟ ସେ ବଞ୍ଚିପାରିନାହାନ୍ତି ।
ସୋନପୁର-ବୁର୍ଡ଼ା ରାସ୍ତାର କଇଁଫୁଲ ଗାଁ ନିକଟରେ ଏହି ଅଘଟଣ ଘଟିଛି । ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ ଆସିଥିଲେ ବୃଦ୍ଧା ଦୁଃଖୀ ନାଏକ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଗତକାଲି ସକାଳେ ସେ ନିକଟସ୍ଥ ଜଙ୍ଗଲ ଆଡକୁ ଯାଇଥିଲେ । ମାତ୍ର ବାଟରେ କଇଁଫୁଲ ଗାଁ ମୁଣ୍ଡରେ ଏକ ଖୋଲା ବୋରୱେଲରେ ସେ ଖସିପଡ଼ିଥିଲେ । ପାଖରେ କେହି ନ ଥିବାରୁ ଏହା ଦେଖିପାରି ନ ଥିଲେ । ତେବେ ସେ ଘରକୁ ନ ଫେରିବାରୁ ଗାଁ ଲୋକ ରାତି ତମାମ ଖୋଜାଖୋଜି କରିଥିଲେ । ଆଜି ସକାଳେ ବୋରୱେଲ୍ ପାଖରେ ପଡ଼ିଥିବା ଚପଲ ଦେଖି ଭିତରେ ତାଙ୍କୁ ଠାବ କରାଯାଇଥିଲା ।
୧୫ ରୁ ୨୦ ଫୁଟ ଗଭୀରର ଏହି ସଙ୍କୀର୍ଣ୍ଣ ଓସାରର ବୋରୱେଲରୁ ବୃଦ୍ଧାଙ୍କୁ ଉଦ୍ଧାର କରିବା କାଠିକର ପାଠ ଥିଲା । ଅଗ୍ନିଶମ ବିଭାଗକୁ ଖବର ଗଲା ପରେ ସୋନପୁର ଓ ତରଭାରୁ ଅଗ୍ନିଶମ ବାହିନୀ ସେଠି ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୋରୱେଲ ସହ ଏକ ସମାନ୍ତରାଳ ଗାତ ଖୋଳି ବୃଦ୍ଧାଙ୍କ ପାଖରେ ପହଞ୍ଚିବାକୁ କର୍ମଚାରୀମାନେ ସଫଳ ହୋଇଥିଲେ । ପ୍ରାୟ ୨୦ ଜଣ କର୍ମଚାରୀ ଦୀର୍ଘ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ।
ପାଖାପାଖି ୨୪ ଘଣ୍ଟା ଧରି ବୋରୱେଲ୍ ଗାତରେ ରୁନ୍ଧି ହୋଇ ରହିଥିବା ବୃଦ୍ଧା ଦୁଃଖୀ ନାଏକଙ୍କ ଅବସ୍ଥା କିନ୍ତୁ ଅତ୍ୟନ୍ତ ସଙ୍କଟାପନ୍ନ ଥିଲା । ତାଙ୍କୁ ଏକ ଆମ୍ବୁଲାନସ୍ ଯୋଗେ ତୁରନ୍ତ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।
ବୋରୱେଲରୁ ଜଣେ ମଣିଷଙ୍କୁ ଉଦ୍ଧାର କରିବା ଓଡ଼ିଶା ଅଗ୍ନିଶମ ବାହିନୀ ପାଇଁ ଏହା ପ୍ରଥମ ଘଟଣା । ନିଜସ୍ୱ ଜ୍ଞାନକୋ÷ଶଳରେ ଓଡ଼ିଶା ଅଗ୍ନିଶମ ବାହିନୀର ଏହି ଦୁଃସାହସିକ କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଇଥିଲେ ମଧ୍ୟ ବୃଦ୍ଧାଙ୍କ ଜୀବନ ଚାଲିଯିବା ସମସ୍ତଙ୍କୁ ମ୍ରିୟମାଣ କରିଛି ।