ଭୁୁବନେଶ୍ୱର: ଆକାଶବାଣୀ… ଖବର ପଢ଼ୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହ । ଅଶୀ ଓ ନବେ ଦଶକରେ କୋଟି କୋଟି ଓଡ଼ିଆଙ୍କ ହୃଦୟକୁ ପାଗଳ କରିଥିଲା ଏହି କଣ୍ଠସ୍ୱର । ଯାହା ଆଜି ବି ସମସ୍ତଙ୍କ ସ୍ମୃତିପଟରେ ଜୀବନ୍ତ ରହିଛି । ଏହି ମହାନ୍ ବ୍ୟକ୍ତିତ୍ୱ ତଥା ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହ ଆଜି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ୮୪ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲ୍ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ପାହାଡ଼ସିଂହଙ୍କ ବିୟୋଗ ଖବର ପ୍ରଚାରିତ ହେଲା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ନୂଆଦିଲ୍ଲୀ ପାହାଡ଼ଗଞ୍ଜସ୍ଥିତ ଅଲ୍ ଇଣ୍ଡିଆ ରେଡିଓ ରେସିଡେନ୍ସିଆଲ୍ ଆପାର୍ଟମେଣ୍ଟରେ ପତ୍ନୀଙ୍କ ସହ ରହୁଥିବା ଶ୍ରୀ ପାହାଡ଼ସିଂହ ବହୁ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତ ମାସେ ହେଲା ସେ ମାକ୍ସ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ସୁଗାର ଲେଭଲ୍ ଦିନକୁ ଦିନ ହ୍ରାସ୍ ପାଇବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଥିଲେ ମଧ୍ୟ ଅବସ୍ଥାରେ ଉନ୍ନତି ଆସିବା ପରିବର୍ତ୍ତେ ଅଙ୍ଗ ପ୍ରତ୍ୟଙ୍ଗରେ ବିଭିନ୍ନ ଜଟିଳ ସମସ୍ୟା ଦେଇଥିଲା । ଆଜି ହୃଦଘାତ୍ ଯୋଗୁଁ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ହୋଇଥିବା ପୁଅ ଦିଲ୍ଲୀପ ପାହାଡ଼ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଉପେନ୍ଦ୍ର କୁମାର ପାହାଡ଼ସିଂହ ଅଶୀ ଓ ନବେ ଦଶକରେ ଆକାଶବାଣୀର ସବୁଠାରୁ ଲୋକପ୍ରିୟ ସମ୍ବାଦପାଠକ ଥିଲେ । ସକାଳ, ଦ୍ୱିପ୍ରହର ଓ ସଂଧ୍ୟାରେ ତାଙ୍କ ସ୍ୱରରୁ ସମ୍ବାଦ ଶୁଣିବାର ମଜ୍ଜା ନିଆରା ଥିଲା । ତାଙ୍କର ସ୍ପଷ୍ଟ ଓ ଗାମ୍ଭୀର୍ଯ୍ୟ ସ୍ୱରରେ ଅଗଣିତ ଶ୍ରୋତା ବାନ୍ଧି ହୋଇ ରହିଥିଲେ । ରେଡିଓରୁ ତାଙ୍କ ସ୍ୱର ଶୁଣିବା ପାଇଁ ଲୋକମାନେ ପାଗଳ ହୋଇଯାଉଥିଲେ । ଅଢ଼େଇ ଦଶନ୍ଧି ପରେ ଆଜି ବି ତାଙ୍କ ସ୍ୱର ସମସ୍ତଙ୍କ ମନରେ ସାଇତା ହୋଇ ରହିଛି ।
କିଛି ବର୍ଷ ତଳେ ତାଙ୍କର ଅସୁସ୍ଥତା ଖବର ଆସିବା ପରେ ଅଗଣିତ ଶୁଭେଚ୍ଛୁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ମାତ୍ର ବାର୍ଦ୍ଧକ୍ୟ ରୋଗରୁ ସେ ମୁକୁଳି ପାରିନଥିଲେ । ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏହି ପ୍ରବାଦ ପୁରୁଷ ।