ଭୁବନେଶ୍ୱର: ମହାରାଷ୍ଟ୍ରରେ ଗତବର୍ଷ ଉଦ୍ଧବ ଠାକୁରଙ୍କ ବିରୋଧରେ ତାଙ୍କର ଖାସ୍ ସହଯୋଗୀ ଏକନାଥ ସିନ୍ଦେ ବିଦ୍ରୋହ ଘୋଷଣା କରି ଶିବସେନାକୁ ଭାଙ୍ଗି ଦେଇଥିଲେ । ବିଜେପି(ଏନଡିଏ) ପଟକୁ ଆସି ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମାନ ଢ଼ଙ୍ଗରେ ଆଜି ମହା ବିକାଶ ଅଘଡ଼ିର ପ୍ରମୁଖ ଅଂଶୀଦାର ଶରଦ ପାୱାରଙ୍କ ଏନସିପି କୁ ଭାଙ୍ଗି ଦେଇଛନ୍ତି ତାଙ୍କ ପୁତୁରା ଅଜିତ୍ ପାୱାର୍ । ବିଜେପି ପଟକୁ ଆସି ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ତୁତିଗାନ କରି ମହାରାଷ୍ଟ୍ରବାସୀଙ୍କୁ ମହାବିକାଶର ସ୍ୱପ୍ନ ଦେଖାଇଛନ୍ତି । ମହାରାଷ୍ଟ୍ର ରାଜନୀତିର ଏହି ଦୃଶ୍ୟପଟ ଏବଂ ନେତାଙ୍କ ଚରିତ୍ର ବଦଳ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି ।
ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନସିପି ଭାଙ୍ଗିଯାଇଛି । ପୁତୁରା ଅଜିତ୍ ପାୱାର ବିଦ୍ରୋହ କରିଛନ୍ତି । ଛଗନ ଭୁଜବଳଙ୍କ ସମେତ ୯ ଜଣ ଏନସିପି ବିଧାୟକଙ୍କୁ ସାଙ୍ଗରେ ନେଇ ଏକନାଥ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲା ବେଳେ ୯ ସହଯୋଗୀ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଛଗନ ଭୁଜବଳ, ଦିଲ୍ଲୀପ ୱାଲସ ପାଟିଲ୍, ହସନ୍ ମୁଶ୍ରିଫ୍, ଧର୍ମାରାଓ ବାବା ଅତରାମ୍, ଆଦିତି ସୁନୀଲ ତତକାରେ, ସଞ୍ଜୟ ବନସୋଡ, ଅନୀଲ ପାଟିଲ୍, ଧନଞ୍ଜୟ ମୁଣ୍ଡେ । ବିଧାନସଭାରେ ୫୩ ଏନସିପି ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଅଛି ବୋଲି ଅଜିତ୍ ଦାବି କରିଛନ୍ତି । ଏହା ସତ ହେଲେ ମହାରାଷ୍ଟ୍ରରେ ଏନଡିଏ ବିଧାୟକଙ୍କ ସଂଖ୍ୟା ୧୭୦ ରୁ ବୃଦ୍ଧି ପାଇ ୨୧୦ ହେବ ।
ବିରୋଧୀ ଦଳର ନେତା ପଦରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଆସିଥିବା ଅଜିତ୍ ପାୱାର ମୋଟ ପାଞ୍ଚ ଥର ଉପମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ କେବଳ ଏହି ଟର୍ମରେ ତୃତୀୟ ଥର ପାଇଁ ଏହି ପଦ ହାସଲ କରିଛନ୍ତି । ୨୦୧୯ ରେ ଦେବେନ୍ଦ୍ର ଫନଡାଭିସ୍ ମନ୍ତ୍ରୀମଣ୍ଡଳରେ ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ଉଦ୍ଧବ ଠାକୁରଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ଶରଦ୍ ପାୱାରଙ୍କ ଡାହାଣ ହାତ କୁହାଯାଉଥିବା ଅନ୍ୟତମ ଟାଣୁଆ ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ଅଜିତ୍ ଙ୍କ ସହ ଏନଡିଏ ପଳେଇଛନ୍ତି ।
ଏହି ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟର ବଡ଼ ଦିଗଟି ହେଉଛି, ବିଜେପିର ହାତ ଧରିଥିବା ଅଜିତ୍ ପାୱାର, ଛଗନ ଭୁଜବଳ, ପ୍ରଫୁଲ୍ଲ ପଟେଲ ପ୍ରମୁଖ ନେତା ହଜାର ହଜାର କୋଟିର ଦୁର୍ନୀତି ମାମଲାରେ ଛନ୍ଦି ହୋଇ ମୋଦୀ ସରକାରଙ୍କର ଟାର୍ଗେଟ୍ ରେ ଥିଲେ । ଅଜିତ୍ ପାୱାର ଜେଲ୍ ରେ ଚକି ପେଶିବେ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫନଡାଭେସ୍ ସର୍ବସାଧାରଣରେ ଧମକ ଦେଇଥିଲେ । ଗତ ଜୁନ୍ ୨୫ ରେ ଭୋପାଳରେ ଏକ ଜନସଭାରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଜିତ୍, ପଟେଲ ଆଦି ଏନସିପି ନେତାଙ୍କ ଉଦେ୍ଦଶ୍ୟରେ ଚରମ ବାଣୀ ଶୁଣାଇଥିଲେ । ଏନସିପି ନେତାମାନେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତିରେ ଲିପ୍ତ ବୋଲି କହି ଭ୍ରଷ୍ଟାଚାରୀ ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ।
ସୂଚନାଥାଉକି, ଅତୀତରେ ମହାରାଷ୍ଟ୍ରରେ ହୋଇଥିବା ବଡ଼ ବଡ଼ ଘୋଟାଲାରେ ଅଜିତ୍ ପାୱାରଙ୍କ ନାଁ ସର୍ବାଗ୍ରେ ରହିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗରେ ତାଙ୍କ ବିରୋଧରେ ସଂଖ୍ୟାଧିକ ମାମଲା ରହିଛି । ତାଙ୍କର ଏକ କମ୍ପାନୀର ୧୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ଆୟକର ବିଭାଗ ଆଟାଚ୍ କରିଛି । ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଳଙ୍କର ଅବସ୍ଥା ମଧ୍ୟ ସେୟା । ଛଗନଙ୍କର ୨୦ କୋଟିର ସମ୍ପତ୍ତି ଇଡି ଆଟାଚ୍ କରିଛି । କିଛି ମାସ ତଳେ ମୁମ୍ବାଇରେ ପ୍ରଫୁଲ୍ଲ ପଟେଲଙ୍କର ଅଚଳାଚଳ ସମ୍ପତ୍ତିକୁ ଇଡି ଆଟାଚ୍ କରିଥିଲା ।
ଆଜି ଏନସିପି ଛାଡ଼ି ମନ୍ତ୍ରୀ ଭାବେ ଶପଥ ନେଇଥିବା ଅଜିତଙ୍କ ସହଯୋଗୀ ହସନ୍ ମୁଶ୍ରିଫ୍ ଙ୍କ ବିରୋଧରେ ମଧ୍ୟ ଗଦା ଗଦା ମାମଲା ରହିଛି । ନିକଟରେ କୋହ୍ଲାପୁରରେ ଥିବା ତାଙ୍କର ଘରକୁ ଇଡି ଖାନତଲାସୀ କରିଥିଲା । ଏକ ମନି ଲଣ୍ଡରିଂ ମାମଲାରେ ଗତ ଏପ୍ରିଲରେ ମୁମ୍ବାଇ ହାଇକୋର୍ଟରୁ ସେ ଅନ୍ତରୀଣ ଜାମିନ୍ ପାଇଛନ୍ତି ।
ଇଡି ଏବଂ ଆୟକର ମାମଲାରେ ଛନ୍ଦି ହୋଇଥିବା ଏହି ଦୁର୍ନୀତିଗ୍ରସ୍ତ ନେତାମାନଙ୍କୁ ବିଜେପି ଚାପ ପକାଇ ନିଜ ପଟକୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରକୁ ନିଜ ହାତରେ ରଖି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ରାସ୍ତା କ୍ଲିୟର୍ କରିଥିବା କୁହାଯାଉଛି ।
ମହାରାଷ୍ଟ୍ରରେ ଟ୍ରିପଲ୍ ଇଂଜିନ୍ ସରକାର ଚାଲିଲା ବୋଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଶରଦ ପାୱାର୍ ଏହି ଘଟଣାକୁ ନେଇ ଭାଙ୍ଗି ପଡ଼ିନାହାନ୍ତି । ଏନସିପିକୁ ସେ ଉଠାଇବେ ବୋଲି ଦମ୍ଭ ଦେଖାଇଛନ୍ତି । କୋର୍ଟରେ ଆଇନଗତ ଲଢ଼େଇ ନ କରି ଲୋକଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ।