୧୩ ଜଣ ନାମାଙ୍କନ ଦାଖଲ କଲେ
ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁରରେ ପ୍ରାର୍ଥୀପତ୍ର ଦାଖଲର ଛକାପଂଝା ସରିଲା । ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଆଳରେ କାଲି ପର୍ଯ୍ୟନ୍ତ କେହି ନାମାଙ୍କନ ଭରି ନ ଥିଲେ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସରେ ଭିଡ଼ ଜମାଇଥିଲେ । ରାଜନୈତିକ ଦଳ ଭାବେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଥମେ ନାମାଙ୍କନ ଭରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗପଛ ହୋଇ ନାମାଙ୍କନ ଭରିଥିଲେ ।
ବିଜେଡି ପ୍ରାର୍ଥୀ ଶ୍ରୀମତୀ ବର୍ଷା ସିଂ ବରିହା ଦଳୀୟ ନେତାଙ୍କ ଗହଣରେ ନାମାଙ୍କନ ଭରିବାକୁ ଉପଜିଲ୍ଲାପାଳଙ୍କ ଅଫିସ ଆସିଥିଲେ । ତାହା ପୁଣି ବିନା ଶୋଭାଯାତ୍ରାରେ । ପାଇକମାଳର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ବାପା ସ୍ୱର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବାକୁ ଆସିଥିଲେ । ସାଙ୍ଗରେ ଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମୟୀ ମିଶ୍ର ।
କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଏକ ବିଶାଳ ଶୋଭାଯାତ୍ରାରେ ଆସିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ସାଙ୍ଗରେ ଥିଲେ ।
ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, କେ.ଭି.ସିଂହଦେଓ ପ୍ରମୁଖ ସାଙ୍ଗରେ ଥିଲେ । ଉପଜିଲ୍ଲାପାଳଙ୍କ ଅଫିସରୁ ଫେରୁଥିବା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସାମନାରେ ଦେଖି ପ୍ରାର୍ଥୀ ଶ୍ରୀ ପୁରୋହିତ ଅଟକି ଯାଇ ତାଙ୍କର ଆଶୀର୍ବାଦ ନେଇଥିଲେ ।
ବିଜେଡି ପ୍ରାର୍ଥୀଙ୍କ ପୂର୍ବରୁ ପ୍ରଥମ ବ୍ୟକ୍ତି ଭାବେ ଜୟନ୍ତ ଥପ୍ପା ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଆଜି ସମୁଦାୟ ୧୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ସୂଚନାଥାଉକି, ଗତ ୧୪ ତାରିଖରେ ବିଜେପି ନାମାଙ୍କନ ଦାଖଲ ପର୍ବ କରିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଗହଣରେ ପ୍ରାର୍ଥୀ ଶ୍ରୀ ପୁରୋହିତ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ ଉପଜିଲ୍ଲାପାଳଙ୍କ ଅଫିସକୁ ଆସିଥିଲେ । ମାତ୍ର ସେଠାରେ ଧାରଣାରତ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ନାମାଙ୍କନ ପତ୍ର ଭରି ନ ଥିଲେ । ବିଜେପିର ଏହି ନାଟକବାଜି ପରେ କିଏ ଆଗ ନାମାଙ୍କନ ଭରିବ ତାକୁ ନେଇ ଛକାପଂଝା ଲାଗି ରହିଥିଲା ।