କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି, ଜବାବ ଦେଲା ବିଜେଡି
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ମାହୋଲର ଉଷ୍ମତାକୁ ବଢ଼ାଇ ଦେଇଛି ପ୍ରଧାନମନ୍ତ୍ରୀ ଫସଲ ବୀମା ରାଜନୀତି । ୩ ଦିନ ହେଲା ଏହାକୁ ନେଇ ଟୁଇଟ୍, ବୟାନବାଜି ଚାଲିଛି । ଏବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସିଧାସଳଖ ଓଡ଼ିଶା ସରକାରଙ୍କ ଉପରକୁ ଦୋଷ ଠେଲି ଦେଇଛନ୍ତି । ତେବେ ଶାସକ ବିଜେଡି କିନ୍ତୁ ଛାଡ଼ିନାହିଁ । କେନ୍ଦ୍ରମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛି ।
କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଏକ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ । ଟେଣ୍ଡର ଜାରି କରିବା, ପ୍ରିମିୟମ୍ ମୂଲ୍ୟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର ରାଜ୍ୟ ସରକାର ଏସବୁ ପ୍ରକ୍ରିୟାକୁ ଅନୁସରଣ କରିନାହାନ୍ତି । ଚାଷୀଙ୍କୁ ବୀମା ରାଶି ଦେବାରେ ରାଜ୍ୟ ସରକାର ତତ୍ପରତା ଦେଖାଇନାହାନ୍ତି । ରାଜ୍ୟ ସରକାର ନିୟମ ଭାଙ୍ଗିବାରୁ ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।
ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଚିଠିଟି ତ୍ରୁଟିପୂର୍ଣ୍ଣ, ଭୁଲ୍ ଏବଂ ବିକୃତ ତଥ୍ୟ ଏବଂ ଅର୍ଦ୍ଧ ସତ୍ୟ ଉପରେ ଆଧାରିତ ବୋଲି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କୁ ସେ ପ୍ରଶ୍ନଗଦାରେ ଛିଡ଼ା କରାଇଛନ୍ତି ।
ଡ. ପାତ୍ର କହିଛନ୍ତି, କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ୨୯ ଅଗଷ୍ଟ ୨୦୨୨ରେ ଚିଠି ଲେଖି ଦାବି କରିଥିଲେ ଯେ ଓଡ଼ିଶାର ଚାଷୀଙ୍କୁ ଦିଆଯାଉଥିବା ଫସଲ ବୀମା ରାଶି ଲୁଚା ଯାଉଛି ଏବଂ ଏହାକୁ ଦର୍ଶାଯାଉନାହିଁ । କେନ୍ଦ୍ରମନ୍ତ୍ରୀ କୁହନ୍ତୁ, ଏହାର କାରଣ କ’ଣ? ମୁଖ୍ୟମନ୍ତ୍ରୀ ଫସଲ ବୀମା ପାଇଁ କେନ୍ଦ୍ର ଉପରେ ନିୟମିତ ଚାପ ପକାଉଥିବାରୁ କେନ୍ଦ୍ର ଲୁଚାଇବାକୁ ଚାହୁଁଛି କି?
ଦ୍ୱିତୀୟରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ୯ ନଭେମ୍ବର, ୨୦୨୨ ରେ ସାକ୍ଷାତ କରି ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ ବିଷୟରେ କହିଥିଲେ ମଧ୍ୟ ତାହାକୁ ଲୁଚା ଯାଇଛି କାହିଁକି?
କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠ ଅନୁଯାୟୀ ଯଦି ବୈଷୟିକ ପରାମର୍ଶଦାତା କମିଟି ଦ୍ୱାରା ୭ ନଭେମ୍ବର, ୨୦୨୨ ରେ ଫସଲ ବୀମା ଅର୍ଥ ଅନୁମୋଦନ କରାଯାଇଛି, ତେବେ ପଦ୍ମପୁର ଏବଂ ବରଗଡ଼ର ଚାଷୀଙ୍କୁ ଦେୟ ଦେବାକୁ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ୧୫ ନଭେମ୍ବର,୨୦୨୨ ରେ କେନ୍ଦ୍ରମନ୍ତ୍ରୀଙ୍କ ଟୁଇଟ୍ କାହିଁକି?
ଡକ୍ଟର ପାତ୍ର ଦୋହରାଇଛନ୍ତି ଯେ ଫସଲ ବୀମା ଅର୍ଥ ଦେବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି କ୍ଷେତ୍ରରେ ରାଜ୍ୟର କୌଣସି ଭୂମିକା ନାହିଁ । ବିଜେପିର ଦୋମୁହାଁ ନୀତି ଏବଂ ମିଛକୁ ନେଇ ଓଡ଼ିଶାର କୃଷକମାନେ ଅତ୍ୟନ୍ତ କ୍ରୋଧିତ ଅଛନ୍ତି ଏବଂ ଆଗାମୀ ପଦ୍ମପୁର ଉପନିର୍ବାଚନରେ ଏହାର ଜବାବ ଦେବେ ।