-ବବି ଦାସ ପୁଣି ପାୱାରଫୁଲ୍
-ବିଜୁ, ନବୀନ ଅନୁଗତଙ୍କୁ ଝଟକା
-ଦାନା ବାନ୍ଧୁଛି ବିଦ୍ରୋହ
ଭୁବନେଶ୍ୱର: ଓଡ଼ିଶା ଲୋକଙ୍କୁ ଭକୁଆ ବନାଇଲେ ନବୀନ ପଟ୍ଟନାୟକ । ଭି.କେ ପାଣ୍ଡିଆନଙ୍କ ପ୍ରତି ସମର୍ପଣ ଭାବ ଆଗରେ କୋଟି କୋଟି ଓଡ଼ିଆଙ୍କ ସ୍ନେହ, ଶ୍ରଦ୍ଧା ଓ ସମ୍ମାନକୁ ତୁଚ୍ଛ କରିଦେଲେ । ପାଣ୍ଡିଆନ-ବବିଙ୍କ ପାଇଁ ବିଜେଡିର ପରାଜୟ କାରଣକୁ ମାନିଲେ ନାହିଁ କି ଭୁଲ୍ ସୁଧାରି ଦଳ ଆଗକୁ ନେବାକୁ ଇଚ୍ଛା କଲେ ନାହିଁ । ଓଲଟି ଦଳୀୟ ନେତା ଓ କର୍ମୀଙ୍କ ଅସନ୍ତୋଷକୁ ପଛକୁ ଠେଲି ପାଣ୍ଡିଆନଙ୍କ ପାଇଁ ବାରମ୍ବାର ଓକିଲାତି କଲେ । ପାଣ୍ଡିଆନ ରାଜନୀତିରେ ଆଉ ନାହାନ୍ତି କି ଦଳ କଥା ବୁଝୁନାହାନ୍ତି ବୋଲି ବୟାନ ଦେଇ ତାଙ୍କୁ ସୁରକ୍ଷା ଦେଲେ । ହେଲେ ବିଜେଡିରେ କ’ଣ ଘଟୁଛି ତାହା କାହାରିକୁ ଅଛପା ନାହିଁ । ଜଣେ ଅଣଓଡ଼ିଆ ପାଣ୍ଡିଆନଙ୍କ ସ୍ୱାର୍ଥରକ୍ଷା ପାଇଁ ନବୀନ ବାବୁ କୋଟି କୋଟି ଓଡ଼ିଆଙ୍କ ବିଶ୍ୱାସକୁ କୁଠାରଘାତ କରିଛନ୍ତି ବୋଲି ନିଃସନ୍ଦେହରେ କୁହାଯିବ । ବିଜେଡି ସଂଗଠନ ପୁର୍ନବିନ୍ୟାସର କାରିଗର ଯେ ଭି.କେ ପାଣ୍ଡିଆନ୍ ତାହା ଅଛପା ନାହିଁ । ଅସଲରେ ନବୀନ ନୁହଁନ୍ତି, ପାଣ୍ଡିଆନ୍ ଯେ ବିଜେଡିର ସର୍ବେସର୍ବା ତାହା ପୁଣି ଥରେ ପ୍ରମାଣିତ ହୋଇଛି । ଭାଗୁଆଳି ବବି ଦାସ ଏବଂ ତାଙ୍କର ପୁରୁଣା ବୋଲକରା ସଦସ୍ୟଙ୍କୁ ଧରି ନୂଆ ଇଂନିସ୍ ଆରମ୍ଭ କରିଛନ୍ତି ଅଦୃଶ୍ୟ ପାଣ୍ଡିଆନ୍ । ଏଥିରେ ଉଭୟ ବିଜୁ ଏବଂ ନବୀନ ଲିଗାସୀକୁ ଖତମ୍ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।
ବିଜେଡିରେ ଏକଛତ୍ରବାଦ ଶାସନ ଚଳାଇବାକୁ ପାଣ୍ଡିଆନଙ୍କ ଗୋଟିଚାଳନା ସବୁଠି ଚର୍ଚ୍ଚାରେ । ବୋଲ ମାନୁ ନ ଥିବା ବରିଷ୍ଠ ନେତାମାନଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ସୁଚିନ୍ତିତ ରଣନୀତି ହୋଇଛି । ଦଳର ନୀତି ନିର୍ଦ୍ଧାରଣ, କାର୍ଯ୍ୟପନ୍ଥା ନିର୍ଣ୍ଣୟ ପାଇଁ ଗଠିତ ରାଜନୈତିକ ବ୍ୟାପାର କମିଟି(ପିଏସି)ରେ ନବୀନ ପଟ୍ଟନାୟକ ନିଜେ ଅଧ୍ୟକ୍ଷ ଅଛନ୍ତି । ଅର୍ଥାତ୍ ଦଳର ସଭାପତି ଏବଂ ପିଏସିର ସଭାପତି ସେଇ ଜଣେ ଲୋକ, ବିଜେଡି ସୁପ୍ରିମୋ । ତାଙ୍କର ସବୁ ନିଷ୍ପତ୍ତି କିଏ ନିଅନ୍ତି ତାହା କହିବା ଅନାବଶ୍ୟକ । ପଲ୍ଲୀରୁ ଦିଲ୍ଲୀ ପାଣ୍ଡିଆନଙ୍କ ପ୍ରଭାବକୁ ସମସ୍ତେ ଜାଣନ୍ତି ।
ରୋଚକ କଥା ହେଲା, ପାଣ୍ଡିଆନଙ୍କ ଏକ ନମ୍ବର ଚେଲା କ୍ରୀତଦାସ ମାର୍କା ପ୍ରଣବ ପ୍ରକାଶ ଓରଫ୍ ବବି ଦାସ କମିଟିର ଜଣେ ସଦସ୍ୟ । ପାଣ୍ଡିଆନଙ୍କ ଆଗରେ ୟା ତା ବିରୋଧରେ ଚୁଗୁଲି କରି ଗୋଛି କାଟିବା କଳାରେ ସେ ନିପୁଣ । ଗତ ନିର୍ବାଚନରେ କାହାର ଟିକେଟ୍ କଟିବ, କାହାକୁ ଟିକେଟ୍ ଦେଇ ପରାସ୍ତ କରାଯିବ ସେଥିରେ ମାତିଥିଲେ ବବି । ଖୋଦ୍ ମୁଖିଆଙ୍କ ଆଗରେ ଅଧିକାଂଶ ନେତା ଏହି ଅଭିଯୋଗ କରିଥିଲେ । ମାତ୍ର ରାତ୍ ଗୈ ତୋ ବାତ୍ ଗୈ ନ୍ୟାୟରେ ମୁଖିଆ ଏସବୁ ଭୁଲି ଯାଇଛନ୍ତି । ଦଳ ପରିଚାଳନାରେ ବବିଙ୍କର ଆବଶ୍ୟକତାକୁ ସେ ପୁଣି ଅନୁଭବ କରିଛନ୍ତି ।
ରାଜନୈତିକ ବ୍ୟାପାର କମିଟିରେ ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡିଂ, ଟୁକୁନି ସାହୁ, ସସ୍ମିତ୍ ପାତ୍ର ଏବଂ ସଂତୃପ୍ତ ମିଶ୍ର ଅନ୍ୟତମ ସଦସ୍ୟ ଅଛନ୍ତି । ଏମାନଙ୍କର କାତ କେତେ ତାହା ସମସ୍ତେ ଜାଣିଛନ୍ତି । ସୁତରାଂ ଅଦୃଶ୍ୟରୁ ପାଣ୍ଡିଆନଙ୍କ ଯାହା ନିର୍ଦ୍ଦେଶ ତାହା ହିଁ ହେବ ଶିରୋଧାର୍ଯ୍ୟ । ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ବବି କାର୍ଯ୍ୟକାରୀ କରିବେ । ନବୀନ ବାବୁ ଖାଲି ଦସ୍ତଖତ କରିବେ ।
ରାଜନୈତିକ ବ୍ୟାପାର କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ଅନଙ୍ଗ ଉଦୟ ସିଂହଦେଓ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବଦ୍ରି ନାରାୟଣ ପାତ୍ର, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲଙ୍କ ଭଳି ଦକ୍ଷ ଏବଂ ଅନୁଭବୀ ନେତାଙ୍କର ଆବଶ୍ୟକତା ଥିଲା ବେଳେ ସେମାନଙ୍କୁ ଓଲଟି ନ୍ୟୁନ କରିବାକୁ ଉଦ୍ୟମ କରାଯାଇଛି । ପ୍ରସନ୍ନ, ଅନଙ୍ଗ, ଅରୁଣ, ବଦ୍ରି, ରଣେନ୍ଦ୍ର, ରମେଶଙ୍କୁ ଛାମୁଆ ସଂଗଠନ ଦାୟିତ୍ୱ ଦିଆଯାଇଛି । ସେମାନେ ଚାଷୀ, ଶିକ୍ଷକ, ମାଛ ଧରାଳି, ବୟସ୍କ ଲୋକଙ୍କ କଥା ବୁଝିବେ । ଦଳୀୟ ବ୍ୟାପାରରେ ମୁଣ୍ଡ ପୂରାଇବେନି । ସେମାନଙ୍କର ମର୍ଯ୍ୟାଦା ରକ୍ଷା ପାଇଁ ରଣନୀତିକାର ଅବଶ୍ୟ ଧ୍ୟାନ ଦେଇଛନ୍ତି । ବରିଷ୍ଠ ଉପସଭାପତି/ଉପସଭାପତି ପଦର ସମକକ୍ଷ(ପାହ୍ୟା)ରେ ସେମାନଙ୍କୁ ଥଇଥାନ କରାଯାଇଛି । ଏହା ସେମାନଙ୍କ ପାଇଁ ଅପମାନ ନା ଅଟ୍ଟହାସ୍ୟ ତାହା ନିଜେ ବୁଝିପାରିନାହାନ୍ତି ଦଳର ବରିଷ୍ଠ ନେତୃଗଣ । ନିଜ କର୍ମକୁ ଆଦରି ନିଜ ଗାଲକୁ ନିଜେ ଚାପଡ଼ା ମାରୁଛନ୍ତି ।
ସେପଟେ, ବରିଷ୍ଠ ଉପସଭାପତି ତାଲିକାର ପ୍ରଥମରେ ଅଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ତାଙ୍କୁ କିରାଣୀ କାମ ଦିଆଯାଇଛି । ତାଙ୍କର ଜୁନିୟର୍ ଭାବେ ପ୍ରତାପ ଜେନା(ଉପସଭାପତି)ଙ୍କୁ ନିଯୁକ୍ତି ମିଳିଛି । ଏହି ଦୁଇଜଣ ଶଙ୍ଖ ଭବନ ଜଗିବେ, ବହୁ ଆଗରୁ ପୁରୁଣା ବିଜେଡି କାର୍ଯ୍ୟାଳୟକୁ ନରି ସ୍ୱାଇଁ ଯେମିତି ଜଗୁଥିଲେ ।
ଆହୁରି ରୋଚକ କଥା, ଏଇ କିଛି ଦିନ ଆଗରୁ ବିଜେଡିରେ ସପ୍ତରଥୀ ଭାବେ ପରିଚିତ ଥିଲେ ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରତାପ ଦେବ ଏବଂ ବବି ଦାସ । ଦଳରେ କିଏ କେଉଁ ପଦବୀରେ ରହିବେ ସେମାନେ ନିଷ୍ପତ୍ତି ନେଉଥିଲେ ବୋଲି ଧୂମ୍ ପ୍ରଚାର ହେଉଥିଲା । ତେବେ ବବିଙ୍କୁ ଛାଡ଼ିଦେଲେ ପାଣ୍ଡିଆନ୍ ବିରୋଧୀ ଅସନ୍ତୋଷ ସେମାନଙ୍କ ଉପରକୁ ଠେଲିବା ପାଇଁ ଯେ ମିଛ ପ୍ରଚାର କରାଯାଉଥିଲା ତାହା ସ୍ପଷ୍ଟ ହୋଇଗଲା ।
ଏହି ପ୍ରଚାର ଆଉ କେହି ନୁହେଁ, ନିଜେ ବବି ଦାସ ପ୍ରଚାର କରାଇଥିଲେ ବୋଲି ଚର୍ଚ୍ଚା ହେଉଛି । କେବଳ ପାଣ୍ଡିଆନ୍ ବିରୋଧୀ ନେତାଙ୍କ ଆକ୍ରୋଶ ନୁହେଁ, ଷଷ୍ଠରଥୀଙ୍କ ଭିତରେ ଫାଟ ସୃଷ୍ଟି ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା, ଯାହା ସଫଳ ହୋଇଛି । ଦେବୀ, ଅରୁଣ, ଅତନୁ, ପ୍ରତାପଙ୍କୁ ନ୍ୟୁନ କରାଯାଇଛି । ସେମାନଙ୍କର ପତିଆରା କ୍ଷୂର୍ଣ୍ଣ କରାଯାଇଛି । ବୋଲ ମାନିଯାଇଥିବା ସଞ୍ଜୟଙ୍କୁ କ୍ଷମତାଶାଳୀ କରାଯାଇଛି ।
ସୂଚନାଥାଉକି, ଏକଦା ପାଣ୍ଡିଆନଙ୍କୁ ପରୋକ୍ଷରେ ଗାଳି କରି ଦଳରୁ ତଡ଼ା ଖାଇବା ଅବସ୍ଥାକୁ ଆସିଥିଲେ ଏହି ସଞ୍ଜୟ ଦାସବର୍ମା । ନିର୍ବାଚନ ପୂର୍ବରୁ ହଠାତ୍ କିନ୍ତୁ ପାଣ୍ଡିଆନଙ୍କର ସ୍ତାବକ ପାଲଟିଗଲେ । ଯେଉଁ ବବିଙ୍କୁ ଅହର୍ନିସି ଗାଳି କରୁଥିଲେ, ସେହି ବବିଙ୍କ ଶରଣାପନ୍ନ ହୋଇଗଲେ । ନିଜେ ବଞ୍ଚିଲେ ବାପର ନାଁ ଭଳି ଏବେ ତାଙ୍କ ମନ ଆକାଶରେ ଉଡୁଛି ।
ବରିଷ୍ଠ ନେତା ଆୟୁବ ଖାନ୍ ଏବଂ ମୁନା ଖାନ୍ ଙ୍କୁ ମଧ୍ୟ ମନଭରି ଅପମାନିତ କରାଯାଇଛି । ଦଳର ସଂଖ୍ୟାଲଘୁ ସେଲରେ ସେମାନଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଅତି କନିଷ୍ଠ ରିଜୱାନା ବେଗମ୍ ଙ୍କ ପଦମର୍ଯ୍ୟାଦା ତାଙ୍କଠାରୁ ଉଚ୍ଚରେ । ରିଜୱାନା ରାଜ୍ୟ ସଂଖ୍ୟାଲଘୁ ସେଲ୍ ର ସହ ଆବାହକ ହୋଇଥିବା ବେଳେ ଆୟୁବ ଖାନ୍ ଙ୍କୁ ପଶ୍ଚିମାଞ୍ଚଳର ଆବାହକ ଦାୟିତ୍ୱ ଦିଆଯାଇଛି । ମୁନ୍ନା ଖାନ୍ ଙ୍କୁ ଦକ୍ଷିଣାଞ୍ଚଳର ଆବାହକ ଦାୟିତ୍ୱ ମିଳିଛି ।
ପାଣ୍ଡିଆନଙ୍କ ବିରୋଧରେ ମେଳି ଅଥବା ପାଟି ଖୋଲିଥିବା ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ଭୂପିନ୍ଦର ସିଂ, ଶଶୀଭୂଷଣ ବେହେରାଙ୍କୁ ସମ୍ପୂର୍ଣ୍ଣ ଆଉଟ୍ କରିଦିଆଯାଇଛି । ଛାତ୍ର ସଂଗଠନର ନେତୃତ୍ୱ ନେଉଥିବା ପ୍ରଭାତ ତ୍ରିପାଠୀଙ୍କ ବିଧାୟକ ପୁଅ ଦେବୀରଂଜନ ତ୍ରିପାଠୀଙ୍କୁ କାର୍ଯ୍ୟକର୍ତ୍ତା ତାଲିକାରୁ ବାଦ୍ ପଡ଼ିଛନ୍ତି । ପାଣ୍ଡିଆନଙ୍କ ବିରୋଧରେ ମେଳି କରୁଥିବା ବାପା ମାର୍କା ପୁଅଙ୍କ ଭିତରୁ ଅଧାଙ୍କର ଠିକଣା ହଜିଯାଇଛି ।
ଗତକାଲି ବିଜେଡିର ଏହି ତାଲିକା ଜାରି ହେବା ପରେ ବରିଷ୍ଠ ନେତାମାନଙ୍କର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଆଗକୁ ଏହା ଭୀଷଣ ରୂପ ନେବା ନିଶ୍ଚିତ ଜଣାପଡୁଛି । କାରଣ ଯୋଉ ପାଣ୍ଡିଆନ ଏବଂ ବବିଙ୍କ ପାଇଁ ବିଜେଡି ଝଟକା ଖାଇଲା, ନବୀନ ବାବୁ ସେହି ଭୁଲ୍ ସୁଧାରିବାକୁ ଚେଷ୍ଟା କରିବେ କ’ଣ ବାୟା ହାତରେ ନିଆଁ ଖପରା ଭଳି ପୁଣି ସେମାନଙ୍କ ଉପରେ ଦଳର ନିୟନ୍ତ୍ରଣ ଛାଡ଼ିଦେଲେ । ଦଳ ପାଇଁ ଝାଳ, ରକ୍ତ ଦେଇଥିବା ବରିଷ୍ଠ ନେତାମାନଙ୍କୁ ସାଂଗଠନିକ ବ୍ୟବସ୍ଥାରୁ ଅପମାନଜନକ ଭାବେ ଆଉଟ୍ କରିଦିଆଯାଇଛି । ଏହାକୁ ଆଉ ସହ୍ୟ କରିହେବ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।
ଉପକୂଳ ଅଞ୍ଚଳର ଆଉ ଜଣେ ବରିଷ୍ଠ ନେତା ସାଂଘାତିକ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ବର୍ତ୍ତମାନର ବ୍ୟବସ୍ଥାରେ ବିଜୁ ଅନୁଗତ ଏବଂ ନବୀନ ଅନୁଗତଙ୍କୁ ଆଉଟ୍ କରାଯାଇଥିବା ବେଳେ ପାଣ୍ଡିଆନ୍ ଅନୁଗତଙ୍କୁ ଇନ୍ କରାଯାଇଛି । ବିଜେଡିରେ ଏହି ପାଣ୍ଡିଆନ୍ ଯୁଗର ପ୍ରବର୍ତ୍ତନ ଭୟଙ୍କର ପରିଣାମ ଆଣିବ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ।